ଆଳୁ-ପିଆଜ ବିକ୍ରି ଭଳି ଅଧିନାୟକ ପଦ ବାଣ୍ଟୁଛି ବିସିସିଆଇ

ଇଣ୍ଡିଜ ବିପକ୍ଷ ୩ଟିକିଆ ଦିନିକିଆ ସିରିଜ ପାଇଁ ରୋହିତ ଶର୍ମା, ବିରାଟ କୋହଲି, ଜଶପ୍ରୀତ ବୁମରାହ, ମହମ୍ମଦ ସାମି ଏବଂ ଋଷଭ ପନ୍ତଙ୍କୁ…

ନୂଆଦିଲ୍ଲୀ : ବର୍ଷକରେ ୮ ଜଣ ଅଧିନାୟକ । ଟିମ ଇଣ୍ଡିଆରେ ଆଳୁ-ପିଆଜ ବିକ୍ରି କରିବା ଭଳି ଅଧିନାୟକ ପଦ ବାଣ୍ଟୁଛି ଭାରତ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) । ୨୦୨୧ ଟି-୨୦ ବିଶ୍ୱକପ ପରେ ବିରାଟ କୋହଲି ଏହି ଫର୍ମାଟରେ ଅଧିନାୟକ ପଦ ଛାଡିଥିଲେ । କିନ୍ତୁ ସେ ଅଧିନାୟକ ପଦରୁ ଯିବା ପରେ ଏବେ ବିସିସିଆଇ ୩ଟି ଯାକ ଫର୍ମାଟରେ ୭ ଜଣ ଅଧିନାୟକ ବଦଳାଇସାରିଲାଣି ।

ଶିଖର ଧାୱନଙ୍କୁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜ ପାଇଁ ଅଧିନାୟକ କରାଯାଇଛି । ୭ ଜଣ ଅଧିନାୟକ ବଦଳାଇବା ପରେ ଏବେ ସୋସିଆଲ ମିଡିଆରେ ଟ୍ରୋଲ ହେବାରେ ଲାଗିଛି ବିସିସିଆଇ । କୋହଲି ଛାଡିବା ପରେ ରୋହିତ ଶର୍ମାଙ୍କୁ ୩ଟି ଯାକ ଫର୍ମାଟରେ ଅଧିନାୟକ ଭାର ମିଳିଥିଲା । ତେବେ ନିକଟରେ ଶେଷ ହୋଇଥିବା ଦକ୍ଷିଣ ଆଫ୍ରିକା ସିରିଜରେ ରୋହିତ ଆହତ କାରଣରୁ ବାଦ ପଡିବା ପରେ ରାହୁଲଙ୍କୁ ଅଧିନାୟକ କରାଯାଇଥିଲା । କିନ୍ତୁ ସେ ମଧ୍ୟ ଶେଷ ମୁହୁର୍ତ୍ତରେ ଆହତ ସମସ୍ୟା କାରଣରୁ ବାଦ ପଡିଥିଲେ । ତାଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ମଙ୍ଗ ଧରାଇଥିଲା ବିସିସିଆଇ ।

ଏହା ପରେ ଭାରତୀୟ ଦଳ ୨ ଟିକିଆ ଟି-୨୦ ସିରିଜ ପାଇଁ ଆୟର୍ଲାଣ୍ଡ ଗସ୍ତ କରିଥିଲା । ଯେଉଁଥିରେ ଅଧିନାୟକ ଭାର ସମ୍ଭାଳିଥିଲେ ହାର୍ଦ୍ଧିକ ପାଣ୍ଡ୍ୟା । ପରେ ଜୁଲାଇ ୧ରେ ଇଂଲଣ୍ଡରେ ଖେଳାଯାଇଥିଲା ଟେଷ୍ଟ ମ୍ୟାଚ । ସେଥିରେ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ୫ମ ଟେଷ୍ଟରେ ଅଧିନାୟକ ହୋଇଥିଲେ ସୁଦ୍ଧା ମ୍ୟାଚ ହାରିଥିଲା ଭାରତ । ଏବେ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବାକୁ ଥିବା ଟିମ ଇଣ୍ଡିଆର ନୂଆ ଅଧିନାୟକ ହୋଇଛନ୍ତି ଶିଖର ଧାୱନ ।

ଇଣ୍ଡିଜ ବିପକ୍ଷ ୩ଟିକିଆ ଦିନିକିଆ ସିରିଜ ପାଇଁ ରୋହିତ ଶର୍ମା, ବିରାଟ କୋହଲି, ଜଶପ୍ରୀତ ବୁମରାହ, ମହମ୍ମଦ ସାମି ଏବଂ ଋଷଭ ପନ୍ତଙ୍କୁ ବିଶ୍ରାମ ଦିଆଯାଇଛି । ତେଣୁ ଧାୱନଙ୍କ କାନ୍ଧରେ ମଙ୍ଗୁଆଳ ଦାୟିତ୍ୱ ଦେଇଛି ବିସିସିଆଇ । ଏହିପରି ଭାବେ ଗତ ୫ ମାସ ମଧ୍ୟରେ ୭ ଜଣ ଅଧିନାୟକ ନିଯୁକ୍ତି କରିସାରିଲାଣି ବିସିସିଆଇ ।