ଡରାଇଲାଣି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ମାଡ଼ିଆସୁଛି ଅଜଣା ରୋଗ ଡିଜିଜ୍‌ ଏକ୍ସ

ୱାଶିଂଟନ: କରୋନା ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏହି ରୋଗ ବିଷୟରେ ଆଲୋଚନା କରି ସତର୍କ କରାଇଥିଲା ଯେ ଏହି ରୋଗ କୋଉ ଦେଶରେ କେମିତି କେତେବେଳେ କାହାକୁ କିପରି ସଂକ୍ରମିତ କରିବ, ଠଉରାଇବା କଷ୍ଟକର ହୋଇପଡ଼ିବ । ହୁ’କୁ ଚକ୍‌ମା ଦେଇ ମାଡ଼ିଆସିଲା କରୋନା । ସାରାବିଶ୍ୱକୁ ଦୁଇବର୍ଷରୁ ଅଧିକ ସମୟ ଧରି ଘାଂଟିବା ପରେ ଏବେ ଟିକେ ଥମିଛି । ବିଶ୍ୱ ଅର୍ଥବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି ।
ଏପରିକି ଯୁକ୍ତରାଷ୍ଟ୍ର ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟ ନିୟମିତ ଭାବେ କର୍ମଚାରୀଙ୍କୁ ଦରମା ଦେବା ସ୍ଥିତିରେ ନାହିଁ । କଳକାରଖାନାରୁ ଉତ୍ପାଦନ ପ୍ରକ୍ରିୟା ସ୍ୱାଭାବିକ ଅବସ୍ଥାକୁ ଫେରିନି । ଏତିକିବେଳକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପୁଣି ଅଜଣା ରୋଗ କଥା କହି ବିଶ୍ୱକୁ ଛାନିଆ କଲାଣି । ହୁ ସୂଚନା ମୁତାବକ ଏହି ଅଜଣା ରୋଗ କବଳରୁ ରକ୍ଷା ପାଇବା ସହଜ ନୁହେଁ । ଏହି ରୋଗ କବଳରେ ପଡ଼ିବା ମାତ୍ରେ ମୃତ୍ୟୁ ସୁନିଶ୍ଚିତ କାରଣ ଏହି ରୋଗକୁ ଚିହ୍ନିବା ସମ୍ଭବ ହୋଇନି । ପୃଥିବୀର ସବୁ ଦେଶ ମିଳିମିଶି ଉକ୍ତ ରୋଗର ନିଦାନ ବାହାର କରିବା ପାଇଁ ହୁ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଉକ୍ତ ରୋଗର ନାମକରଣ ମଧ୍ୟ ଠିକ ଭାବେ କରାଯାଇନି । ମାତ୍ର ହୁ ତାକୁ ଡିଜିଜ୍‌ ଏକ୍ସ ନାମ ଦେଇଛି ।
୨୦୨୧ ମଧ୍ୟଭାଗରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡିଜିଜ୍‌ ଏକ୍ସ ଉପରେ ସାମାନ୍ୟ ଗୁରୁତ୍ୱ ଦେଇଥିଲା ମାତ୍ର ପରେ ଉକ୍ତ ଭୂତାଣୁଗୁଡ଼ିକ କରୋନାର ବିଭିନ୍ନ ପ୍ରଜାତିର ହୋଇଥିବା ଜଣାପଡ଼ିଥିଲା ।
ଗତ କିଛିଦିନ ଭିତରେ ଚୀନର ବେଜିଂ ସମେତ ଆହୁରି କିଛି ପ୍ରମୁଖ ସହରରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ପୁଣି ଥରେ ଚୀନ ସହରଗୁଡ଼ିକ ଲକ୍‌ଡାଉନ୍‌ ଭିତରେ ରହିଲାଣି । ତା’ ସାଙ୍ଗକୁ ହୁ’ର ଅଜଣା ରୋଗ ଭୟ ଲୋକଙ୍କୁ ଚିନ୍ତାରେ ପକାଇଲାଣି । ଆଜକୁ ଶହେବର୍ଷ ତଳେ ସ୍ପାନିଶ ଫ୍ଲୁ ସାରା ବିଶ୍ୱକୁ ବେଶ କିଛିବର୍ଷ ଧରି ଘାଂଟିଥିଲା । ସେଥିରେ କୋଟିକୋଟି ଲୋକ ପ୍ରାଣ ହରାଇଥିଲେ । କୁହାଯାଉଛି, ଡିଜିଜ୍‌ ଏକ୍ସ ସେଇଭଳି ଏକ ଭୂତାଣୁ ଯାହା କୋଟିକୋଟି ଜୀବନ ନେଇଯିବାର କ୍ଷମତା ରଖିଛି । ଡିଜିଜ୍‌ ଏକ୍ସ ପ୍ରାଣୀଙ୍କଠାରୁ ମଣିଷ ଶରୀରକୁ ସଂକ୍ରମଣ କରିବ କି ନା’. ସେ ସଂପର୍କରେ ମଧ୍ୟ ହୁ’ ଅଧିକାରୀ ନିରବ ।
କରୋନା ପୂର୍ବରୁ ଇବୋଲା ଲୋକଙ୍କୁ ଆଚ୍ଛନ୍ନ କରିଥିଲା । ଇବୋଲା କବଳରୁ ମୁକ୍ତି ପାଇବାର ବାଟ ଖୋଜିବା ସମ୍ଭବ ହୋଇନି । ଡିଜିଜ୍‌ ଏକ୍ସ ଠାବ କରିବା ପାଇଁ ବୈଜ୍ଞାନିକମାନେ ଏକ ରୋଗ ତାଲିକା ପ୍ରସ୍ତୁତ କରୁଛନ୍ତି । ବୈଜ୍ଞାନିକମାନେ କୋଭିଡ୍‌କୁ ମଧ୍ୟ ଡିଜିଜ୍‌ ଏକ୍ସ ଶ୍ରେଣୀଭୁକ୍ତ କରିଛନ୍ତି । କିଛିମାସ ତଳେ କଙ୍ଗୋ ଉପତ୍ୟକାରେ ରହସ୍ୟମୟ ଜରରେ ପୀଡ଼ିତ ରୋଗୀଟିଏ ହସ୍ପିଟାଲରେ ପହଂଚିଥିଲେ । ଡାକ୍ତରମାନେ ନମୁନା ପରୀକ୍ଷଣ କରି ଆଉ ଏକ ଭିନ୍ନ ମାରାତ୍ମକ ଭୂତାଣୁଜନିତ ରୋଗ ବୋଲି ଠାବ କଲେ । ସଂପୃକ୍ତ ରୋଗୀଙ୍କୁ ଆଇସୋଲେସନ୍‌ରେ ରଖିଲେ । ମାତ୍ର ପରେ ସେ ଲୋକ ସଂପର୍କରେ କୌଣସି ଖବର କାହା ପାଖରେ ନାହିଁ । ଉକ୍ତ ରୋଗୀଜଣକ ମରିଛନ୍ତି କି ବଂଚିଛନ୍ତି, ତା’ର ଖୋଜଖବର ମଧ୍ୟ କାହା ପାଖରେ ନାହିଁ ।
ଏମିତି ଏକ ଅଜଣା ରୋଗକୁ ଅପେକ୍ଷା କରିକରି ସାରାବିଶ୍ୱ ଆଉ ଚୁପ ହୋଇ ବସିରହିବ କି? ମଣିଷ ଜନ୍ମ ନେଇଛି ମରିବା ସୁନିଶ୍ଚିତ । ଅତଏବ ସାହସର ସହିତ ମୃତ୍ୟୁକୁ ସାମ୍ନା କରିବା ଆମ ପକ୍ଷେ ଉପଯୁକ୍ତ ନିଷ୍ପତି ।