କ୍ରିକେଟ ଲାଗି ନିଜ ବାହାଘର ସ୍ଥଗିତ କରିଥିଲେ ପାଟିଦାର

ଆଇପିଏଲ-୨୦୨୨ରେ ରଜତ ପାଟିଦାର ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିପାରିଛନ୍ତି । ସେ ୫୪ ବଲରେ ୧୧୨ ରନ କରି….

ମୁମ୍ବାଇ: ଆଇପିଏଲ-୨୦୨୨ରେ ରଜତ ପାଟିଦାର ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିପାରିଛନ୍ତି । ସେ ୫୪ ବଲରେ ୧୧୨ ରନ କରି ଆରସିବିକୁ କ୍ୱାଲିଫାୟରରେ ପହଞ୍ଚାଇଥିଲେ । ପାଟିଦାରଙ୍କ ଏହି ବିସ୍ଫୋରକ ଇନିଂସକୁ ଆରିସିବି ସବୁଦିନ ପାଇଁ ମନେ ରଖିବ । କାରଣ ଏହି ଇନିଂସ ପାଇଁ ପାଟିଦର ଅନେକ କିଛି ତ୍ୟାଗ କରିଛନ୍ତି । ଏସବୁ ଭିତରେ ପାଟିଦାରଙ୍କୁ ନେଇ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ସେ ଆଇପିଏଲ ପାଇଁ ନିଜ ବାହାଘରକ ସ୍ଥଗିତ ରଖିବାକୁ ପଛାଇ ନଥିଲେ । ଆଇପିଏଲ ମେଗା ନିଲାମରେ ତାଙ୍କୁ କୌଣସି ଦଳ ନ କିଣିବାରୁ ଘର ଲୋକ ତାଙ୍କର ବାହାଘର ଠିକ କରିଥିଲେ ।

ମେ’ ମାସରେ ପାଟିଦାର ହାତକୁ ଦି’ ହାତ ହେବାର ଥିଲା । ଫେବୃଆରୀରେ ହୋଇଥିବା ମେଗା ନିଲାମ ପୂର୍ବରୁ ଆରସିବି ତାଙ୍କୁ ରିଟେନ କରି ନଥିଲା । କିନ୍ତୁ ଦଳ ତାଙ୍କୁ କିଣିବାକୁ କୌଣସି ଆଗ୍ରହ ଦେଖାଇ ନଥିଲା । ଏଥିଯୋଗୁ ତାଙ୍କୁ ବାହାଘର ମେ’ ମାସରେ ଠିକ ହୋଇଥିଲା । କିନ୍ତୁ ଆରସିବି ଦଳର ଲବନୀତ ସିସୋଦିୟା ଆହତ ହେବାରୁ ଆଇପିଏଲର ଠିକ ପୂର୍ବରୁ ଆରସିବି ପାଟିଦାରଙ୍କୁ ଯୋଗାଯୋଗ କରିଥିଲା । ଏଥିସହ ୨୦ ଲକ୍ଷ ଟଙ୍କାରେ ତାଙ୍କୁ କିଣିଥିଲା । ତେଣୁ ସେ ବାହାଘର ପୂର୍ବରୁ ଆଇପିଏଲ ଖେଳିବା ପାଇଁ ମୁମ୍ବାଇ ଚାଲି ଆସିଥିଲେ । ଫଳରେ ତାଙ୍କ ବାହାଘର ସ୍ଥଗିତ ରହିଥିଲା ।