ପଞ୍ଜାବ ଷ୍ଟେଟ୍‌ ଆଇକନ ପଦରୁ ଓହରିଲେ ସୋନୁ

ନୂଆଦିଲ୍ଲୀ : ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ବଲିଉଡ ଅଭିନେତା ସୋନୁ ସୁଦ ପଞ୍ଜାବ ଷ୍ଟେଟ ଆଇନକ ପଦରୁ ଓହରି ଯାଇଛନ୍ତି । ନିର୍ବାଚନ ଆୟୋଗ ସୋନୁଙ୍କୁ ଷ୍ଟେଟ ଆଇକନ ଭାବେ ନିଯୁକ୍ତି ଦେଇଥିଲେ । ସେ ଲୋକଙ୍କୁ ମତାଧିକାର ସମ୍ପର୍କରେ ବୁଝାଇବା ସହ ସେମାନଙ୍କୁ ଭୋଟ କେନ୍ଦ୍ରକୁ ଆସିବା ପାଇଁ ଉତ୍ସାହିତ କରିଥାଆନ୍ତେ । ହେଲେ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ସୋନୁ ଏହି ପଦରୁ ଓହରି ଯାଇଛନ୍ତି । ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ୨୦୨୨ ମସିହା ଜାନୁଆରୀ ୪ ପରଠାରୁ ସୋନୁ ସୁଦ ଆଉ ପଞ୍ଜାବ ଷ୍ଟେଟ ଆଇକନ ପଦରେ ନାହାନ୍ତି ।

ଅନ୍ୟପକ୍ଷରେ ସୋନୁ ସୁଦଙ୍କ ଭଉଣୀ ପଞ୍ଜାବ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ସୋନୁ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି । ସେହିପରି ନିଜେ ସୋନୁ ଟ୍ୱିଟ କରି କହିଛନ୍ତି ଯେ ମୁଁ ସ୍ୱେଚ୍ଛାକୃତ ଭାବେ ପଞ୍ଜାବ ଷ୍ଟେଟ ଆଇକନ ପଦରୁ ଓହରି ଯାଇଛି । କାରଣ ମୋ ପରିବାରର ସଦସ୍ୟ ନିର୍ବାଚନ ଲଢ଼ୁଛନ୍ତି । ସୂଚନାଯୋଗ୍ୟ ଯେ, ଗତବର୍ଷ ନିର୍ବାଚନ କମିଶନ ସୋନୁ ସୁଦଙ୍କୁ ପଞ୍ଜାବର ଷ୍ଟେଟ ଆଇକନ ଭାବେ ନିଯୁକ୍ତ ଦେଇଥିଲେ।