ମୁଣ୍ଡପିଛା ଜିଡିପି ମାମଲାରେ ଭାରତକୁ ପଛରେ ପକାଇବ ବାଂଲାଦେଶ

ନୂଆଦିଲ୍ଲୀ : ଜିଡିପି ମାମଲାରେ ଭାରତକୁ ପଛରେ ପକାଇ ଆଗରେ ବାଂଲାଦେଶ । ଆଇଏମଏଫର ରିପୋର୍ଟ ଓ୍ବାଲ୍ଡ ଇକୋନମିକ ଆଉଟଲୁକ (ଡବ୍ଲୁଇଓ) ଅନୁସାରେ ୨୦୨୧ ମାର୍ଚ ୩୧ରେ ଆର୍ଥିକ ବର୍ଷ ଶେଷ ହେଉଛି । ଏହି ଆର୍ଥିକ ବର୍ଷରେ ବାଲାଂଦେଶର ମୁଣ୍ଡ ପିଛା ଜିଡିପି ୪% ବଢ଼ି ୧୮,୮୮ ଡଲାର ହେବା ଆଶା ରହିଥିବା ବେଳେ ଭାରତରେ ମୁଣ୍ଡ ପିଛା ଜିଡିପି ୧୦.୩ ପ୍ରତିଶତ ହ୍ରାସ ପାଇ ୧,୮୭୭ ଡଲାର ରହିବ। ତେବେ ଏହା ଭାରତ ପାଇଁ ଗତ ଚାରି ବର୍ଷରେ ସବୁଠୁ କମ୍। ଆଇଏମଏଫ ଅନୁମାନ କରିଛି ଏହି ବର୍ଷ ଭାରତର ଜିଡ଼ିପି ୧୦.୩ ପ୍ରତିଶତ ହ୍ରାସ ପାଇପାରେ।

ଏହି ରିପୋର୍ଟ ଅନୁସାରେ ଭାରତ ଦକ୍ଷିଣ ଏସିଆରେ ତୃତୀୟ ସବୁଠୁ ଗରିବ ଦେଶ ଦିଗରେ ଅଗ୍ରସର ହେଉଛି। କେବଳ ପାକିସ୍ତାନ ଓ ନେପାଳର ମୁଣ୍ଡ ପିଛା ଜିଡିପି ଭାରତ ଠାରୁ କମ୍ ହେବ। ମାତ୍ର ବାଂଲାଦେଶ, ଭୁଟାନ, ଶ୍ରୀଲଙ୍କା ଓ ମାଳଦ୍ବୀପ ଭଳି ଦେଶ ଭାରତଠାରୁ ଆଗରେ ରହିବେ। ଭାରତ ପାଇଁ ଆଇଏମଏଫର ଏହି ଆକଳନ ଜୁନ ପୂର୍ବାନୁମାନ ଠାରୁ ଖୁବ୍ କମ୍। ଯେଉଁଥିରେ କୁହାଯାଇ ଥିଲା କରୋନା ଭାଇରସ ମହାମାରୀ ଯୋଗୁ ବଜାରରେ ବଡ଼ କ୍ଷତି ଦେଖିବାକୁ ମିଳିପାରେ। ଅର୍ଥାତ ୪.୫ ପ୍ରତିଶତ କମ୍ ହୋଇଯିବ।

ଆଇଏମଏଫ ଅନୁସାରେ ୨୦୨୧ରେ ପ୍ରଭାବଶାଳୀ ୮.୮ ପ୍ରତିଶତର ବିକାଶ ଦର ସହ ଭାରତ ଏସିଆର ତୃତୀୟ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ରୂପରେ ପୁଣି ଫେରିବ। ଏହି ଅର୍ଥବ୍ୟବସ୍ଥା ସ୍ଥିତିକୁ ପୁଣି ଥରେ ହାସଲ କରି ଭାରତ ଚୀନର ବିକାଶ ଦର ୮.୨ ପ୍ରତିଶତକୁ ଟପି ଯାଇପାରେ।

ଆଇଏମଫ ଓ ବିଶ୍ୱ ବ୍ୟାଙ୍କର ବାର୍ଷିକ ବୈଠକ ପୂର୍ବରୁ ଏହି ରିପୋର୍ଟ ଜାରି କରାଯାଇଛି। ଏଥିରେ କୁହାଯାଇଛି ୨୦୨୦ରେ ବିଶ୍ୱ ଅର୍ଥବ୍ୟବସ୍ଥାରେ ୪.୪ ପ୍ରତିଶତ ହ୍ରାସ ଆସିବ ଓ ୨୦୨୧ରେ ଏହା ୫.୨ ପ୍ରତିଶତ ବୃଦ୍ଧି ପାଇବ। ରିପୋର୍ଟ ଅନୁସାରେ ୨୦୨୦ରେ ଆମେରିକା ଅର୍ଥବ୍ୟବସ୍ଥାରେ ୫.୮ ପ୍ରତିଶତ ହ୍ରାସ ଆସିପାରେ। ଆସନ୍ତା ବର୍ଷ କିନ୍ତୁ ଏହା ୩.୯ ପ୍ରତିଶତ ବୃଦ୍ଧି ପାଇବ। ଚଳିତବର୍ଷ ଦୁନିଆର ପ୍ରମୁଖ ଅର୍ଥବ୍ୟବସ୍ଥାରେ କେବଳ ଚୀନ ଏକମାତ୍ର ଦେଶ ହେବ ଯାହାର ୧.୯ ପ୍ରତିଶତ ବୃଦ୍ଧି ରେକର୍ଡ କରାଯିବ।