ଏଣିକି ପ୍ରାପ୍ତ ବୟସ୍କଙ୍କୁ ଟିକା ମିଳିବ

ନୂଆଦିଲ୍ଲୀ: ଆସନ୍ତା ମେ’ ୧ରୁ ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ଟିକା ଦିଆଯିବ । ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଟିକା ଦିଆଯିବ ବୋଲି କେନ୍ଦ୍ରସରକାର ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫାର୍ମା କମ୍ପାନୀମାନଙ୍କ ସହ ବୈଠକ କରିବା ପରେ ଏହି ନିଷ୍ପତି ନିଆଯାଇଛି । ପୂର୍ବରୁ ଯୁବପୀଡିଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇନଥିଲା ।
ଟିକାକରଣ ନେଇ ସରକାର ତିନୋଟି ରଣନୀତି ପ୍ରସ୍ତୁତ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଟିକା ଉତ୍ପାଦନକାରୀ ପ୍ରତି ମାସରେ ଯେତେ ଟିକା ଉତ୍ପାଦନ କରିବେ ତାର ୫୦ ପ୍ରତିଶତ ସେଂଟ୍ରାଲ୍ ଡ୍ରଗ୍ ଲାବୋରେଟୋରୀକୁ ଦେବେ । ପରେ ଉକ୍ତ ଟିକା ଉତ୍ପାଦନକାରୀ କମ୍ପାନୀ ବାକି ଟିକା ରାଜ୍ୟ ସରକାର ଏବଂ ଖୋଲା ବଜାରରକୁ ଯୋଗାଇ ପାରିବେ । ଏବେ ବିଭିନ୍ନ ଘରୋଇ ଏବଂ ସରକାରୀ କୋଭିଡ କେନ୍ଦ୍ରରେ ଟିକାକରଣ ଚାଲିଛି । ଏବେ ଖୋଲା ବଜାରକୁ ଟିକା ଦେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବାର ଅର୍ଥ ଔଷଧ ଦୋକାନ, ହସ୍ପିଟାଲ ମଧ୍ୟ କରୋନା ଟିକା ଉତ୍ପାଦକଙ୍କ ପାଖରୁ କିଣିପାରିବେ ।
କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦେଖି ଟିକା ଯୋଗାଇବେ । ଟିକା କିଭଳି ଅପଚୟ କମ୍ ହେବ ସେ ଦିଗରେ ମାନଦଣ୍ଡରେ ବିଚାର କରାଯିବ । ଏଥିସହ ଟିକା ଉତ୍ପାଦନକାରୀ ଟିକାର ଦାମ ସ୍ଥିର କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ ସ୍ଥିତି ନେଇ ଦେଶର ପ୍ରତିଷ୍ଠିତ ଡାକ୍ତର ଏବଂ ଦେଶର ଫାର୍ମା କମ୍ପାନୀ ସହ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ବର୍ଷରୁ ଅଧିକ ସମୟ ଧରି କୋଭିଡ ବିରୋଧରେ ଲଢେଇ କରୁଛନ୍ତି । କିଭଳି ଟିକା ଅଧିକରୁ ଅଧିକ ଭାରତୀୟ ପାଇପାରିବେ ସେ ନେଇ କେନ୍ଦ୍ର ସରକାର ଚେଷ୍ଟା କରୁଛନ୍ତି ।
ସୂଚନାଯୋଗ୍ୟ, ଟିକାକରଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଜାନୁଆରୀ ଆରମ୍ଭରୁ ଟିକାକରଣ ଆରମ୍ଭ କରିଛନ୍ତି । ପ୍ରଥମେ କୋଭିଡ ଯୋଦ୍ଧାଙ୍କୁ ଟିକା ଦେଇଥିଲେ ସରକାର । ଏହାପରେ ୬୦ରୁ ଅଧିକ ବୟସ ବ୍ୟକ୍ତିଙ୍କୁ ସରକାର ଟିକାକରଣରେ ସାମିଲ କରିଥିଲେ । ପରେ ୪୫ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକାକରଣରେ ସାମିଲ୍ କରିଥିଲେ । ହେଲେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଅକସ୍ମାତ ହୁ ହୁ ହୋଇ ବଢ଼ିବା ପରେ କେନ୍ଦ୍ର ସରକାର ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ଟିକା ନେବାକୁ ଅନୁମତି ଦେଇଛନ୍ତି ।