ପଞ୍ଜାବ ଆଶା ଧୂଳିସାତ୍, ପ୍ଲେଅଫରେ ଆରସିବି

ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଧୂଆଁଧାର ଅର୍ଦ୍ଧଶତକ ଓ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ୬ ରନରେ ପଞ୍ଜାବ କିଙ୍ଗସକୁ ହରାଇ ଚଳିତ ଆଇପିଏଲର ପ୍ଲେଅଫରେ ସ୍ଥାନ ପକ୍କା କରିଛି। ଆରସିବି ତୃତୀୟ ଦଳ ଭାବେ ପ୍ଲେଅଫ୍ ଟିକେଟ୍ କାଟିଛି। ଏହା ପୂର୍ବରୁ ଚେନ୍ନାଇ ସୁପର୍ କିଙ୍ଗସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ୧୮ ଲେଖାଏ ପଏଣ୍ଟ ହାସଲ କରି ପ୍ଲେଅଫରେ ପହଞ୍ଚି ସାରିଛନ୍ତି।

ରବିବାର ଖେଳାଯାଇଥିବା ଆଇପିଏଲର ୪୮ତମ ମୁକାବିଲାରେ ଆରସିବି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୪ ରନ୍ କରିଥିଲା। ଜବାବରେ ପଞ୍ଜାବ ୬ ୱିକେଟ୍ ହରାଇ ୧୫୮ ରନ୍ କରିବାକୁ ସକ୍ଷମ ହୋଇଛି। । ଆରସିବି ପକ୍ଷରୁ ମ୍ୟାକ୍ସୱେଲ୍ ସର୍ବାଧିକ ୫୭ (୩୩ ବଲ୍, ୩ ଚୌକା, ୪ ଛକା) ରନ୍ କରିଛନ୍ତି।୧୬୫ ରନର ଲକ୍ଷ୍ୟର ପିଛା କରୁଥିବା ପଞ୍ଜାବର ଦୁଇ ଓପ୍ନର ଲୋକେଶ ରାହୁଲ୍ ଓ ମୟଙ୍କ ଅଗ୍ରୱାଲ୍ ପ୍ରଥମ ୱିକେଟ୍ ପାଇଁ ୯୧ ରନ୍ ଯୋଡ଼ିଥିଲେ। ତେବେ ଏହି ଯୋଡ଼ି ଭାଙ୍ଗିବା ପରେ ପଞ୍ଜାବର ବିଜୟ ଆଶା ମଉଳି ଯାଇଥିଲା।