କଙ୍ଗନାଙ୍କର ହେବକି ଡ୍ରଗ୍ସ ପରୀକ୍ଷା ?

ମୁମ୍ବାଇ : କଙ୍ଗନା ରାଣାୱତଙ୍କ ବିରୋଧରେ ଡ୍ରଗ୍ସ ନେଉଥିବା ଅଭିଯୋଗ । ଫିଲ୍ମ ମାଫିଆଙ୍କ ବିରୋଧରେ ଡ୍ରଗ୍ସ ନେଉଥିବା ଅଭିଯୋଗ ଆଣିଥିଲେ କଙ୍ଗନା। ଏବେ ତାଙ୍କ ବିରୋଧରେ ଡ୍ରଗ୍ସ ନେଉଥିବା ଅଭିଯୋଗ ଆଣିଛନ୍ତି ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ । ଆଉ ଏହାର ତଦନ୍ତର ଭାର ମୁମ୍ବାଇ ପୁଲିସକୁ ଦେଇଛନ୍ତି ମହାରାଷ୍ଟ୍ର ସରକାର ।

ଏହି ଘଟଣାର ତଦନ୍ତ ପାଇଁ ମୁମ୍ବାଇ ପୁଲିସ ମହାରାଷ୍ଟ୍ର ସରକାରଙ୍କଠାରୁ ଏକ ସରକାରୀ ଚିଠି ପାଇଛି। ତେବେ ଏହି ମାମଲାର ତଦନ୍ତ ଏସଆଇଟି କି ଆଣ୍ଟି ନାର୍କୋଟିକ୍ସ ସେଲ୍ କରିବ, ସେନେଇ ଏଯାବତ ମୁମ୍ବାଇ ପୁଲିସ କାୖଣସି ନିଷ୍ପତ୍ତି ନେଇ ନାହିଁ।

ଗୃହମନ୍ତ୍ରୀ ଅନିଲ ଦେଶମୁଖ କଙ୍ଗନାଙ୍କ ପୂର୍ବ ପ୍ରେମିକ ଅଧ୍ୟୟନ ସୁମନଙ୍କ ଏକ ପୁରୁଣା ସାକ୍ଷାତକାରକୁ ଆଧାର କରି କଙ୍ଗନା ଡ୍ରଗ୍ସ ନେଉଥିବା ଦାବି କରିଛନ୍ତି। ସାକ୍ଷାତକାରରେ ଅଧ୍ୟୟନ ସୁମନ ଦାବି କରିଥିଲେ ଯେ, କଙ୍ଗନା କୋକେନ ନେବା ସହ ତାଙ୍କୁ ମଧ୍ୟ ଜୋରଜବରଦସ୍ତ ଡ୍ରଗ୍ସ ଦେଇଥିଲେ।

ଅନ୍ୟପଟେ ମହାରାଷ୍ଟ୍ର ସରକାରଙ୍କ ଏଭଳି ଦାବି ଉପରେ କଙ୍ଗନା ନିଜର ପ୍ରତିକ୍ରିୟା ରଖିଛନ୍ତି । କଙ୍ଗନା ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ , ଦୟାକରି ମୋର ଡ୍ରଗ୍ସ ପରୀକ୍ଷା କରନ୍ତୁ, ଆଉ ମୋର କଲ୍ ରେକର୍ଡ ଯାଞ୍ଚ କରନ୍ତୁ। ଯଦି ଡ୍ରଗ୍ ମୁଁ ନେଉଥିବା ଜଣାପଡେ କିମ୍ବା ବେପାରୀଙ୍କ ସହ ମୋର ସଂପର୍କ ଥାଏ , ତେବେ ମୁଁ ମୋର ଭୁଲ୍ ଗ୍ରହଣ କରିବି ଏବଂ ମୁମ୍ବାଇକୁ ସବୁଦିନ ପାଇଁ ଛାଡିଦେବି ବୋଲି କହିଛନ୍ତି ।


ଏପଟେ ଦିନକୁ ଦିନ କଙ୍ଗନା ରାଣାୱତ ଓ ମହାରାଷ୍ଟ୍ର ସରକାର ମଧ୍ୟରେ ବିବାଦ ବଢୁଛି । ଏଭଳି ସ୍ଥିତିରେ ଅଭିଯୋଗକୁ ଆଧାର କରି କଙ୍ଗନାଙ୍କ ହେବକି ଡ୍ରଗ୍ସ ପରୀକ୍ଷା , ସତ ହେବ କି ପ୍ରେମିକ ଅଧ୍ୟୟନ ସୁମନଙ୍କ ଦାବି, ଏଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଯାହା କଙ୍ଗନାଙ୍କ ମୁମ୍ବାଇ ରହଣୀର ଭାଗ୍ୟ ନିର୍ଦ୍ଧାରଣ କରିବ ।