ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରେ କୋଭିଡର ଭାରିଏଣ୍ଟ ଓମିକ୍ରନ ସାରା ଦେଶରେ ଚହଳ ପକାଇଛି । ଏହି ନୂଆ ଭାରିଏଣ୍ଟ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଜରୁରୀକାଳୀନ ବୈଠକ କରିଛନ୍ତି । ଏହି ବୈଠକରେ ଅନ୍ତର୍ଜାତୀୟ ବିମାନ ଉଡାଣ ନେଇ ନିଷ୍ପତ୍ତିର ସମୀକ୍ଷା କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ବିଦେଶରୁ ଆସୁଥିବା ଯାତ୍ରୀଙ୍କୁ ଯାଞ୍ଚ କରିବାକୁ ସେ କହିଛନ୍ତି । ଯେଉଁ ଦେଶରେ ଏହି ଭାରିଏଣ୍ଟର ବିପଦ ଅଧିକ ରହିଛି, ସେଠାରୁ ଆସୁଥିବା ଯାତ୍ରୀଙ୍କ ଉପରେ ଧ୍ୟାନ ଦେବାକୁ କହିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ଉଚ୍ଚ଼ପଦସ୍ଥ ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ ସହ ମିଶି କାମ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏହି ଭାରିଏଣ୍ଟକୁ ନେଇ ଦେଶରେ ଜିଲ୍ଲାସ୍ତରରେ ସଚେତନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକାରେ କରୋନାର ନୂତନ ଭାରିଏଣ୍ଟ ଓମିକ୍ରନର ପ୍ରକୋପକୁ ଦୃଷ୍ଟିରେ ରଖି ଅନେକ ଦେଶ ବିମାନ ଉଡାଣ ଉପରେ କଟକଣା ଜାରି କରିବା ସହ ପ୍ରତିବନ୍ଧକ ଲଗାଇଛନ୍ତି । ଦକ୍ଷିଣ ଆଫ୍ରିକା କରୋନାର ଏହି ନୂତନ ଭାରିଏଣ୍ଟ ଓମିକ୍ରନ ଦ୍ରୁତଗତିରେ ଅଧିକ ସଂକ୍ରାମକ ଏବଂ ବିପଦଜ୍ଜନକ ବୋଲି କୁହାଯାଉଛି ।