କଙ୍ଗନାଙ୍କୁ ମିଳିଲା Y+ ଶ୍ରେଣୀ ସୁରକ୍ଷା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ Y+ ଶ୍ରେଣୀ ସୁରକ୍ଷା ଯୋଗାଇବା ନେଇ ଘୋଷଣା ହୋଇଛି। କଙ୍ଗନାଙ୍କୁ ବିଭିନ୍ନ ଆଡ଼ୁ ଧମକ ମିଳିବା ପରେ କେନ୍ଦ୍ର ସରକାର ନିଜ ଆଡ଼ୁ ଏହି ପଦକ୍ଷେପ ନେଇଛନ୍ତି।

ମୁମ୍ବାଇକୁ ପିଓକେ ଓ ଶିବଶେନା ନେତାଙ୍କୁ ତାଲିବାନି କହିବା ପରେ କଙ୍ଗନାଙ୍କ ବିରୋଧରେ ସେନାର କର୍ମକର୍ତ୍ତା ପ୍ରଦର୍ଶନ ଜାରି ରଖିଛନ୍ତି। ମୁମ୍ବାଇ ଆସିଲେ ତାଙ୍କୁ ଚାପୁଡ଼ା ମରାଯିବ ଓ ଜୋତାମାଡ଼ ହେବ ବୋଲି ମଧ୍ୟ ଜଣେ ବିଧାୟକ କହିଥିଲେ। ଏପରି କି ମୁମ୍ବାଇ ସ୍ଥିତ ତାଙ୍କ ଅଫିସକୁ ବିଏମସି ବେଆଇନ କହିଲାଣି। ଏସବୁ ଭିତରେ ବି କଙ୍ଗନା ଆସନ୍ତା ୯ ତାରିଖରେ ହିମାଚଳ ପ୍ରଦେଶରୁ ମୁମ୍ବାଇ ଆସିବେ ବୋଲି ପୂର୍ବରୁ କହିସାରିଛନ୍ତି।

କୌଣସି ଅପ୍ରିତିକର ପରିସ୍ଥିତି ନଉପୁଜୁ ସେଥିପାଇଁ ତାଙ୍କ ପାଇଁ ଆଗୁଆ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଏଥିପାଇଁ କଙ୍ଗନା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଣିକି ତାଙ୍କୁ ୧୧ ସୁରକ୍ଷାକର୍ମୀ ଜଗିବେ। ଯେଉଁଥିରେ ସିଆରପିଏଫ୍ ଜବାନ ଏବଂ କମାଣ୍ଡୋ ରହିଛନ୍ତି। ଜଣେ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ମଧ୍ୟ ତାଙ୍କୁ ଯୋଗାଇ ଦିଆଯାଇଛି।

ସୂଚନାଯୋଗ୍ୟ, କଙ୍ଗନା ରାଣାୱତ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ମୁମ୍ବାଇ ପୋଲିସକୁ ଲଗାତାର ସମାଲୋଚନା କରି ଆସୁଛନ୍ତି। ଏପରିକି ବଲିଉଡର ଡ୍ରଗ ଗୁମର ଖୋଲି ସେ ଚାଞ୍ଚଲ୍ୟକର ତଥ୍ୟ ସବୁ ରଖିଛନ୍ତି। ତେବେ ମୁମ୍ବାଇ ପୋଲିସକୁ ସମାଲୋଚନା କରିବା ଯୋଗୁଁ ମହାରାଷ୍ଟ୍ର ଗୃହମନ୍ତ୍ରୀ ଓ ଶିବସେନା ନେତା ସଞ୍ଜୟ ରାଉତ କଙ୍ଗନାଙ୍କ ଉପରେ ଖପ୍ପା ହୋଇଛନ୍ତି। କଙ୍ଗନାଙ୍କୁ ମୁମ୍ବାଇ ନଆସିବାକୁ ସଞ୍ଜୟ କହିଥିବା ବେଳେ ତାଙ୍କର ମହାରାଷ୍ଟ୍ରରେ ରହିବାର କୌଣସି ଅଧିକାର ନାହିଁ ବୋଲି ଦେଶମୁଖ ବୟାନ ଦେଇଥିଲେ। ଏହାକୁ ନେଇ ମୁମ୍ବାଇ କଣ ପିଓକେ ହୋଇଗଲା ବୋଲି କଙ୍ଗନା ପ୍ରଶ୍ନ କରିଥିଲେ।