ମୋର ଫେସବୁକ୍ ନାହିଁ: ଟାଇଗର ରାଜା

ନୂଆଦିଲ୍ଲୀ: ତେଲେଙ୍ଗାନା ବିଧାନସଭାର ଏକମାତ୍ର ବିଜେପି ବିଧାୟକ ଟାଇଗର ରାଜା ସିଂଙ୍କ ଉପରେ ଫେସବୁକ୍ ପ୍ରତିବନ୍ଧକ ଲଗାଇଛି। ଖବରଟି ଦେଶବ୍ୟାପୀ ଚର୍ଚ୍ଚାକୁ ଆସିଥିବା ବେଳେ ଘୃଣା ଓ ହିଂସା ଉଦ୍ରେକକାରୀ କଥାବସ୍ତୁ ପ୍ରସାର କରିଥିବା ହେତୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଫେସବୁକ୍ ମୁଖପାତ୍ର କହିଛନ୍ତି। ଯାହାକୁ ଅପ୍ରାସଙ୍ଗୀକ ବୋଲି କହିଛନ୍ତି ରାଜା।

ରାଜା ଟ୍ୱିଟରରେ ଲେଖିଛନ୍ତି ଯେ, ମୁଁ ଗଣମାଧ୍ୟମରୁ ଜାଣିବାକୁ ପାଇଲି କି ମୋର ବିବାଦୀୟ ବକ୍ତବ୍ୟଗୁଡ଼ିକ ପାଇଁ ଫେସବୁକ୍ ପକ୍ଷରୁ ମୋତେ ବ୍ୟାନ୍ କରାଯାଇଛି। ଏନେଇ ମୁଁ ସ୍ପଷ୍ଟ କରିବାକୁ ଚାହେଁ ଯେ ୨୦୧୯ ଏପ୍ରିଲ ପରଠୁ ମୁଁ ଫେସବୁକ୍ ବ୍ୟବହାର କରିନାହିଁ। ତେଣୁ, ମୋତେ ବ୍ୟାନ୍ କରାଯିବା କିଛି ପ୍ରାସଙ୍ଗିକ ଲାଗୁନି।

All set for Sita-Rama Shoba Yatra: Raja Singh | The Rahnuma Daily

ପ୍ରମାଣ ସ୍ୱରୂପ ସେ ୨୦୧୮ ଏବଂ ୨୦୧୯ର ଦୁଇଟି ପୋଷ୍ଟକୁ ଉଲ୍ଲେଖ କରିଛନ୍ତି। ଗୋଟିଏ ସେ ତାଙ୍କ ଫେସବୁକ୍ ପେଜ୍ ହ୍ୟାକ୍ ହେଇଥିବା ନେଇ ତେଲେଙ୍ଗାନା ସାଇବର ପୋଲିସ ନିକଟରେ ଅଭିଯୋଗ କରିଥିବା ଏଫଆଇଆର ନକଲ ଏବଂ ଅନ୍ୟଟି ୨୦୧୯ରେ ତାଙ୍କ ଫେସବୁକ୍ ଆକାଉଣ୍ଟ୍ ହଟାଯାଇଥିବା ନେଇ ସେ କରିଥିବା ପ୍ରଶ୍ନ।

ଫେସବୁକ୍ ମୁଖପାତ୍ର ଏନେଇ କହିଛନ୍ତି କି, ଆମ ପ୍ଲାଟ୍‌ଫର୍ମରେ ଉପସ୍ଥିତ ରହି ଯେଉଁମାନେ ହିଂସା ଓ ଘୃଣାର ପ୍ରସାର କରନ୍ତି କିମ୍ବା ସେସବୁରେ ଲିପ୍ତ ରହନ୍ତି ଆମ ନୀତି ଅନୁସାରେ ସେମାନଙ୍କୁ ନିଷେଧ କରାଯାଇଥାଏ। ଉଲ୍ଲଂଘନକାରୀଙ୍କୁ ମୂଲ୍ୟାୟନ କରାଯିବା ପ୍ରକ୍ରିୟା ଅତି ବ୍ୟାପକ। ତାହାକୁ ଆଧାର କରି ତାଙ୍କ ଆକାଉଣ୍ଟ୍‌ ହଟାଇବାକୁ ଫେସ୍‌ବୁକ୍ ନିଷ୍ପତ୍ତି ନେଇଛି।