ଦତ୍ତାତ୍ରେୟଙ୍କର ୨୪ ଗୁରୁ ପ୍ରସଙ୍ଗରେ ଚର୍ତୁବିଂଶତମ ଗୁରୁ

ଚର୍ତୁବିଂଶତମ ଗୁରୁ - ପେଶସ୍କାରୀ ( କୁମ୍ଭାରୀଆ କୀଟ )

ମହାତ୍ମା ଦତ୍ତାତ୍ରେୟ କହୁଛନ୍ତି ହେ ରାଜନ୍ ! ମୋର ଚର୍ତୁବିଂଶତମ ଗୁରୁ ହେଉଛନ୍ତି – କୁମ୍ଭାରୀଆ କୀଟ।
ସ୍ନେହ , ଦ୍ଵେଷ ଅଥବା ଭୟ ହେତୁ କାହାକୁ ଚିନ୍ତନ କଲେ ପ୍ରାଣୀ ସେହି ସ୍ୱରୂପକୁ ପ୍ରାପ୍ତ ହୁଏ।ଏଣୁ ମନୁଷ୍ୟ କେବଳ ଭଗବାନଙ୍କ ବ୍ୟତୀତ ଅନ୍ୟ କାହାରିକୁ ଚିନ୍ତନ କରିବା ଉଚିତ ନୁହେଁ ବୋଲି ମୁଁ ତାଙ୍କ ଠାରୁ ଶିଖିଛି ।

କୁମ୍ଭାରୀଆ କୀଟ କୌଣସି କୀଟକୁ ଧରି ଆଣି ମାଟିର ନିବୁଜ ଘର ତୋଳି ତାକୁ ସେଥିରେ ବନ୍ଦୀ କରିଦିଏ। ସେହି କୀଟଟି ମରିବା ପୂର୍ବରୁ କୁମ୍ଭାରୀଆକୁ ଦେଖିଥାଏ । ତାହାରି ଗୁଣୁଗୁଣୁ ଶବ୍ଦ ଛଡା ସେ ଆଉ କିଛି ଶୁଣି ପାରେନା । ଭୟରେ କାତର ହୋଇ ସେ କେବଳ ତାହାରି ରୂପକୁ ହିଁ ଚିନ୍ତା କରିଥାଏ । ତେଣୁ କିଛି ଦିନ ପରେ ସେ ନିଜେ କୁମ୍ଭାରୀଆ କୀଟ ହୋଇ ଜନ୍ମ ନିଏ । ଏଥିରୁ ଶିକ୍ଷା ମିଳେ ଯେ ମୃତ୍ୟୁ ସମୟରେ ମନୁଷ୍ୟ ଯେପରି ଚିନ୍ତା କରିଥାଏ , ତାର ମୃତ୍ୟୁ ଉପରାନ୍ତ ଜୀବନ ତଦନୁସାରେ ନିର୍ଦ୍ଧାରିତ ହୋଇଥାଏ । ଏଠାରେ ଅନ୍ୟ ଏକ ଶିକ୍ଷା ମଧ୍ୟ ମିଳେ ଯେ ଯଦି କେହି ନିରବଚ୍ଛିନ୍ନ ଭାବରେ ଗୁରୁଙ୍କର ସ୍ୱରୂପକୁ ଧ୍ୟାନ କରେ , ତେବେ ସେ ଅବିଳମ୍ବେ ଗୁରୁଙ୍କ ସ୍ୱରୂପରେ ଅବସ୍ଥାନ କରେ ଓ ସେ ନିଜେ ଗୁରୁ ତୁଲ୍ୟ ହୋଇଯାଏ ।

ଈଶ୍ୱରଙ୍କ ମାୟାରେ ଜନ୍ମ ମୃତ୍ୟୁ ଖେଳ ଚାଲିଛି । ସ୍ତ୍ରୀ, ପୁତ୍ର, କନ୍ୟା , ପରିବାର, ସାଙ୍ଗସାଥି ସଭିଏଁ ଶରୀରର, ସୁଖର,ଭୋଗର ସାଥୀ । ମଲା ବେଳେ ଏମାନଙ୍କ ମଧ୍ୟରୁ କେହି ଜଣେ ହେଲେ ସାଙ୍ଗରେ ଯାଇ ନ ଥାନ୍ତି । କେବଳ ସେହି ପରମପୁରୁଷ ପରମାତ୍ମା ହିଁ ସତ୍ୟ । ତେଣୁ ଅବଧୂତ ସମସ୍ତ ମାୟା , ବନ୍ଧନ ,କାମିନୀ କାଞ୍ଚନ , ତିନି ଗୁଣରୁ ନିଜକୁ ମୁକ୍ତ କରି ଏକାଗ୍ର ଚିତ୍ତରେ ପରଂବ୍ରହ୍ମ ପରମାତ୍ମାଙ୍କୁ ଧ୍ୟାନ କରୁଥିବାରୁ ତାଙ୍କ ନିକଟରେ ସର୍ବଦା ମନୋନିବେଶ କରିଥିବାରୁ ସେ ସଦା ପ୍ରସନ୍ନ ଓ ପ୍ରଫୁଲ୍ଲ ରହୁଥିଲେ ।