ମାତୃଭାଷା ର ମହତ୍ତ୍ୱ

ରାମ ମନୋହର ଲୋହିଆ ଅର୍ଥଶାସ୍ତ୍ରରେ ଉଚ୍ଚ ଶିକ୍ଷା ପ୍ରାପ୍ତ କରିବା ପାଇଁ ଅଗଷ୍ଟ, ୧୯୨୯ ରେ ବର୍ଲିନ ଯାଇଥିଲେ। ସେ ସମୟରେ ବର୍ଲିନ ବିଶ୍ଵବିଦ୍ୟାଳୟର ପ୍ରଫେସର ସୋମ୍ବର୍ଟ ମହାନ ଅର୍ଥଶାସ୍ତ୍ରୀ ଭାବେ ପୁରା ଦୁନିଆରେ ପ୍ରସିଦ୍ଧ ଥିଲେ। ଲୋହିଆ ତାଙ୍କରି ନିକଟରୁ ଶିକ୍ଷା ପ୍ରାପ୍ତ କରିବାକୁ ଚାହୁଁଥିଲେ। ସେ ପ୍ରଫେସରଙ୍କ ସହିତ ସାକ୍ଷାତ କଲେ ଏବଂ ଇଂରାଜୀରେ ତାଙ୍କ ନିକଟରେ ନିଜ ଇଚ୍ଛା ବ୍ୟକ୍ତ କଲେ। କିନ୍ତୁ ପ୍ରଫେସର କହିଲେ ମୁଁ କେବଳ ନିଜ ମାତୃଭାଷା ଜର୍ମାନରେ ହିଁ ଶିକ୍ଷା ଦେଇଥାଏ। ଲୋହିଆଙ୍କୁ ଜର୍ମାନ ଭାଷା ଜଣାନଥିଲା। ଯେତେବେଳେ ପ୍ରଫେସର ଏ କଥା ଜାଣିଲେ ସେ କହିଲେ, ” ମୁଁ ଆପଣଙ୍କୁ ଶିକ୍ଷା ଦେଇ ପାରିବି ନାହିଁ କାରଣ ମୁଁ କେବଳ ଜର୍ମାନ ମାଧ୍ୟମରେ ହିଁ ପଢାଏ ଏବଂ ମୋତେ ଇଂରାଜୀ ଭାଷା ଜଣାନାହିଁ। ପ୍ରଫେସରଙ୍କ କଥା ଶୁଣି ଲୋହିଆ ଉଦାସ ମନରେ ଭାରତ ଭାରତ ଫେରି ଆସିଲେ।

କିନ୍ତୁ ସେ ସାହସ ହରାଇଲେ ନାହିଁ। ଭାରତ ଫେରିବା ପରେ ସେ ପୁରା ମନଯୋଗର ସହ ଜର୍ମାନ ଭାଷା ଶିଖିବା ଆରମ୍ଭ କରିଦେଲେ।କିଛି ଦିନ ଭିତରେ ତାଙ୍କ ପରିଶ୍ରମର ଫଳ ମିଳିଲା। ଜର୍ମାନ ଭାଷା ଉପରେ ତାଙ୍କର ପୂର୍ଣ୍ଣ ଅଧିକାର ଆସିଗଲା।ସେ ଜର୍ମାନ ପଢିବା, ଲେଖିବା ଓ କହିବା ଶିଖିଗଲେ। ଏହାପରେ ସେ ପ୍ରଫେସର ସୋମ୍ବାର୍ଟଙ୍କ ନିକଟରେ ଯାଇ ପହଁଚିଲେ। ସେଠାରେ ସେ ତାଙ୍କ ସହିତ ଜର୍ମାନ ଭାଷାରେ କଥା ହେଲେ। ଏହା ଦେଖି ପ୍ରଫେସର ସୋମ୍ବାର୍ଟ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ।

ପ୍ରଫେସର ସୋମ୍ବାର୍ଟ ଲୋହିଆଙ୍କୁ କହିଲେ, ” ପ୍ରକୃତରେ ଆପଣ ଚମତ୍କାର କରିଦେଲେ। ଏତେ କମ ସମୟ ଭିତରେ ଜର୍ମାନ ଭାଷା ଏତେ ସୁନ୍ଦର ଭାବେ ଶିଖିବା ଜଣାଉଛି ଯେ ଆପଣଙ୍କ ପାଇଁ କିଛି ବି ଅସମ୍ଭବ ନୁହେଁ।କିନ୍ତୁ ମୁଁ ଆପଣଙ୍କୁ ଏକ ମିଛ କହିଥିବା କାରଣରୁ କ୍ଷମା ମାଗୁଛି, ମିଛଟି ହେଉଛି- ମୁଁ ଇଂରାଜୀ ଭାଷା ଜାଣିଥିଲେ ମଧ୍ୟ ଜାଣେନାହିଁ ବୋଲି ଆପଣଙ୍କୁ କହିଥିଲି। କାରଣ ମୁଁ ଚାହେଁ ଯେ ଅନ୍ୟ ଦେଶର ବିଦ୍ୱାନ ମାନେ ଅଧିକରୁ ଅଧିକ ସଂଖ୍ୟାରେ ମୋ ଭାଷା ଜାଣନ୍ତୁ।।

ଆମ ଭାରତୀୟ ମାନଙ୍କ ଭାଷା ପ୍ରେମ ମଧ୍ୟ ଏହାଠାରୁ କିଛି କମ ନୁହେଁ, ବରଂ ଅଧିକ। କିନ୍ତୁ ଦୁଃଖର କଥା ଆମର ପ୍ରେମ ଆମ ମାତୃଭାଷା ପ୍ରତି ନୁହେଁ, ବିଦେଶୀ ଇଂରାଜୀ ଭାଷା ପ୍ରତି।