ଅକ୍ଟୋବର ୬ରେ ଟିମ ଇଣ୍ଡିଆର ଅଷ୍ଟ୍ରେଲିଆ ଯାତ୍ରା

ଅକ୍ଟୋବର ୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ସମାପ୍ତ ହେବ……

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱ କପ ପାଇଁ ଭାରତୀୟ ଦଳର ଘୋଷଣା ହୋଇ ସାରିଛି । ଭାରତୀୟ ଦଳ ଏବେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଖେଳିବ । ଏହା ପରେ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ବିଶ୍ୱ କପ ଦଳ ଅକ୍ଟୋବର ୬ରେ ଅଷ୍ଟ୍ରେଲିଆ ଗସ୍ତ କରିବ ବୋଲି କୁହାଯାଉଛି । ଅକ୍ଟୋବର ୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ସମାପ୍ତ ହେବ ।

ଏହା ପରେ ଭାରତୀୟ ଦଳ ବିଶ୍ୱ କପ ପାଇଁ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିବ । ଟି-୨୦ ବିଶ୍ୱ କପ୍‌ ଦଳରେ ସାମିଲ ଖେଳାଲି ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜର ଅଂଶ ହେବେ ନାହିଁ । ତେଣୁ ଏହି ଦଳ ଶୀଘ୍ର ଅଷ୍ଟ୍ରେଲିଆରେ ପହଞ୍ଚିବାର ସମ୍ଭାବନା ରହିଛି । ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳ ସହିତ ଷ୍ଟାଣ୍ଡବାଇ ଖେଳାଳି ମଧ୍ୟ ଅଷ୍ଟ୍ରେଲିଆ ଯାତ୍ରା କରିବେ ।

ଟି-୨୦ ବିଶ୍ୱ କପ ପାଇଁ ଭାରତୀୟ ଦଳ ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ(ୱିକେଟ କିପର), ଦିନେଶ କାର୍ତ୍ତିକ(ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂହ । ଷ୍ଟାଣ୍ଡବାଇ ଖେଳାଳି– ମହମ୍ମଦ ଶାମି, ଶ୍ରେୟସ ଆୟର, ରବି ବିଷ୍ନୋଇ, ଦୀପକ ଚହର ।