ଭଗବାନ ବିଶ୍ୱାସ

କାହିଁକି କେଜାଣି ଗୋଟିଏ ଦିନ ପୃଥବୀକୁ ଯାଇ ଟିକିଏ ସମୁଦ୍ର କୂଳରେ ବୁଲିବା ପାଇଁ ନାରଦଙ୍କ ଇଚ୍ଛା ହେଲା। ଗ୍ରୀଷ୍ମ କାଳରେ ସୂର୍ଯ୍ୟଙ୍କ ତାପରୁ ରକ୍ଷା ପାଇବାକୁ ହେଲେ ସମୁଦ୍ର କୂଳଟି ହିଁ ଉପଯୁକ୍ତ। ଏହା ଭାବି ନାରଦ ସମୁଦ୍ରକୂଳରେ ବୁଲିବାକୁ ଲାଗିଲେ। ବହୁଦୂରରେ ସମୁଦ୍ର ଲହରୀ ଖେଳୁଛି। ଆଉ ଚାରିଆଡେ ଖାଲି ବାଲି ଆଉ ବାଲି।

ହଠାତ ଏକ ଟିକି ଚଢେଇ ଉପରେ ନାରଦଙ୍କ ନଜର ପଡିଲା। ସେ ଆଶ୍ଚର୍ଯ୍ୟ ହୋଇପଡିଲେ। କାରଣ ପ୍ରବଳ ଖରାରେ ସମୁଦ୍ର କୂଳରେ କୌଣସି ପକ୍ଷୀ ବୁଲୁ ନ ଥିବା ବେଳେ ଏ ଟିକି ଚଢେଇଟି କଣ କରୁଛି। ସେହି ସ୍ଥାନରେ ଗଛଟିଏ ମଧ୍ୟ ନାହିଁ ସେ କେମିତି ବଞ୍ଚିଛି। ଏହିପରି ଚିନ୍ତାରେ ନାରଦ ସେହି ଚଢେଇ ପାଖକୁ ଗଲେ। ଆଉ ପଚାରିଲେ ,” ତୁ ଏତେ ଖରାରେ କାହିଁକି ବୁଲୁଛୁ ?”

ନାରଦଙ୍କ କଥା ଶୁଣି ଟିକି ଚଢେଇଟି କାନ୍ଦିବାକୁ ଲାଗିଲା। କହିଲା, “ପ୍ରଭୂ , ଖାଦ୍ୟ ଖାଇବା ପାଇଁ ମୁଁ ଏହି ଏକାନ୍ତ ସ୍ଥାନରେ ବାସ କରୁଛି। ଅନ୍ୟସ୍ଥାନରେ ମୋତେ କେହି ରଖେଇ ଦେଉ ନାହାନ୍ତି। ମୋ ଉପରେ ଆକ୍ରମଣ କରୁଛନ୍ତି। ସେଥିପାଇଁ ମୁଁ ଏହି ଏକାକୀ ସ୍ଥାନରେ ରହିଛି। ହେଲେ ପ୍ରଭୂ , ଏହି ସ୍ଥାନରେ କୌଣସି ଗଛଟିଏ ମଧ୍ୟ ନାହିଁ। ଛାଇ ଟିକିଏ ମିଳୁ ନାହିଁ। ଖରାଦିନେ ଏହି ତତଲା ବାଲିରେ ଛିଡା ହେବାକୁ ପଡୁଛି। ଏହା ମୋ ପାଇଁ କଷ୍ଟକର। ଆପଣ ଦୟାକଲେ ଏହି ସ୍ଥାନରେ ଗୋଟିଏ ଗଛ ଲାଗିପାରନ୍ତା।”

ନାରଦ କହିଲେ,” ତେବେ କୁହ ମୁଁ କଣ କରିପାରିବି?” ଚଢେଇ କହିଲା ,”ଆପଣ କେବଳ ନାରାୟଣଙ୍କୁ ମୋର ଦୁଃଖ କଥା ଜଣାଇ ଦିଅନ୍ତୁ। ସେ ଚାହିଁଲେ ସବୁ କିଛି ହୋଇ ପାରିବ।” ଚଢେଇର ଦୁଃଖରେ ଦୁଃଖିତ ହୋଇପଡିଲେ ନାରଦ। ସାହାଯ୍ୟ କରିବାର ମନୋବୃତ୍ତି ତାଙ୍କ ମନ ମଧ୍ୟରେ ଉଦ୍ରେକ ହେଲା। ମୁଁ ନିଶ୍ଚିତ ନାରାୟଣଙ୍କୁ କହି କିଛି ବ୍ୟବସ୍ଥା କରିବି କହି ନାରଦ ସେଠାରୁ ଚାଲିଗଲେ। ନାରଦଙ୍କ ମୁହଁରୁ ଏପରି କଥା ଶୁଣି ପକ୍ଷୀଟି ଖୁସି ହୋଇଗଲା। ତାହାର ଦୁଃଖ ଦୂର ହେବ ବୋଲି ସେ ଭାବି ନେଲା।

ପକ୍ଷୀର ବିକଳ କଥା ଶୁଣି ନାରଦ ସିଧା ନାରାୟଣଙ୍କ ନିକଟକୁ ଗଲେ। କ୍ଷୀର ସମୁଦ୍ରରେ ନିଦ୍ରାଯାଇଥିବା ନାରାୟଣ ନାରଦଙ୍କ ଆସିବା ଜାଣି ଉଠିଲେ। ପଚାରିଲେ ,” ନାରଦ ! କଣ ସବୁ ଖବର?” ମୁଣ୍ଡ ନୁଆଁଇ ପ୍ରଣିପାତ କରି ନାରଦ ନିଜର ମନ କଥା ଜଣାଇଲେ। ପକ୍ଷୀର ବିକଳ ରୂପଟି ପ୍ରଭୂଙ୍କ ଆଗରେ ଉପସ୍ଥାପିତ କଲେ। ଅନୁରୋଧ କଲେ,” ପ୍ରଭୂ ! କଣ ଗୋଟିଏ ବ୍ୟବସ୍ଥା କରନ୍ତୁ ନଚେତ ପକ୍ଷୀଟି ନିଶ୍ଚିତ ମରିଯିବ।”

ନାରାୟଣ କିଛି ସମୟ ନୀରବ ରହିବା ପରେ କହିଲେ, “ନାରଦ ! ସେହି ଚଢେଇକୁ ଯାଇ ତିନୋଟି କଥା କହିବ। ପ୍ରଥମ କଥା ହେଲା, ତା ଭାଗ୍ୟରେ ଛାଇ ନାହିଁ, ଦ୍ବିତୀୟରେ ସେ ଖରାଦିନେ ଗୋଟିଏ ଗୋଡ ବାଲିରେ ଆଉ ଗୋଟେ ଗୋଡ ଟେକିକି ରଖୁ। ତଳେ ଥିବା ଗୋଡଟି ତାତି ଗଲେ ଆର ଗୋଡଟି ତଳେ ଥୋଇ ଏହି ଗୋଡଟି ଉପରକୁ କରୁ। ଆଉ ଶେଷରେ ତାକୁ କହିବ ଯେ, ସେ ନିଜକୁ ଭଗବାନଙ୍କ ନିକଟରେ ସମର୍ପଣ କରୁ।” ଏହା କହି ନାରାୟଣ ନିଦ୍ରିତ ଅବସ୍ଥାକୁ ଗଲେ।

ଏପରି କଥା ଶୁଣି ନାରଦଙ୍କର ମନଦୁଃଖ ହେଲା। ସେ ମନେ ମନେ ନାରାୟଣଙ୍କ ଉପରେ କ୍ରୋଧିତ ହେଲେ। ସେ ଭାବିଲେ ଯେ ନାରାୟଣ ଏପରି କାହିଁକି କଲେ। ପ୍ରକୃତରେ ତାଙ୍କର କଣ ଗଛଟିଏ ଦେବାର କ୍ଷମତା ନାହିଁ ? ଏହିପରି ବିଭିନ୍ନ ପ୍ରଶ୍ନ ମଧ୍ୟରେ ଆନ୍ଦୋଳିତ ହୋଇ ସେ ସେହି ଚଢେଇ ପାଖରେ ଯାଇ ପହଁଞ୍ଚିଲେ। ହେଲେ କଣ ହେଲା କେଜାଣି ସେ ଆଉ ଚଢେଇ ପାଖକୁ ନ ଯାଇ ଫେରିଯିବାକୁ ନିଷ୍ପତ୍ତି କଲେ। ହେଲେ ସ୍ବୟଂ ନାରାୟଣ ନିର୍ଦ୍ଦେଶ ଦେଇଛନ୍ତି ଚଢେଇକୁ ତିନୋଟି କଥା କହିବା ପାଇଁ। ଯଦି ନ କହିବି ତେବେ ହୁଏତ ନାରାୟଣ କ୍ଷୁବ୍ଧ ହେବେ।

ଏପରି ମନଦୁଃଖରେ ନାରଦ ସେହି ସମୁଦ୍ରକୂଳରେ ବୁଲୁଥିବା ବେଳେ ହଠାତ ଚଢେଇଟି ଖୁସି ହୋଇ ନାରଦଙ୍କ ପାଖକୁ ଚାଲିଆସିଲା। ନାରଦଙ୍କୁ ଦେଖି ଚଢେଇ କହିଲା,” ଯାହା ହେଉ ଆପଣ ମୋ ପାଇଁ ବହୁତ ଉପକାର କଲେ। ନାରାୟଣ ନିଶ୍ଚିତ ଭାବେ ମୋ ଦୁଃଖ ବୁଝିଥିବେ। ଆଜିଠାରୁ ମୋର ଦୁଃଖ ଗଲା।” ଏତିକି ଗୋଟିଏ ନିଃଶ୍ୱାସରେ କହି ଚଢେଇଟି ନାରଦଙ୍କ ମୁହଁକୁ ଅନାଇଲା। ହେଲେ ନାରଦ କିଛି କହିପାରିଲେ ନାହିଁ।

ନାରଦଙ୍କ ଏପରି ରୂପ ଦେଖି ଚଢେଇର ମନ ମଉଳିଗଲା। ସେ ବାରମ୍ବାର ନାରଦଙ୍କୁ ପଚାରିବାକୁ ଲାଗିଲା ଯେ, କୁହନ୍ତୁ ପ୍ରଭୂ କଣ କହିଲେ। କିଛି ସମୟ ନୀରବତା ପରେ ନାରଦ କହିଲେ,” ଆରେ ଚଢେଇ ! ପ୍ରଭୂ ତୋତେ ତିନୋଟି କଥା କହିବାକୁ କହିଛନ୍ତି। ପ୍ରଥମ କଥା ହେଲା ଯେ, ତୋ ଭାଗ୍ୟରେ ଛାଇ ନାହିଁ, ଦ୍ବିତୀୟ କଥା ହେଲା ତୁ ତତଲା ବାଲିରୁ ରକ୍ଷା ପାଇବା ପାଇଁ ଗୋଡ ଅଦଳବଦଳ କରି ଗୋଟିଏ ଗୋଡରେ ଛିଡା ହେବାକୁ କହିଲେ। ଏହାପରେ ନାରଦ ଯିବାକୁ ଉଦ୍ୟମ କଲେ। ହେଲେ ପକ୍ଷୀ କହିଲା , “ପ୍ରଭୂ ! ଶେଷ କଥାଟି କଣ କହିଲେନି ଯେ !”

ନାରଦ ଶେଷ କଥାଟି କହିବା ପାଇଁ ଆଗ୍ରହ ପ୍ରକାଶ କଲେ ନାହିଁ। ତଥାପି ନାରାୟଣ କହିଥିବାରୁ ସେ କହିଲେ , “ତୁ ପ୍ରଭୃଙ୍କ ନିକଟରେ ନିଜକୁ ସମର୍ପଣ କର। ଭକ୍ତି କର।” ଏତିକି ଗୋଟିଏ ନିଃଶ୍ବାସରେ କହି ନାରଦ ସେଠାରୁ ଉଭାନ ହୋଇ ଗଲେ। ହେଲେ ସେ ରାସ୍ତାରେ ମନେମନେ ନାରାୟଣଙ୍କୁ ଗାଳି କରିବାରେ ଲାଗିଲେ। ନାରଦ ଭାବିଲେ କଣ ସ୍ବୟଂ ନାରାୟଣ ଅକ୍ଷମ ହୋଇ ଗଲେଣି କି ? ତାଙ୍କର କଣ ଗୋଟିଏ ଗଛ ଦେବାର କ୍ଷମତା ନାହିଁ ?

ବହୁଦିନ ଯିବା ପରେ ନାରଦଙ୍କ ମନ କଣ ହେଲା କେଜାଣି ସେ ସେହି ପକ୍ଷୀଟିକୁ ଦେଖିବାକୁ ଆସିଲେ। ସେ ଭାବି ନେଇଥିଲେ ଯେ ସେ ପକ୍ଷୀଟି ଆଉ ନ ଥିବ। ନିଶ୍ଚିତ ମୃତ୍ୟୁ ହୋଇଯାଇଥିବ। ହେଲେ ସେ ସମୁଦ୍ର କୂଳରେ ପହଁଞ୍ଚିବା ପରେ ସେଠାରେ ପରିବେଶ ଦେଖି ନାରଦ ଆଶ୍ଚର୍ଯ୍ୟ ହୋଇଗଲେ। ଦେଖିଲେ ସେଠାରେ ଗୋଟିଏ ଗଛ ନୁହେଁ ଏକ ଜଙ୍ଗଲ ସୃଷ୍ଟି ହୋଇଛି। ସେ କିଛି ଜାଣିପାରିଲେ ନାହିଁ। ଭାବିଲେ ସେ ହୁଏତ ଏକ ଭୂଲ ସ୍ଥାନକୁ ଆସିଛନ୍ତି। ହେଲେ ହଠାତ ସେହି ଟିକି ଚଢେଇଟି ସେଠାରେ ଉପସ୍ଥିତ ରହି ନାରଦଙ୍କ ଜୟ ଗାନ କଲା। ଆଉ କହିଲା , “ପ୍ରଭୋ ! ଆପଣଙ୍କ ଦୟାରେ ମୁଁ ଏକ ଜଙ୍ଗଲ ପାଇପାରିଛି। ମୁଁ ଏବେ ବେଶ୍ ଖୁସିରେ ଅଛି।”

ନାରଦ କିଛି ଜାଣିପାରିଲେ ନାହିଁ। ସେ ରାଗ ତମତମ ହୋଇ ନାରାୟଣଙ୍କ ପାଖକୁ ଗଲେ। ଆଉ ନାରାୟଣଙ୍କୁ କ୍ରୋଧରେ କହିଲେ, “ପ୍ରଭୋ ! ଏ କଣ, ଆପଣ ମୋତେ ଛାଇ ତା ଭାଗ୍ୟରେ ନାହିଁ ବୋଲି କହିଲେ ହେଲେ ସେଠାରେ ଆପଣ ଏକ ଜଙ୍ଗଲ କରିଦେଲେ।” ନାରାୟଣ ହସିଲେ। କହିଲେ ,”ଦେଖ ନାରଦ, ମୁଁ ତୁମକୁ ତିନୋଟି କଥା କହିଥିଲି। ତୁମେ ଦୁଇଟି କଥା ଉପରେ ଗୁରୁତ୍ବ ଦେଲ। ହେଲେ ଶେଷ କଥାଟିକୁ ଗୁରୁତ୍ବ ଦେଲ ନାହିଁ। ହେଲେ ସେ ଚଢେଇଟି ତୁମ କଥା ଅନୁସାରେ ଗୋଟିଏ ଗୋଡ ତଳେ ଆଉ ଗୋଟେ ଉପରେ ରଖି ମୋତେ ଧ୍ୟାନ କଲା। ସେ ଯେତେ ଥର ଗୋଡ ଅଦଳବଦଳ କଲା ସେତେଥର ଗୋଟେ ଗୋଟେ ନୂଆ ଗଛ ସୃଷ୍ଟି ହେଲା।ନାରଦ ! ସବୁବେଳେ ମନେ ରଖ ଯାହାକୁ ଯାହା ଦିଆଯାଉଛି ସେ ସେତିକିରେ ସନ୍ତୁଷ୍ଟ ହେବା ଆବଶ୍ୟକ। କେବେ ହେଲେ ଦୁଃଖକୁ ଦଣ୍ଡ ବୋଲି ଭାବିବା ଉଚିତ ନୁହେଁ। ମୁଁ ଯେତେବେଳେ ଚଢେଇକୁ ଗୋଟିଏ ଗୋଡରେ ଛିଡା ହେବାକୁ କହିଥିଲି ସେତେବେଳେ ତୁମେ ଭାବିଲ ତାହା ଦଣ୍ଡ ଦିଆଗଲା ବୋଲି। ହେଲେ ସେ ଚଢେଇ ତାହାକୁ ଆଗ୍ରହରେ ଗ୍ରହଣ କରି ଧ୍ୟାନ କରି ନିଜକୁ ଭଗବାନଙ୍କ ନିକଟରେ ସମର୍ପଣ କଲା। ଫଳରେ ସେ ଯେତେଥର ଗୋଡ ଉପରକୁ ତଳକୁ କଲା ସେଥିରେ ସେତେଥର ଗୋଟିଏ ଗୋଟିଏ ଗଛ ସୃଷ୍ଟି ହେଲା। ତେଣୁ ଯିଏ ସବୁବେଳେ ସବୁ ସମୟକୁ ସାମନା କରି ଆଗ୍ରହର ସହ ତାହାକୁ ସ୍ବୀକାର କରିବ, ତାହାର କେବେ କୌଣସି ଅସୁବିଧା ହେବ ନାହିଁ।” “କ୍ଷମା କରନ୍ତୁ ପ୍ରଭୂ ! ନାରାୟଣ , ନାରାୟଣ , ନାରାୟଣ” କହି ନାରଦ ସେଠାରୁ ବିଦାୟ ନେଲେ ….