ଏସିଆ କପ୍‌ କ୍ରିକେଟ୍‌: ପାକିସ୍ତାନରେ କୌଣସି ମ୍ୟାଚ୍‌ ଖେଳିବନି ଭାରତ

ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧୭ ତାରିଖ ମଧ୍ୟରେ ଏସିଆ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହେବ । ଶ୍ରୀଲଙ୍କା ଓ ପାକିସ୍ତାନରେ ଟୁର୍ଣ୍ଣାମେଂଟର ଆୟୋଜନ କରାଯାଇଥିଲା ବେଳେ ଭାରତ ପାକିସ୍ତାନ ମାଟିରେ କୌଣସି ମ୍ୟାଚ୍‌ ଖେଳିବ ନାହିଁ ବୋଲି ଜଣାଇ ଦେଇଛି । ପାକିସ୍ତାନରେ କେବଳ ଚାରିଟି ମ୍ୟାଚ୍‌ ଖେଳାଯିବ । ଶ୍ରୀଲଙ୍କାରେ ୯ଟି ମ୍ୟାଚ୍‌ ଖେଳାଯିବ । ଫାଇନାଲ ମ୍ୟାଚ୍‌ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ ।

ସୂଚନା ମୁତାବକ ଗ୍ରୁପ ଷ୍ଟେଜରେ ଭାରତ-ପାକିସ୍ତାନ ଓ ଭାରତ-ନେପାଳ ମଧ୍ୟରେ ମୁକାବିଲା ହେବ । ଦୁଇଟି ଗ୍ରୁପର ଟପ୍‌-୨ ସ୍ଥାନରେ ଥିବା ଦଳ ସୁପର-୪ରେ ସ୍ଥାନ ପାଇବେ । ସୁପର-୪ର ସବୁ ମ୍ୟାଚ୍‌ ଓ ଫାଇନାଲ ମୁକାବିଲା ଶ୍ରୀଲଙ୍କାରେ ହେବ ।

ଗ୍ରୁପ ଷ୍ଟେଜର ଚାରିଟି ମୁକାବିଲା ପାକିସ୍ତାନରେ ଖେଳାଯିବ । ଗୋଟିଏ ଗ୍ରୁପର ପାକିିସ୍ତାନ-ନେପାଳ, ଅନ୍ୟ ଗୋଟିଏ ଗ୍ରୁପର ଆଫଗାନିସ୍ତାନ-ବାଂଲାଦେଶ, ଆଫଗାନିସ୍ତାନ-ଶ୍ରୀଲଙ୍କା ଓ ବାଂଲାଦେଶ-ଶ୍ରୀଲଙ୍କା ମ୍ୟାଚଗୁଡ଼ିକ ପାକିସ୍ତାନରେ ଅନୁଷ୍ଠିତ ହେବ । କେଉଁ ମ୍ୟାଚ୍‌ କୋଉ ସହରରେ ଅନୁଷ୍ଠିତ ହେବ, ସେ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନି ।