ଚାଷୀଙ୍କ ଘୋଷଣା: ସ୍ଥଗିତ ରହିଲା ଟ୍ରାକ୍ଟର ରାଲି

ନୂଆଦିଲ୍ଲୀ : ବହୁଦିନ ହେଲା ଧାରଣାରେ ବସିଥିବା ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତିନି କୃଷି ଆଇନକୁ ପ୍ରତ୍ୟାହାର କରିଥିଲେ । ସଂସଦର ଉଭୟ ଗୃହରେ ନୂଆ କୃଷି ଆଇନ ଗୃହୀତ ହୋଇସାରିଛି । ତେବେ ବର୍ତ୍ତମାନ କୃଷି ବିଲକୁ ଅକାମି କରିବା ପାଇଁ ପ୍ରସ୍ତାବ ଆଣିବେ କେନ୍ଦ୍ର ସରକାର । ଏହା ପରେ କୃଷି ଆଇନ ଅକାମୀ ହେବ । ଏହାକୁ ନେଇ ଚାଷୀ ବଡ ଘୋଷଣା କରିଛନ୍ତି । ସଂସଦ ମାର୍ଗକୁ ଟ୍ରାକ୍ଟର ମାର୍ଚ୍ଚ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି କୃଷକ । ଏ ନେଇ ଅନୁଷ୍ଠିତ ହୋଇଥିବା କୃଷକ ମହାପଞ୍ଚାୟତରେ ଘୋଷଣା କରାଯାଇଛି ।

ସିଂଘୁ ଓ ଟିକରୀ ସୀମାରେ ଧାରଣାରେ ବସିଥିବା ଚାଷୀ ନେତାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆଗାମୀ ରଣନୀତି ଉପରେ ଚର୍ଚ୍ଚା ହୋଇଥିଲା । ଯେଉଁଥିରେ ସଂସଦ ମାର୍ଗ ଯାଏ ହେବାକୁ ଥିବା ଟ୍ରାକ୍ଟର ରାଲିକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ହୋଇଛି । ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ ଆସନ୍ତା ମାସ ୪ ତାରିଖରେ ହେବାକୁ ଥିବା ବୈଠକରେ ଆଗାମୀ ରଣନୀତି ଉପରେ ଆଲୋଚନା ହେବ ।

କେନ୍ଦ୍ର ସରକାର ତିନି କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିବା ପରେ ବି କୃଷକ ସଂଗଠନ ଆନ୍ଦୋଳନ ବନ୍ଦ ରାଜି ନାହାନ୍ତି । ଏବେ ପୁଣିଥରେ କୃଷି ମନ୍ତ୍ରୀ କୃଷକଙ୍କୁ ଘରକୁ ଫେରି ଯିବାକୁ ଅପିଲ୍‌ କରିଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ର ସରକାର ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ କୃଷି ଆଇନ ପ୍ରତ୍ୟାହାର ବିଲ ଆଗତ କରିବେ । ଏହାସହ ଏମଏସପି ପ୍ରତିଶ୍ରୁତି ମଧ୍ୟ ପୂରଣ କରାଯିବ । ନଡା ଜାଳିବା ପ୍ରସଙ୍ଗରେ ମଧ୍ୟ କୃଷକଙ୍କ ଦାବି ସରକାର ମାନିଛନ୍ତି । ତେଣୁ ବର୍ତ୍ତମାନ ଆନ୍ଦୋଳନ କରିବା ଠିକ ନୁହେଁ ବୋଲି କୃଷି ମନ୍ତ୍ରୀ ତୋମାର କହିଛନ୍ତି ।