ଭାରତରେ ୩ଟି ଟିକାର ପରୀକ୍ଷଣ ଚାଲିଛି

ନୂଆଦିଲ୍ଲୀ: ଭାରତରେ ଏବେ ୩ ପ୍ରକାରର କରୋନା ଟିକାର ପରୀକ୍ଷଣ ଚାଲିଛି। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆଇସିଏମଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ। ଖୁବଶୀଘ୍ର ଭାରତରେ କରୋନା ଟିକା ଉପଲବ୍ଧ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

କାଡ଼ିଲା ଏବଂ ଭାରତ ବାୟୋଟେକ୍ ପକ୍ଷରୁ ପ୍ରସ୍ତୁତ ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ସରିଛି। ସେରମ୍ ଇନଷ୍ଟିଚ୍ୟୁଟ ପକ୍ଷରୁ ପ୍ରସ୍ତୁତ ଟିକାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇଥିବା ବେଳେ ଅନୁମତି ମିଳିବା ପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ। ୧୪ଟି ଅଞ୍ଚଳରେ ପ୍ରାୟ ୧୫୦୦ ଜଣଙ୍କ ଠାରେ ଏହାର ପରୀକ୍ଷଣ କରାଯିବ ବୋଲି କହିଛନ୍ତି ବଳରାମ ଭାର୍ଗବ।

ଅନ୍ୟପଟେ ଋଷ ଦ୍ୱାରା ପ୍ରସ୍ତୁତ କରୋନା ଟିକା ସ୍ଫୁଟନିକ ଭି ପାଇବା ପାଇଁ ମଧ୍ୟ ଭାରତ ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ଗଠିତ ହାଇ ଲେବଲ କମିଟି କାମରେ ଲାଗିଛନ୍ତି । ଋଷ ୭୬ ଜଣଙ୍କ ଠାରେ ଏହି ଟିକାର ପରୀକ୍ଷଣ କରିଥିବା ବେଳେ ସମସ୍ତେ ସୁସ୍ଥ ଅଛନ୍ତି। ତେବେ ଏହାର ତୃତୀୟ ପର୍ୟ୍ୟୟ ପରୀକ୍ଷଣ କରାଯାଇନାହିଁ। ଏହା ଶେଷ ହେଲେ ଯାଇ ଭାରତ ଋଷୀୟ ଟିକା ମଗାଇବା ନେଇ ଆଲୋଚନା କରିବ ବୋଲି କହିଛନ୍ତି ଆସିଏମଆର ଡିଜି।