୪୨୦ କେଜି ଗଞ୍ଜେଇ ଜବତ, ବଜାର ମୂଲ୍ୟ ୨୦ ଲକ୍ଷ

ଭୁବନେଶ୍ୱର(ଏସ୍‌ ନ୍ୟୁଜ): ସମଗ୍ର ରାଜ୍ୟ କରୋନା ମହାମାରୀ ସହ ଲଢ଼ୁଥିବା ବେଳେ ବେଆଇନ ଧନ୍ଦା ମଧ୍ୟ ଭିତିରିଆ ଚାଲିଛି । ଆନ୍ତଃରାଜ୍ୟ ଚୋରା ଚାଲାଣ ବେଳେ ଆଜି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ପୋଲିସ ୪୨୦ କେଜି ଗଞ୍ଜେଇ ଜବତ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୭ଟା ବେଳେ ବେତନଟୀ ଥାନା ପୁଲିସ୍ ଏକ ପିକଅପ୍ ଭ୍ୟାନକୁ ସନ୍ଦେହରେ ଅଟକାଇଥିଲା । ସେଥିରେ କେତେୋଟି ପାର୍ସଲ୍ ଥିବା ଦେଖିବାକୁ ପାଇଥିଲା ପୁଲିସ୍ । ପାର୍ସଲରେ କଣ ଅଛି ବୋଲି ପ୍ରଶ୍ନ କରିବା ବେଳେ ଉଭୟ ଗାଡ଼ି ଚାଳକ ଓ ହେଲ୍ପର ଖସି ପଳାଇବାକୁ ଉଦ୍ୟମ କରିଥିଲେ । ପାର୍ସଲରୁ ବିପୁଳ ପରିମାଣର ଗଞ୍ଜେଇ ମିଳିବା ପରେ ପୋଲିସ ସେ ଦୁଇ ଜଣଙ୍କୁ ଗିରଫ କରିଛି ।

ଗାଡ଼ିରେ ପ୍ରାୟ ୪୨୦ କିଲୋଗ୍ରାମ ଓଜନର ଗଞ୍ଜେଇ ଥିବା ଜଣାଯାଇଛି । ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୦ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି କୁହାଯାଉଛି ।