ଫିଲ୍ମ ‘ଲକ୍ଷ୍ମୀ ବମ୍’ରୁ ହଟାଅ ‘ଲକ୍ଷ୍ମୀ’ଙ୍କ ନାମ: ହିନ୍ଦୁ ସେନା

ମୁମ୍ୱାଇ: ରିଲିଜ ପୂର୍ବରୁ ବିବାଦରେ ସିନେମା ‘ଲକ୍ଷ୍ମୀ ବମ୍’। ଆଉ ଫିଲ୍ମରୁ ‘ଲକ୍ଷ୍ମୀ’ଙ୍କ ନାମ ହଟାଇବାକୁ ଦାବି। ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଏହି ଫିଲ୍ମର ଶୀର୍ଷକକୁ ନେଇ ଆପତ୍ତି ଉଠାଇଛି ହିନ୍ଦୁ ସେନା। ଏ ନେଇ ହିନ୍ଦୁ ସେନା କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଚିଠି ଲେଖିଛି।

ଫିଲ୍ମଟି ‘ଲଭ୍ ଜିହାଦ’କୁ ଅଧିକ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ଆସିଛି। ତେଣୁ ବୟକଟ କରିବା ପାଇଁ ସୋଶାଲ ମିଡିଆରେ ଆରମ୍ଭ ହୋଇଛି ତର୍କ ବିତର୍କ। ସେ କହିଛନ୍ତି ଯେ ଯଦି ଫିଲ୍ମର ଶୀର୍ଷକ ପରିବର୍ତ୍ତନ ନହୁଏ ତେବେ ଫିଲ୍ମକୁ ବୟକଟ କରାଯିବ। ହିନ୍ଦୁଙ୍କ ଦେବୀ ‘ଲକ୍ଷ୍ମୀ’ଙ୍କ ନାମ ଫିଲ୍ମରେ ଭୁଲ ଭାବରେ ଉପସ୍ଥାପନା ହୋଇଛି, ଯାହା ଧାର୍ମିକ ଭାବନାକୁ ଆଘାତ ଦେଇଛି।

ଆପତ୍ତି ସତ୍ତ୍ୱେ ଯଦି ଫିଲ୍ମର ଶୀର୍ଷକ ପରିବର୍ତ୍ତନ ନହେବ ତାହେଲେ ସାରା ଦେଶରେ ହିନ୍ଦୁ ସେନା ଏହି ସିନେମାକୁ ବିରୋଧ କରିବ ବୋଲି ହିନ୍ଦୁ ସେନା କହିଛି। ହିନ୍ଦୁ ସେନା ସହିତ ଅଖିଳ ଭାରତୀୟ ହିନ୍ଦୁ ମହାସଭା ଏବଂ ହିନ୍ଦୁ ଜନଜାଗୃତି ସମିତି ମଧ୍ୟ ଏହି ଫିଲ୍ମକୁ ବିରୋଧ କରିଛନ୍ତି।