ଲୋକସଭା ନିର୍ବାଚନରେ ମୋଦୀଙ୍କୁ ଘାଂଟିବ ଖଲିସ୍ତାନ

ଖଲିସ୍ତାନ ଦାବି ଆଜିର ନୁହେଁ ବ୍ରିଟିଶ ଶାସନ ସମୟରୁ…

ନୂଆଦିଲ୍ଲୀ: ଆଜି ପୁଣି ଚର୍ଚ୍ଚାକୁ ଆସିଛି ଖଲିସ୍ତାନ ରାଜ୍ୟ ଦାବି ପ୍ରସଙ୍ଗ । ପଞ୍ଜାବ ପୁଲିସ ଖୋଜୁଛି ଅମୃତପାଲକୁ । ଗଣମାଧ୍ୟମକୁ ଆଚ୍ଛାଦନ କରିଛି ଖଲିସ୍ତାନ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ । ଖଲିସ୍ତାନ ଶବ୍ଦଟି କାହା ମଗଜରୁ କେଉଁ ପ୍ରସଙ୍ଗରେ କେତେବେଳେ ଜନ୍ମ ନେଲା । ଜବାବ ପାଇଁ ଆମକୁ ଇତିହାସକୁ ଯିବାକୁ ପଡ଼ିବ ।
ଗୋଟିଏ ଛୋଟ ଦାବି ଧୀରେଧୀରେ ଆତଙ୍କବାଦୀ ଚିନ୍ତାଧାରାକୁ ଆଦରି ନେଲା । ସାରା ଦୁନିଆରେ ସ୍ଥିତି ମଜଭୁତ କଲା । ଆଜିଠାରୁ ପ୍ରାୟ ୩୨୪ ବର୍ଷ ତଳେ ଖାଲସା ସାମ୍ରାଜ୍ୟ ଘୋଷଣା କରାଯାଇଥିଲା ।

ପୁସ୍ତକର ନାମ ‘ଫାଉଣ୍ଡର ଅଫ୍‌ ଦି ଖାଲସା: ଦି ଲାଇଫ୍‌ ଆଣ୍ଡ୍‌ ଟାଇମ୍ସ ଅଫ୍‌ ଗୁରୁ ଗୋବିନ୍ଦ ସିଂହ’ । ୧୬୯୯ରେ ଗୁରୁ ଗୋବିନ୍ଦ ସିଂହ ଖାଲସା’ ଘୋଷଣା କରିଥିଲେ । ସିଂହ ବାହାଦୁର ଖାଲସାଙ୍କ ନେତୃତ୍ୱରେ ଗଠନ କରାଗଲା ଖାଲସା ବାହିନୀ । ତାଙ୍କ ନେତୃତ୍ୱରେ ଶିଖ ସାମ୍ରାଜ୍ୟ ବିସ୍ତାର ଲାଭ କଲା । ମାତ୍ର ତାଙ୍କ ପରେ ଖାଲସା ସାମ୍ରାଜ୍ୟର ପତନ ଘଟିଲା । ୧୮୪୯ରେ ଇଂରେଜ ସରକାର ଖାଲସାକୁ ଦଖଲ କରିନେଲେ । ଖାଲସା ବିଦ୍ରୋହୀମାନେ ଇଂରେଜ ସରକାର ବିରୋଧରେ ମୁଣ୍ଡ ଟେକିଲେ । ଇଂରେଜ ସରକାର ଭାରତରୁ ପଳାଇବା ପରେ ଖାଲସା ରାଜ୍ୟ ଗଠନ ଆଶା କ୍ରମେ ଦୃଢ଼ୀଭୂତ ହେବାକୁ ଲାଗିଲା । ପ୍ରମୁଖ ଶିଖନେତାମାନେ ଅକାଳୀ ଦଳ ଗଠନ କରି ସ୍ୱତନ୍ତ୍ର ଶିଖ ସାମ୍ରାଜ୍ୟ ଦାବି କଲେ ।

ଲାହୋର ଅଧିବେଶନରେ ପ୍ରଥମ ଥର ପାଇଁ ଅକାଳୀ ଦଳ ନେତା ତାରା ସିଂହ ଶିଖମାନଙ୍କୁ ନେଇ ସ୍ୱତନ୍ତ୍ର ରାଜ୍ୟ ଦାବି ଆଗତ କଲେ । ତାଙ୍କ ଦାବି ପ୍ରତି କେହି କର୍ଣ୍ଣପାତ କଲେ ନାହିଁ । ଭାରତ ବିଭାଜନ ସମୟରେ ପଞ୍ଜାବକୁ ପାକିସ୍ତାନ ଓ ଭାରତ ମଧ୍ୟରେ ବାଂଟି ଦିଆଗଲା । ଫଳରେ ଶିଖମାନେ ଆନ୍ଦୋଳନ ଆରମ୍ଭ କଲେ । ୧୯୪୭ରେ ପଞ୍ଜାବୀ ସୁବା ଆନ୍ଦୋଳନ ମୁଣ୍ଡ ଟେକିଲା । ସେହିବର୍ଷ ଜୁନରେ ଯିଏ ଜନ୍ମ ନେଲେ ପରେ ସିଏ ହିଁ ଖଲିସ୍ତାନୀଙ୍କ ନେତା ହେଲେ ଯାହାର ଜୀବନ ଅପରେସନ୍‌ ବ୍ଲୁଷ୍ଟାର ସହିତ ଖତମ ହୋଇଗଲା । ଆମେ କହୁଛୁ ଜର୍ଣ୍ଣାଲ ସିଂହ ଭିଣ୍ଡରାୱାଲେଙ୍କ କଥା ।

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅମଳରେ ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିରରେ ଅପରେସନ୍‌ ବ୍ଲୁଷ୍ଟାର ଆରମ୍ଭ ହେଲା । ଉକ୍ତ ଅପରେସନରେ ନିହତ ହେଲେ ଭିଣ୍ଡରୱାଲେ ଯା’ର ପରିଣାମ ଆଗାମୀ ଦିନରେ ଅତି ଭୟଙ୍କର ଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବିୟନ୍ତ ସିଂହଙ୍କ ମୃତ୍ୟୁ ପାଇଁ ଭିଣ୍ଡରୱାଲେଙ୍କ ମୃତ୍ୟୁକୁ ଦାୟୀ କରାଯାଏ । ଭିଣ୍ଡରୱାଲେଙ୍କ ନେତୃତ୍ୱରେ ଖଲିସ୍ତାନ ଦାବି କ୍ରମେ ମଜଭୁତ ହେଲା ।

ତା’ରି ଭିତରେ ଆଉ ଗୋଟିଏ ନାମ ସାମ୍ନାକୁ ଆସିଲା ‘ଜଗଜୀତ ସିଂ ଚୌହ୍ୱାନ’ । ଜଗଜୀତ କଟ୍ଟରପନ୍ଥୀ ଖଲିସ୍ତାନୀ ଥିଲେ । ସେ ୧୯୬୬ରେ ଇଂଲଣ୍ଡ ପଳାୟନ କଲେ । ସେ ବିଦେଶରେ ଖଲିସ୍ତାନୀ ଆନ୍ଦୋଳନ ଆରମ୍ଭ କଲେ । ୧୯୭୧ରେ ଆମେରିକାରୁ ପ୍ରକାଶିତ ଏକ ମାଗାଜିନରେ ଖଲିସ୍ତାନ ଦେଶ ପ୍ରତିଷ୍ଠା ସଂପର୍କୀତ ଆଲେଖ ପ୍ରକାଶ ପାଇଲା । ପରେପରେ ଅକାଳୀ ଦଳ ମଧ୍ୟ ଜଗଜୀତଙ୍କ ସହିତ ତୁଣ୍ଡ ମିଳାଇଲା ।

ଲଣ୍ଡନରେ ଖଲିସ୍ତାନ ନ୍ୟାସନାଲ କାଉନ୍‌ସିଲ ଗଠନ କରାଗଲା । ପ୍ରସ୍ତାବିତ ଖଲିସ୍ତାନ ସଂପର୍କୀତ ଡାକ ଟିକେଟ୍‌ ଜାରି କରାଗଲା । ଏହିଭଳି ଭାରତ ବାହାରେ ଖଲିସ୍ତାନ ସଂଗଠନ ଦୃଢ଼ ହେବାକୁ ଲାଗିଲା । ସଂଗଠନର ପାଣ୍ଠିକୁ ସମର୍ଥକମାନେ ଶକ୍ତିଶାଳୀ କଲେ । ପରିଣାମ ସ୍ୱରୂପ ଆଜି ଖଲିସ୍ତାନ ସଂଗଠନ କେବଳ ଭାରତ ଓ ପାକିସ୍ତାନ ଭିତରେ ସୀମିତ ନାହିଁ । ବ୍ରିଟେନ, ଆମେରିକା, କାନାଡା, ଅଷ୍ଟ୍ରେଲିଆ, ଜର୍ମାନୀ, ସ୍ୱିଜରଲାଣ୍ଡ, ସ୍ପେନ ଓ ଇଟାଲୀରେ ମଧ୍ୟ ଖଲିସ୍ତାନୀ ସଂଗଠନ ବିସ୍ତାର ଲାଭ କରିଛି ।