ଟେଷ୍ଟରେ ପୂଜାରା-ରାହାଣେଙ୍କ ସ୍ଥାନ ମିଳିଲାନି

ନୂଆଦିଲ୍ଲୀ : ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ଆଜିଙ୍କ୍ୟ ରାହାଣେ-ଚେତେଶ୍ୱର ପୂଜାରାଙ୍କୁ ଦଳରେ ସ୍ଥାନ ମିଳିନାହିଁ । ଉଭୟ ଖେଳାଳି ବର୍ତ୍ତମାନ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ପୂଜାରା-ରାହାଣେଙ୍କ ବ୍ୟତୀତ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଓ ଋଦ୍ଧିମାନ ଶାହଙ୍କୁ ମଧ୍ୟ ଟେଷ୍ଟ ଦଳରୁ ବାଦ ଦିଆଯାଇଛି । ଏନେଇ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା କହିଛନ୍ତି ଯେ, ଭାରତ ଆନୁଷ୍ଠାନିକ ଭାବେ ଟ୍ରାଞ୍ଜିସନ ପର୍ଯ୍ୟାୟରେ ପ୍ରବେଶ କରି ସାରିଛି । ଟେଷ୍ଟ ଦଳରେ ରାହାଣେ, ପୂଜାରା, ଇଶାନ୍ତ ଏବଂ ଶାହଙ୍କୁ ବାଦ ଦିଆଯାଇଛି ।

ସେହିପରି ବର୍ତ୍ତମାନ ହନୁମା ବିହାରୀ, ଗିଲ୍‌ ଏବଂ ଶ୍ରେୟସଙ୍କୁ ଦଳରେ ଆଣିବାର ସମୟ ଆସିଛି । ଅନ୍ୟପକ୍ଷରେ ସେ କହିଛନ୍ତି ଯେ, ଆମେ ପୂଜାରା-ରାହାଣେ-ଶାହ ଓ ଇଶାନ୍ତଙ୍କୁ ରଣଜୀ ଟ୍ରଫି ଖେଳିବାକୁ ଅନୁରୋଧ କରିଛୁ । ମୁଁ ଆଶା କରୁଛି ଆପଣମାନେ ରନ କରିବେ ଓ ୱିକେଟ୍‌ ନେବେ ଏବଂ ପୁଣି ଥରେ ଦେଶ ପାଇଁ ଖେଳିବେ ବୋଲି ମୁଖ୍ୟ ଚୟନକର୍ତ୍ତା କହିଛନ୍ତି ।