ସଂପାଦକୀୟ: ତୁ ପରା ବୋଲାଉ ଉତ୍କଳ ସନ୍ତାନ

ମାଗଣା ଚାଉଳ, ଛତା, କମ୍ବଳ, ଶାଢ଼ୀ, ଧୋତି, କୁରୁତା, ପଇତା, ଚପଲ, ମଶିଣା, ଦାନ୍ତକାଠି, ଟୁଥପେଷ୍ଟ ଦେଇ ଲୋକଙ୍କ ଭୋଟ ନେଇ ୫ ପାଳି ମୁଖ୍ୟମନ୍ତ୍ରୀ ରହିବା ପରେ ମଧ୍ୟ ସବୁ ଗାଁକୁ ରାସ୍ତା ହୋଇପାରିଲାନି, ସବୁ ଡାକ୍ତରଖାନାରେ ଦରକାର ମୁତାବକ ଡାକ୍ତର ରହି ପାରିଲେନି, ସବୁ ବିଦ୍ୟାଳୟର ଭିତିଭୂମି ସୁଦୃଢ଼ ହୋଇପାରିଲାନି । ଆଉ କେତେ ପାଳି ମୁଖ୍ୟମନ୍ତ୍ରୀ ରହିଲେ, ନବୀନ ପଟ୍ଟନାୟକ ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନକୁ ପୂରଣ କରିପାରିବେ?

୫ ପାଳି ମୁଖ୍ୟମନ୍ତ୍ରୀ ରହିବା ଭିତରେ ବିଜୁବାବୁଙ୍କ ସ୍ୱପ୍ନକୁ ସାକାର କରିବା ଅସମ୍ଭବ ଜାଣି ନବୀନ ପଟ୍ଟନାୟକ ‘ନବୀନ ଓଡ଼ିଶା’ ପାଇଁ ଆହ୍ୱାନ ଦେଇଛନ୍ତି । ଏଭଳି ଆହ୍ୱାନ ଡାକରା ଦେଇ ନବୀନ ଜଣାଇ ଦେବାକୁ ଚାହାନ୍ତି ଯେ ସେ ଆଉ ବିଜୁବାବୁଙ୍କ ପ୍ରଶଂସା ଶୁଣିବାକୁ ପ୍ରସ୍ତୁତ ନୁହନ୍ତି । ଏଣିକି ଲୋକମାନେ ମାଗଣାଖିଆ ‘ନବୀନ ଓଡ଼ିଶା’ ପ୍ରବର୍ତକ ନବୀନ ପଟ୍ଟନାୟକଙ୍କର ଉଚ୍ଚ ପ୍ରଶଂସା କରନ୍ତୁ ।

ଖାସ୍‌ ସେଇଥିପାଇଁ ଜଣେ ଅଣ ଓଡ଼ିଆ ଆଇଏଏସ୍‌ ଅଧିକାରୀଙ୍କୁ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ କରାଯାଇଛି!
ନବୀନବାବୁଙ୍କ ମୁଣ୍ଡଗଣତି ଶାସନକୁ ଲୋକମାନେ ବୁଝି ପାରିଲେଣି । ବିଧାନସଭା ଆସନକୁ ମାଡ଼ି ବସିଥିବା ବିଧାୟକ ଓ ସଂସଦ ଆସନକୁ ମାଡ଼ି ବସିଥିବା ସାଂସଦମାନେ ନାମକୁ ମାତ୍ର । ପ୍ରକୃତ ଶାସନ କରୁଛନ୍ତି ରାଜ୍ୟର ଆଇଏଏସ୍‌ ଅଧିକାରୀ । ଲୋକଙ୍କ ଅଭାବ ଅସୁବିଧାକୁ ସରକାରଙ୍କ ଦୃଷ୍ଟିକୁ ଆଣି ସେଗୁଡ଼ିକର ଆଶୁ ସମାଧାନ କରିବା ପ୍ରତି ବିଧାୟକଙ୍କ ସାମ୍ବିଧାନିକ କର୍ତବ୍ୟ ହୋଇଥିଲା ବେଳେ ଆଜିକାଲି ବିଧାୟକମାନେ ଜିତିଯିବା ପରେ ନାହିରେ ତେଲ ପକାଇ ଆରାମରେ ୫ ବର୍ଷ ପାଇଁ ଶୋଇ ପଡୁଛନ୍ତି । ଯଦି କୌଣସି ବିଧାୟକଙ୍କୁ ନିଦ ହେଉନି, ସେମାନେ ଛାମୁଆ ଠିକାଦାରି କରି ବାପଅଜା ଚଉଦ ପୁରୁଷ ପାଇଁ ଧନସଂପତି ସାଇତି ରଖୁଛନ୍ତି ।

ଏଣିକି ଭୋଟ ଦେଇ ନାଗରିକମାନେ ନାହିରେ ତେଲ ପକାଇ ଶୋଇଯିବା ବଦଳରେ ବିଧାୟକ ଓ ସାଂସଦମାନଙ୍କ କାର୍ଯ୍ୟ ତାଲିକା ମାଗନ୍ତୁ । ସନ୍ତୋଷଜନକ ଜବାବ ନପାଇଲେ ସେମାନଙ୍କୁ ଆଉ ଭୋଟ ଦିଅନ୍ତୁନି । ତହିଁକି ସେ ଶାସକ ଦଳର ହୁଅନ୍ତୁ କି ବିରୋଧୀ ଦଳର ହୁଅନ୍ତୁ ।

ବିରୋଧୀ ଦଳର ବିଧାୟକ ଓ ସାଂସଦମାନେ ଶାସକ ଦଳ ମୁଣ୍ଡରେ ସବୁ ଦୋଷ ଲଦି ଖସି ଯାଇପାରନ୍ତି । ମାତ୍ର ମନେରଖନ୍ତୁ, ବିରୋଧୀ ଦଳର ବିଧାୟକ ଓ ସାଂସଦମାନଙ୍କ ମାସିକ ଦରମା ସମେତ ଅନ୍ୟାନ୍ୟ ସରକାରୀ ସୁବିଧା ଯଦି ସହଜରେ ମିଳିଯାଉଛି, ସାମ୍ବିଧାନିକ ଦାୟିତ୍ୱ ତୁଲାଇବା ବାଟରେ ବାଧା ଉପୁଜୁଛି କେମିତି?