କାଶତଣ୍ଡି ଫୁଲ ଫୁଟିଲା, ମା’ଙ୍କୁ ଧରାକୁ ଡାକିଲା

ପିତୃପକ୍ଷରେ ପଶୁପକ୍ଷୀଙ୍କୁ ମାଡ଼ ମାରିବା ମହାପାତକ……

ମା’ ଦଶଭୁଜାଙ୍କ ପୂଜାର୍ଚ୍ଚନା ପାଇଁ ହାତରେ ଅଛି ଦିନ କେଇଟା । ବିଲମାଳରେ କାଶତଣ୍ଡି ଫୁଲ ଫୁଟି ମା’ ଦୂର୍ଗାଙ୍କ ଧରାବତରଣକୁ ଅପେକ୍ଷା କଲାଣି । ଦେବୀଙ୍କ ମୃଣ୍ମୟୀ ପ୍ରତିମାରେ ଶେଷ ସ୍ପର୍ଶ ଦେବା ପାଇଁ ଶିଳ୍ପୀକାରଙ୍କ ମନରେ ଅପାର ଉତ୍ସାହ । ପୂଜା ଆୟୋଜକଙ୍କ ମନରେ ଅପାର ଆନନ୍ଦ । ବ୍ୟବସାୟୀ ଗୋଷ୍ଠୀ ସତୃଷ୍ଣ ନୟନରେ ମା’ଙ୍କ ଆଗମନକୁ ଅନାଇ ରହିଛନ୍ତି । ଚଳଚଂଚଳ ହୋଇଛି ଧରାପୃଷ୍ଠ । ସକାଳ ଥିରି ଥିରି ପବନ ଦେହକୁ ଶିତେଇ ଦେଉଛି । ମନକୁ ମତୁଆଲା କରୁଛି ।
ଦେବୀପୀଠରେ ପୂଜା ଆୟୋଜନ ଚାଲିଛି । ମଣ୍ଡପରେ ସାଜସଜ୍ଜା ଚାଲିଛି । ଯଥା ସମୟରେ ସରିଯିବ । ଭଗବାନ ଶ୍ରୀଗଣେଶଙ୍କ ପୂଜା ପରଠାରୁ ଧରଣୀପୃଷ୍ଠକୁ ଓହ୍ଲାଇ ଆସନ୍ତି ଦେବତା ଦେବୀଗଣ ।

ପିତୃପକ୍ଷ ଶ୍ରାଦ୍ଧ ଆରମ୍ଭ ହୋଇଗଲାଣି । ପିତୃପୁରୁଷ ଶାନ୍ତିରେ ରହିଲେ, ପରିବାର ଉପରେ କୃପା ବର୍ଷା କରନ୍ତି । ପରିବାରକୁ ସୁଖଶାନ୍ତି ଓ ସମୃଦ୍ଧି ମିଳିଥାଏ । ଅସଜଡ଼ା କାମ ସଜାଡ଼ି ହୋଇଯାଏ । ଅଟକି ରହିଥିବା କାମ ଶେଷ ହୋଇଯାଏ । ପିତୃପୁରୁଷ ସନ୍ତୋଷ ଲାଭ କଲେ, ଦେବଦେବୀ ବରଦାନ କରନ୍ତି । ମା’ ଦୁର୍ଗା ଧରାକୁ ଅବତରଣ ପୂର୍ବରୁ ପିତୃପୁରୁଷମାନେ ଓହ୍ଲାଇ ଆସନ୍ତି । ପୁଅନାତି, ଭଣଜାଙ୍କଠାରୁ ତିଳତର୍ପଣ ପାଇବା ପାଇଁ । ଭିନ୍ନଭିନ୍ନ ରୂପରେ ପିତୃପୁରୁଷମାନେ ଧରାକୁ ଆସି ନିଜ ଲୋକଙ୍କ ଆଖପାଖରେ ଘୁରି ବୁଲୁଥାନ୍ତି ।

ତେଣୁ ଏହି ସମୟରେ ଭୋଜନ ପୂର୍ବରୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କିଛି ପ୍ରଦାନ କରିବା ଉଚିତ । ମନରେ ଅଦମ୍ୟ ଆଗ୍ରହ ରଖି ସେମାନେ ନିଜ ଲୋକଙ୍କ ପାଖକୁ ଆସିଥାନ୍ତି; ତାଙ୍କୁ କିଛି ଖାଇବାକୁ ନଦେଲେ, ମନଦୁଃଖରେ ଫେରିଯାନ୍ତି । ପିତୃପୁରୁଷଙ୍କ ମନରେ ଦୁଃଖକଷ୍ଟ ଦେଲେ, ଜୀବନସାରା ଯନ୍ତ୍ରଣା ଭୋଗିବାକୁ ପଡ଼ିଥାଏ । ଶୁଦ୍ଧମନରେ ଆପଣମାନେ ଯାହା ଦେବେ, ପିତୃପୁରୁଷ ତାକୁ ଆନନ୍ଦରେ ଗ୍ରହଣ କରିବେ । ପ୍ରଭୁ ଶ୍ରୀରାମ ବାପାଙ୍କ ଶ୍ରାଦ୍ଧ ଦେବା ପାଇଁ ଫଳ ସଂଗ୍ରହ କରିବାକୁ ଯାଇଥିଲେ । ଶ୍ରାଦ୍ଧ ଦେବାର ସମୟ ଗଡ଼ି ଯାଉଥିବାରୁ ମା’ ସୀତାଙ୍କଠାରୁ ରାଜା ଦଶରଥ ବାଲି ଆଞ୍ଜୁଳାଏ ମାଗିଲେ ।

ବାଲି ମୁଠାଏ କ’ଣ ଦେବି ଭାବି ମା’ ସୀତା ଶଶୁର ଦଶରଥଙ୍କୁ ଆଉ କ୍ଷଣେ ଅପେକ୍ଷା କରିବାକୁ ପ୍ରାର୍ଥନା କଲେ । ଦଶରଥଙ୍କ ପାଖରେ ସମୟ ଅଭାବ ଥିଲା । ତେଣୁ ସେ ବାଲି ମୁଠାଏ ନେଇ ଆନନ୍ଦରେ ଚାଲିଯିବେ ବୋଲି କହିଲେ । ଶଶୁରଙ୍କ କଥା ମାନି ମା’ ସୀତା ନଦୀବାଲିରୁ ଆଞ୍ଜୁଳାଏ ଦେଇଥିଲେ । ପିତୃପୁରୁଷଙ୍କ ଶ୍ରଦ୍ଧାର ସହିତ ଆରାଧନା କଲେ, ସବୁ ଦେବାଦେବୀଙ୍କ ଆଶୀର୍ବାଦ ମିଳିଥାଏ । ଏହି ସମୟରେ କୌଣସି ପଶୁପକ୍ଷୀଙ୍କୁ ମାଡ଼ ମାରିବା ଅକ୍ଷମଣୀୟ ଅପରାଧ । କିଏ ଜାଣେ, କୋଉ ପଶୁପକ୍ଷୀ ଭିତରେ ଆପଣଙ୍କ ପିତୃପୁରୁଷଙ୍କ ଆତ୍ମା ରହିଥିବ, ଆପଣଙ୍କଠାରୁ ମାଡ଼ ଖାଇ ଭଗ୍ନ ହୃଦୟରେ ଫେରିଗଲେ; ତାଙ୍କ ଆଶୀର୍ବାଦ ପାଇବା ପାଇଁ ଆପଣଙ୍କୁ କେତେ ବର୍ଷ ଅପେକ୍ଷା କରିବାକୁ ପଡ଼ିବ?