ପ୍ରାଣୀ ନିଜକୁ କର୍ମ ବନ୍ଧନ ଓ ଜନ୍ମ ବନ୍ଧନରୁ ମୁକ୍ତ କରିବାର ତତ୍ତ୍ଵ

ବାକ୍, ପାଦ, ପାଣି , ପାୟୁ ଓ ଉପସ୍ଥ ଆଦି ପାଞ୍ଚ କର୍ମେନ୍ଦ୍ରିୟ, ଚକ୍ଷୁ , କର୍ଣ୍ଣ , ନାଶା, ଜିହ୍ୱା ଓ ତ୍ଵକ୍ ଆଦି ପାଞ୍ଚ ଜ୍ଞାନେନ୍ଦ୍ରିୟ , ଶବ୍ଦ , ସ୍ପର୍ଶ, ରୂପ,ରସ ଓ ଗନ୍ଧ ଆଦି ପାଞ୍ଚ ବିଷୟ ଏବଂ ମନ ଏହି ଷୋହଳ ତତ୍ତ୍ଵକୁ ନେଇ ଏକାକୀ ଜୀବ ସକଳ ପ୍ରକାର ବିଷୟ ଭୋଗ କରିଥାଏ। ତମଗୁଣଯୁକ୍ତ ହୋଇ ଦେହାଭିମାନ ଓ ଅହଙ୍କାର କରିବା ଯୋଗୁ ସତ୍କର୍ମ ନ କରି ଜୀବ ନିଜର ଦୁର୍ଲଭ ମାନବଜନ୍ମକୁ ବିଅର୍ଥରେ ନଷ୍ଟ କରିଦେଇଥାଏ।ପଞ୍ଚ କର୍ମେନ୍ଦ୍ରିୟ,ପଞ୍ଚ ଜ୍ଞାନେନ୍ଦ୍ରିୟ ,ପଞ୍ଚ ବିଷୟ ଓ ମନ ଏହି ଷୋଡ଼ଶ ତତ୍ତ୍ଵ ଓ ସତ୍ତ୍ଵ, ରଜ ଓ ତମ ଏହି ତିନି ଗୁଣ , ମହତତ୍ତ୍ଵ ଓ ଅହଙ୍କାର ଆଦିକୁ ନେଇ ଜୀବର ଲିଙ୍ଗଶରୀର ତାକୁ ବାରମ୍ବାର ଜନ୍ମ ମୃତ୍ୟୁ ଚକ୍ରରେ ପକାଇଥାଏ ସେହି ଜନ୍ମମୃତ୍ୟୁ ଚକ୍ରରେ ପଡ଼ି ବାରମ୍ବାର ଶରୀର ଧାରଣ କରି ଜୀବ ସୁଖ ଓ ଦୁଃଖ ଭୋଗ କରିଥାଏ।

ରେଶମପୋକ ଯେପରି ନିଜେ କୋଷ ବା ଖୋଷା ତିଆରି କରି ସେହି କୋଷ ବା ଖୋଷା ଭିତରେ ନିଜେ ବାନ୍ଧି ହୋଇ ଯାଇଥାଏ ଜୀବ ସେହିପରି ଅଜ୍ଞାନତା ଯୋଗୁ କାମ, କ୍ରୋଧ, ଲୋଭ, ମୋହ, ମଦ ଓ ମାତ୍ସର୍ଯ୍ୟ ଆଦି ଷଡରିପୁ ମାନଙ୍କୁ ଜୟ କରି ନ ପାରିବାରୁ ବିଷୟ ବାସନାର ବଶବର୍ତ୍ତୀ ହୋଇ ବିପରୀତ କର୍ମ ଅର୍ଥାତ୍ ଆତ୍ମବନ୍ଧକ କର୍ମମାନ କରି ନିଜକୁ ନିଜ କର୍ମ ବନ୍ଧନରେ ବାନ୍ଧି ଦେଇଥାଏ। ଏହିପରି ଭାବରେ ଜୀବ ସାଂସାରିକ ବିଷୟବାସନାରେ ମୋହିତ ହୋଇ ଆତ୍ମବନ୍ଧକ କର୍ମ କରିବା ଦ୍ଵାରା କର୍ମ ବନ୍ଧନରେ ବାନ୍ଧି ହୋଇ ନିଜର ମୁକ୍ତିର ପଥକୁ ନିଜେ ଅବରୋଧ କରିଥାଏ।

ଲୋଭ , ମୋହ ଆଦି ଷଡ଼ରିପୁଙ୍କ ଦ୍ଵାରା କବଳିତ ହୋଇଥିବା ଜୀବ ବିଷୟ ବାସନାର ବଶବର୍ତ୍ତୀ ହୋଇ ଆତ୍ମବନ୍ଧକ କର୍ମମାନ କରିବା ଯୋଗୁ କର୍ମ ବନ୍ଧନରେ ବାନ୍ଧି ହୋଇ ନିଜର ମୁକ୍ତିର ପଥକୁ ନିଜେ ଅବରୋଧ କରିଥାଏ। ତେଣୁ ଜନ୍ମମୃତ୍ୟୁ ଚକ୍ରରେ ପଡ଼ି ବାରମ୍ବାର ଶରୀର ଧାରଣ କରି ସାଂସାରିକ ଦୁଃଖ ଯନ୍ତ୍ରଣା ଭୋଗ କରିବା ପାଇଁ ଜୀବର ନିଜ କର୍ମ ହିଁ ଦାୟୀ ଅଟେ। ସେଥିପାଇଁ ବିଷୟାଭିମୁଖୀ ହୋଇ ଆତ୍ମବନ୍ଧକ କର୍ମମାନ କରିବା ପରିବର୍ତ୍ତେ ଅହଙ୍କାର ଛାଡ଼ି ମନକୁ ଈଶ୍ଵରାଭିମୁଖୀ କରିବା ସହିତ ପ୍ରଭୁଙ୍କର ସନ୍ତୋଷ ନିମନ୍ତେ ସମର୍ପିତ ଭାବେ କର୍ମମାନ କଲେ ପ୍ରାଣୀ ନିଜକୁ କର୍ମ ବନ୍ଧନ ଓ ଜନ୍ମ ବନ୍ଧନରୁ ମୁକ୍ତ କରିବା ସହ ନିଜର ମୁକ୍ତିର ପଥକୁ ନିଜେ ଉନ୍ମୁକ୍ତ କରିଦେଇ ପାରିବ।