ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ମୌଳିକ ସୁବିଧା ପହଂଚାଇବାରେ ସଂପୂର୍ଣ୍ଣ ବିଫଳ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ସଂଘୀୟ ବ୍ୟବସ୍ଥା ମଧ୍ୟରେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଲୋକଙ୍କୁ ମୌଳିକ ସୁବିଧା ପ୍ରଦାନ କରିବା ଅତ୍ୟନ୍ତ ମନ୍ଥର ବୋଲି ଆଜିର ସାମ୍ବାଦିକ ସମ୍ମିଳନୀର ମୁଖପାତ୍ର ଶ୍ରୀ ପଦ୍ମାକର ଗୁରୁ ପ୍ରକାଶ କରିଛନ୍ତି । ବିକାଶ ଓ ପ୍ରଗତି ନାମରେ ଉଭୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ସେମାନଙ୍କର ଅସଲ ଚିତ୍ର, ଚରିତ୍ର, ଚେହେରା ଓ ଚାଲ ପର୍ଦାଫାସ ହୋଇଛି ।
ଗତକାଲି ରାଜ୍ୟ ସରକାର ବିଧାନସଭାରେ ଅର୍ଥନୈତିକ ସର୍ଭେ ୨୦୨୦-୨୧ ର ଦେଇଥିବା ତଥ୍ୟ ପ୍ରମାଣ ଆଧାରରେ ଦେଶରେ ୫୬.୬ ପ୍ରତିଶତ ଗ୍ରାମୀଣ ପରିବାରରେ ଗାଧୁଅଘର ରହିଥିବା ବେଳେ ରାଜ୍ୟରେ ଗ୍ରାମାଂଚଳ ପରିବାର ଗୁଡ଼ିକ ମଧ୍ୟରୁ ୨୧ ପ୍ରତିଶିତ ପରିବାରରେ ଗାଧୁଆଘର ରହିଛି । ବର୍ତମାନସୁଦ୍ଧା ରାଜ୍ୟ ସରକାର ୫୦ପ୍ରତିଶତ ପରିବାରକୁ ପାଇଖାନା ଘର ଯୋଗାଇ ନଦେବା ଲଜ୍ଜ୍ୟାକର ଏବଂ ପରିତାପର ବିଷୟ ବୋଲି ଶ୍ରୀ ଗୁରୁ କହିଛନ୍ତି ।
ସେହିପରି ଦେଶରେ ୭୧.୩ ପ୍ରତିଶତ ଗ୍ରାମୀଣ ପରିବାରଙ୍କ ପାଇଁ ପାଇଖାନା ଘର ଥିବା ବେଳେ ରାଜ୍ୟରେ ୪୯.୩ ପ୍ରତିଶତ ପରିବାରକୁ ପାଇଖାନା ଯୋଗାଇ ଦିଆଯାଇଛି । ଦଳିୟ ପ୍ରିୟାପ୍ରିତି ଆଧାରରେ ପାଇଖାନା ପିଛା ୨ରୁ ୫ ହଜାର ଟଙ୍କା ପିସି ଆଦାୟ କରିବା ଶାସକ ଦଳ କର୍ମୀମାନଙ୍କ ନିତିଦିନିଆ କାର୍ଯ୍ୟରେ ପରିଣତ ହୋଇଛି । ୫ଟି ଓ ସ୍ୱଚ୍ଛ ସରକାରର ନାରା ଦେଉଥିବା ମୁଖ୍ୟମନ୍ତ୍ରୀ ମହାଶୟ ତାଙ୍କର ନିରବତା ଭଙ୍ଗ କରନ୍ତୁ । ଶହ ଶହ କୋଟି ଟଙ୍କା ପାନୀୟ ଜଳ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେଉଛି କିନ୍ତୁ ମାତ୍ର ୩୫.୫୮ ପ୍ରତିଶତ ଲୋକ ଅର୍ଥାତ ବର୍ତମାନ ସୁଦ୍ଧା ୧୬ଲକ୍ଷ ୨ ହଜାର ୮୫୨ ପରିବାରଙ୍କୁ ପାନୀୟଜଳ ଯୋଗାଇ ଦିଆଯିବା ସରକାରଙ୍କର ପାରିବାପଣିଆକୁ ସ୍ପଷ୍ଟ କରୁଛି । ୨୧ ବର୍ଷ ଶାସନ ଭିତରେ ପ୍ରାୟ ୯୦ଲକ୍ଷ ପରିବାର ପାନୀୟଜଳ ପାଇବାରୁ ବଂଚିତ ହେଉଛନ୍ତି ଯାହାକି ବର୍ତମାନ ଚିନ୍ତା ଓ ଉଦ୍‌ବେଗର ବିଷୟ ।
ଉତ୍କଟ ଗ୍ରୀଷ୍ମ ଋତୁ ଆଗତ ପୂର୍ବରୁ ସହର ଓ ଗ୍ରାମାଂଚଳର ନଈ ନାଳ ଶୁଖି ଯାଇଥିବା ବେଳେ ନଳକୂପ ଗୁଡ଼ିକ ଅଚଳ ହୋଇପଡ଼ିଛି । ସେଥିପାଇଁ ଗାଈଗୋରୁ ପାଣି ପିଇବାଠୁ ଆରମ୍ଭ କରି ଗ୍ରାମାଂଚଳର ପରିବାର ଏବଂ ଚାଷୀ ପାନୀୟ ଜଳ ପାଇବାରେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ତେଣୁ ରାଜ୍ୟ ସରକାରଙ୍କର ବିଭାଗୀୟ ମନ୍ତ୍ରୀ ଓ ସଚ୍ଚିବ ଅବିଳମ୍ବେ ଜିଲ୍ଲାପାଳଙ୍କ ସହିତ କଥା ହୋଇ ତ୍ୱରିତ ବିହୀତ ପଦକ୍ଷେପ ନେବାକୁ ଶ୍ରୀ ଗୁରୁ ଦୃଢ଼ ଦାବି କରିଛନ୍ତି ।
ତମାମ ପ୍ରସଙ୍ଗ ଗୁଡ଼ିକ ଜନସାଧାରଣଙ୍କ ଜୀବନ ଓ ଜୀବିକା ଉପରେ ନିର୍ଭରୁ କରୁଥିବା ହେତୁ ମୁଖ୍ୟମନ୍ତ୍ରୀ ମହାଶୟ ନିୟମିତ ବ୍ୟବଧାନରେ ନିରୀକ୍ଷଣ କରି ପଦକ୍ଷେପ ଗ୍ରହଣ କରିବାକୁ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର, ମୁଖପାତ୍ର ଅମୀୟ ପାଣ୍ଡବ, ଦୀପକ କୁମାର ମହପ।ତ୍ର ଓ ନରେଶ ମହାନ୍ତି ପ୍ରମୁଖ ଦୃଢ଼ ଦାବି କରିଛନ୍ତି ।