ଆସନ୍ତା ମାସରେ ଆସିପାରେ ଶିଶୁଙ୍କ ପାଇଁ ଭ୍ୟାକସିନ

ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ୱିତୀୟ ଲହର ହ୍ରାସ ପାଇଥିବାବେଳେ ଏବେ କରୋନାର ତୃତୀୟ ଲହରରେ ଶିଶୁମାନେ ସବୁଠାରୁ ଅଧିକ ପ୍ରଭାବିତ ହେବାର ଆଶଙ୍କା କରାଯାଇଛି । ଏହା ମଧ୍ୟରେ ଏକ ଭଲ ଖବର ମିଳିଛି । ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ, ଆସନ୍ତା ଅଗଷ୍ଟ ମାସରେ ଭାରତରେ ଶିଶୁଙ୍କ ପାଇଁ କରୋନା ଟିକା ଆସିପାରେ ।

ରିପୋର୍ଟ ଅନୁଯାୟୀ, ବିଜେପି ସଂସଦୀୟ ଦଳ ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ଦେଶରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ କରୋନା ଟିକା ଦିଆଯାଉଛି । ବୈଠକ ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାର ସମ୍ଭବତଃ ଆଗାମୀ ମାସରୁ ଶିଶୁଙ୍କ ଟିକାକରଣ ଆରମ୍ଭ କରିପାରନ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ, କରୋନା ସଂକ୍ରମଣ ଚେନ ଭାଙ୍ଗିବାକୁ ଏବଂ ପୁଣି ସ୍କୁଲ ଖୋଲିବାକୁ ଶିଶୁଙ୍କୁ ଟିକା ଦେବା ଏକ ବଡ ପଦକ୍ଷେପ । ଏହା ପୂର୍ବରୁ ସେପ୍ଟେମ୍ବର ସୁଦ୍ଧା ଦେଶରେ ଶିଶୁଙ୍କ ପାଇଁ କରୋନା ଟିକା ଆସିବା ନେଇ ଅନୁମାନ କରାଯାଇଥିଲା । ଏମ୍ସ ମୁଖ୍ୟ ରଣଦୀପ ଗୁଲେରିୟା ମଧ୍ୟ କହିଥିଲେ ଯେ ସେପ୍ଟେମ୍ବର ସୁଦ୍ଧା ଶିଶୁଙ୍କ ଟିକାକରଣ ଆରମ୍ଭ ହୋଇପାରେ । ସୂଚନା ଅନୁଯାୟୀ ଦେଶରେ ୪୪ କୋଟିରୁ ଅଧିକ କରୋନା ଟିକା ଦିଆସରିଛି । ଚଳିତବର୍ଷ ଶେଷ ସୁଦ୍ଧା ଦେଶର ସମସ୍ତ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ ସଂପୂର୍ଣ୍ଣ କରିବାକୁ କେନ୍ଦ୍ର ସରକାରଙ୍କ ଯୋଜନା ରହିଛି ।