ଅଷ୍ଟ୍ରେଲିଆ ହାତକୁ ବିଶ୍ୱକପ୍‌ ଟେକି ଦେଇଛି ଭାରତ

ଚଳିତ ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ହାତକୁ ବିଶ୍ୱକପ୍‌ ଟେକି ଦେଇଛି ଭାରତ । ଫାଇନାଲ ମ୍ୟାଚ୍‌ ଦେଖିଲେ ଠିକ୍‌ ସେମିତି ମନେ ହେଉଥିଲା । ଭାରତକୁ ୬ ୱିକେଟ୍‌ ବ୍ୟବଧାନରେ ହରାଇବା ଅଷ୍ଟ୍ରେଲିଆ ପାଇଁ ସତେ ଯେପରି ବାମ ହାତର ଖେଳ ଥିଲା । ଭାରତର ପ୍ରଥମ ତିନୋଟି ୱିକେଟ୍‌ ଏପରି ଭାବେ ପଡ଼ିଆରୁ ବିଦାୟ ନେଲେ ସତେ ଯେମିତି ହାରିବା ପାଇଁ ପୂର୍ବରୁ ଯୋଜନା କରାଯାଇଛି ।

ରବିବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକମାନେ ଭାରତ ନିକଟରୁ ଏପରି ପରାଜୟ ଆଶା କରି ନଥିଲେ । ଗୋଟିଏ ଦିନ ରାତି ରହଣି ପାଇଁ ଦର୍ଶକମାନେ ହୋଟେଲକୁ ଗଣିଥିଲେ ୨ ଲକ୍ଷ ଟଙ୍କା । ଷ୍ଟାଡିୟମରେ ବସି ବିରାଟଙ୍କ ବ୍ୟାଟ୍‌ର କୁହୁକ ଦେଖିବା ପାଇଁ ଦର୍ଶକମାନେ ଟିକେଟ୍‌ ପିଛା ଦେଢ଼ଲକ୍ଷ ଟଙ୍କା ଦେଇ କିଣିଥିଲେ । ଭାରତ ଜିତାପଟ ହାସଲ କରିଥିଲେ, ଦର୍ଶକଙ୍କ ପାଣି ଭଳି ଖର୍ଚ୍ଚ କରିଥିବା ଟଙ୍କାର ମୂଲ୍ୟ ରହିଥାନ୍ତା । ବିଧିର ବିଧାନ ବଡ଼ ବିଚିତ୍ର ।

ଚଳିତ ବିଶ୍ୱକପ୍‌ ସେମି ଫାଇନାଲ ପର୍ଯ୍ୟନ୍ତ ଭାରତର ଖେଳ ଚିତାକର୍ଷକ ଥିଲା । କୌଣସିଟି ମ୍ୟାଚରେ ଭାରତ ହାରି ନଥିଲା । ମାତ୍ର ଚଳିତ ବିଶ୍ୱକପ୍‌ ୨୦୦୩ ପରାଜୟକୁ ତାଜା କରିଥିଲା । ୨୦ ବର୍ଷ ତଳେ ଭାରତକୁ ଜୋହାନ୍ସବର୍ଗ ଷ୍ଟାଡିୟମରେ ୧୨୫ ରନ୍‌ ବ୍ୟବଧାନରେ ପରାସ୍ତ କରିଥିଲା ଅଷ୍ଟ୍ରେଲିଆ ।
ଟସ୍‌ ହାରି ଭାରତ ବ୍ୟାଟିଂ କରିବାକୁ ଯାଇ ୨୪୦ ରନ୍‌ରେ ସବୁ ୱିକେଟ୍‌ ହରାଇଥିଲା । ବିଜୟ ପାଇଁ ଅଷ୍ଟ୍ରେଲିଆକୁ ଦରକାର ଥିଲା ୨୪୧ ରନ୍‌ । ଅଷ୍ଟ୍ରେଲିଆ ପାଇଁ ୨୪୧ ରନ୍‌ ସେତେ କଷ୍ଟକର ନଥିଲା । ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ଟ୍ରେବିସ୍‌ ହେଡ୍‌ ୧୩୭ ରନ୍‌ ହାସଲ କରିଥିଲେ । ମାର୍ନସ ଲାବୁଶେନ୍‌ ଅପରାଜିତ ୫୮ ରନ୍‌ କରିଥିଲେ । ମିଚେଲ ଷ୍ଟାର୍କ ତିନୋଟି ୱିକେଟ୍‌ ଅକ୍ତିଆର କରିଥିଲେ । ଅଧିନାୟକ ପେଟ୍‌ କମିନ୍ସ ଓ ଜୋଶ ହେଜଲଉଡ୍‌ଙ୍କୁ ଦୁଇଟି ଲେଖାଏଁ ୱିକେଟ୍‌ ମିଳିଥିଲା । ଟ୍ରେବଲ ହେଡ୍‌ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଘୋଷିତ ହୋଇଥିଲେ ।