ମହାତ୍ମା ଦତ୍ତାତ୍ରେୟ କହୁଛନ୍ତି ହେ ରାଜନ୍ ମୋର ସପ୍ତଦଶ ଗୁରୁ

ସପ୍ତଦଶ ଗୁରୁ: “ପିଙ୍ଗଳା ନାମକ ବେଶ୍ୟା”

ମହାତ୍ମା ଦତ୍ତାତ୍ରେୟ କହୁଛନ୍ତି ହେ ରାଜନ୍ ମୋର ସପ୍ତଦଶ ଗୁରୁ ହେଉଛନ୍ତି – ପିଙ୍ଗଳା ନାମକ ବେଶ୍ୟା ” ମୁଁ ତାଙ୍କ ଠାରୁ ଭୋଗୈଷଣା ଏବଂ ବିତୈଷଣା ଏହି ଦୁଇଟି ଆଶାକୁ ତ୍ୟାଗ କରି ପରମ ଶାନ୍ତି ପ୍ରାପ୍ତିର ଶିକ୍ଷା କରିଛି।
ହେ ରାଜନ୍ , ବିଦେହ ନଗରୀ ମିଥିଳାରେ ପିଙ୍ଗଳା ନାମରେ ଜଣେ ବେଶ୍ୟା ବାସ କରୁଥିଲା। ସେ ରୂପବତୀ ଓ ଅତ୍ୟନ୍ତ ସ୍ଵେଛାଚାରିଣୀ ଥିଲା। ସନ୍ଧ୍ୟା ହେଲେ ନିଜକୁ ସଜେଇ ହୋଇ କୌଣସି ଧନୀ ପୁରୁଷକୁ ନିଜର ଶାରୀରିକ ଆକର୍ଷଣରେ ଆକର୍ଷିତ କରି କାମନା ଚରିତାର୍ଥ ସହ ଧନ ଉପାର୍ଜନ ତାହାର ମୁଖ୍ୟ ଲକ୍ଷ୍ୟ ଥିଲା। ସେ ପ୍ରତିଦିନ ସଜେଇ ହୋଇ କୌଣସି ଧନୀ ଗ୍ରାହକକୁ ଅପେକ୍ଷା କରି କରି ରାତ୍ରି ଉଜାଗର ରହୁଥିଲା। ପରିଶେଷରେ ତାକୁ ନିରାଶ ହେବାକୁ ପଡୁଥିଲା।

ଏହି ପରି ଅନେକ ଥର ରାତ୍ରି ଉଜାଗର ହୋଇ ନିରାଶ ହୋଇ ତା ମନରେ ଦିନକୁ ଦିନ ଦୁରାଶା ବଢିଚାଲିଲା। କେତେବେଳେ ଘର ଭିତରକୁ ତ କେତେବେଳେ ବାହାରକୁ ଏହି ପରି ଭାବରେ ରାତି ବିତିଯାଉଥିଲା। ହେ ରାଜନ୍ ! ସତରେ ଆଶା – ତାହା ପୁଣି କାମ ଚରିତାର୍ଥ ସହିତ ଧନ ଅର୍ଜନର ନିଶା ଅତ୍ୟନ୍ତ ଦୁଃଖଦାୟକ।ଏହି ପରି ବାରମ୍ବାର ନିରାଶା ହୋଇ ଦୁଃଖରେ ତୁଚ୍ଛ ବୃତ୍ତି ପ୍ରତି ତା ମନରେ ବୈରାଗ୍ୟ ଆସିଲା। ଚିନ୍ତା କଲା ,ମନୁଷ୍ୟ ଜନ୍ମ ପାଇ ରାତି ରାତି ଅପେକ୍ଷା ଓ ଉଜାଗର ରହି ଜୀବନକୁ ନଷ୍ଟ କରିବାରେ ଲାଗିଛି, ଧିକ୍କାର ମୋର ନାରୀ ଜନ୍ମକୁ, ଯେବେ ସେହି ଅପେକ୍ଷା ଓ ଉଜାଗର ପ୍ରଭୁଙ୍କ ପାଇଁ କରନ୍ତି, ମୋତେ ପ୍ରଭୂ ନିଶ୍ଚୟ ପ୍ରାପ୍ତ ହୁଅନ୍ତେ, ମୋର ଜୀବନର ସମସ୍ତ ଦୁଃଖ ଦୂରୀଭୂତ ହୋଇ ଏହି ତୁଚ୍ଛ ବେଶ୍ୟା ବୃତ୍ତି ରୂପକ ଘୃଣ୍ୟ କର୍ମରୁ ଉଦ୍ଧାର ହୋଇଯାନ୍ତି।

ରାଜନ୍ ! ଆଶା ହେଉଛି ବନ୍ଧନର କାରଣ। ଆଶା ନଥିଲେ ସଂସାରରେ ସମସ୍ତେ ମୁକ୍ତ ହୋଇଥାନ୍ତେ । ଆଶା ରୂପକ ବନ୍ଧନକୁ କେବଳ ବୈରାଗ୍ୟ ରୂପକ ଅସ୍ତ୍ର ଦ୍ଵାରା ଛେଦନ କରାଯାଇପାରେ। ଯାହାର ମନ ରେ ପ୍ରକୃତ ବୈରାଗ୍ୟ ଜାତ ହୁଏ ତାକୁ ସଂସାରରେ କେହି ବାନ୍ଧି ରଖି ପାରିବେ ନାହିଁ। କାମ ଚରିତାର୍ଥ ଓ ଧନ ଅର୍ଜନରେ ସମର୍ଥ ଥାଇ ଯିଏ ତାହା ତ୍ୟାଗ କରେ ସେ ହିଁ ପ୍ରକୃତ ସୁଖ ଲାଭ କରେ।

ଏହି ପରି ସ୍ଥିର କରି ପିଙ୍ଗଳା ତାର କାମ ଓ ଧନ ଲୋଭରୁ ଜାତ ଦୁରାଶାର ଲାଳସା ପରିତ୍ୟାଗ କରି ଶାନ୍ତ ଚିତ୍ତରେ ଶଯ୍ୟା ରେ ଶୋଇପଡ଼ିଲା। ଆସକ୍ତ ଯୁକ୍ତ ଆଶାହିଁ ଦୁଃଖର କାରଣ ଓ ଆଶା ତ୍ୟାଗ ହିଁ ସୁଖ ଶାନ୍ତି ପ୍ରଦାନ କରିଥାଏ।

ଓଡ଼ିଆ ଭାଗବତ ରୁ କେଇ ପଦ :-

ଅନାଥ ନାଥ ଜନହିତା । ସୁଗତି ଗତିର ବିଧାତା ।। ଏମନ୍ତ ମନେ ମନେ ଚିନ୍ତି । ରଜନୀ ହୋଇଲା ପାହାନ୍ତି ।। ନିଶ୍ଚଳ ଚିତ୍ତ ଅବଧାନେ । ପୀଙ୍ଗଳା ଗଲା ଘୋର ବନେ ।। ପରମ ସୁଖ ବୈରାଗ୍ୟ । ଆଶା ପରମ ଦୁଃଖ ଯୋଗ ।। ପିଙ୍ଗଳାଭ୍ରମି ଘୋର ବନେ । ପଶିଲା ଶ୍ରିହରି ଚରଣେ ।। ଏଣୁ ପିଙ୍ଗଳା ଗୁରୁ ମୋର । ନିରାଶେ ଭ୍ରମଇ ସଂସାର ।।