ଗୁଜରାଟରେ ବିଜେପି ମହାବିଜୟ ମୁହାଁ: ୧୨ରେ ଶପଥ ନେବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଗୁଜରାଟରେ ବିଜେପି ମହାବିଜୟ ମୁହାଁ ହେଉଛି । ୧୫୦ ଆସନରୁ ଅଧିକ ଆସନ ଭାରତୀୟ ଜନତା ପାର୍ଟି ହାତକୁ ଆସିବା ନେଇ ସ୍ପଷ୍ଟ ହୋଇଛି । ବର୍ତ୍ତମାନ ସୁଦ୍ଧା ବିଜେପି ୧୫୮ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ମାତ୍ର ୧୬ଟି ଆସନରେ ଆଗୁଆ ରହିଛି । ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଗୁଜରାଟରେ ବିରୋଧୀ ଆସନରେ କେଉଁ ଦଳ ବସିବ ତାହା ସ୍ପଷ୍ଟ ହୋଇନାହିଁ । କାରଣ ବିରୋଧୀ ଆସନର ସଂଖ୍ୟା ତୁଳନାରେ କଂଗ୍ରେସ ବହୁତଳେ ରହିଛି । ଆପକୁ ବର୍ତ୍ତମାନ ୫ ଓ ସ୍ୱାଧୀନ ୪ ଆସନରେ ଆଗରେ ରହିଛନ୍ତି ।

ସେପଟେ ଗୁଜରାଟ  ଜନତାଙ୍କ ରାୟକୁ ସମର୍ଥନ ଜଣାଇ ବିଜେପିର ବିଜୟ ଘୋଷଣା ପୂର୍ବରୁ ସରକାର ଗଠନ ନେଇ ପ୍ରସ୍ତୁତି ଆରମ୍ଭ କଲାଣି । ଆସନ୍ତା ୧୨ରେ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ବୋଲି ବିଜେପି ସ୍ପଷ୍ଟ କରିଛି । ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ସୂଚନା ଦେଇଛନ୍ତି । ଭାରତର ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ ଗୁଜୁରାଟର ୧୮୨ ସଦସ୍ୟ ବିଶିଷ୍ଟ ବିଧାନସଭା ଆସନରେ ବିଜେପି ୧୫୪ଟି ଆସନରେ ଆଗୁଆ ରହିଛି । ଆଉ ମାତ୍ର କିଛି ସମୟ ପରେ ଗୁଜରାଟରେ ବିଜେପି ମହାବିଜୟ ହେବା ନେଇ ଘୋଷଣା କରାଯିବ । ଡିସେମ୍ବର ୧୨ ତାରିଖରେ ଦିନ ୨ଟାରେ ଭୂପେନ୍ଦ୍ର ପଟେଲ ଦ୍ୱିତୀୟ ଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ।