ତୃତୀୟ ଦିନିକିଆ: ନ୍ୟୁଜିଲାଣ୍ଡକୁ ୯୦ ରନ୍‌ରେ ହରାଇଲା ଭାରତ

ଏହି ବିଜୟ ଭାରତକୁ ଆନ୍ତର୍ଜାତିକ ଦିନିକିଆ କ୍ରିକେଟ ତାଲିକାର ଏକନମ୍ବର ସ୍ଥାନକୁ ନେଇଯାଇଛି….

ନୂଆଦିଲ୍ଲୀ: ତୃତୀୟ ଦିନିକିଆଟି ଭାରତ ସପକ୍ଷରେ ଯାଇଛି । ଫଳରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୩-୦ ବ୍ୟବଧାନରେ ସିରିଜ ବିଜୟୀ ହୋଇଛି । ଏହି ବିଜୟ ଭାରତକୁ ଆନ୍ତର୍ଜାତିକ ଦିନିକିଆ କ୍ରିକେଟ ତାଲିକାର ଏକନମ୍ବର ସ୍ଥାନକୁ ନେଇଯାଇଛି । ଟି-୨୦ କ୍ରିକେଟ୍‌ ଦୁନିଆରେ ଭାରତ ବହୁ ଆଗରୁ ଏକ ନମ୍ବରରେ ରହିଛି । ମାତ୍ର ଟେଷ୍ଟ କ୍ରିକେଟ୍‌ରେ ଭାରତର ସ୍ଥାନ ଦ୍ୱିତୀୟରେ ଅଛି ।

ଇନ୍ଦୋରରେ ଅନୁଷ୍ଠିତ ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆରେ ଭାରତ ଟସ୍‌ ହାରି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା । ଭାରତ ୯ ୱିକେଟ୍‌ ହରାଇ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶାଳ ସ୍କୋର ୩୮୫ କରିଥିଲା । ଶୁଭମନ ଗିଲ ୭୮ଟି ବଲରୁ ଚିତାକର୍ଷକ ୧୧୨ ରନ୍‌, ରୋହିତ ୮୫ଟି ବଲରୁ ୧୦୧ ରନ୍‌ କରିବାକୁ ସକ୍ଷମ ହୋଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୩୮ଟି ବଲରୁ ଦମଦାର ୫୪ ରନ୍‌ କରିଥିଲେ । ବିରାଟ କୋହଲି ୩୬ ରନ୍‌ କରିଥିଲେ । ନ୍ୟୁଜିଲାଣ୍ଡ ବୋଲର ଜ୍ୟାକବ ଡଫି ଓ ବ୍ଲେୟର ଟିକନର ତିନୋଟି ଲେଖାଁଏ ୱିକେଟ୍‌ ନେଇଥିଲେ ।

ଜବାବରେ ନ୍ୟୁଜିଲାଣ୍ଡ ୪୧.୨ ଓଭରରେ ସବୁ ୱିକେଟ୍‌ ହରାଇ ୨୯୫ ରନ୍‌ କରିଥିଲା । ନ୍ୟୁଜିଲାଣ୍ଡ ବ୍ୟାଟ୍‌ସମ୍ୟାନ୍‌ ଡବେନ୍‌ କାନ୍‌ୱେ ୧୩୮ ରନ୍‌ କରିବାକୁ ସକ୍ଷମ ହୋଇଥିଲେ ମଧ୍ୟ ଟିମକୁ ଜିତାଇ ପାରିଲେନି । କାନ୍‌ୱେଙ୍କୁ ବାଦ୍‌ ଦେଲେ ହେନରୀ ନିକଲ୍ସ ୪୨ ଓ ମାଇକେଲ ବ୍ରେସବେଲ ୨୬ ରନ୍‌ କରିଥିଲେ । ୨୬ ଓଭର ସୁଦ୍ଧା ଭାରତ କୌଣସି ୱିକେଟ୍‌ ନହରାଇ ୨୧୨ ରନ୍‌ କରିଥିଲା ।

ପ୍ରଥମ ୱିକେଟ୍‌ ଭାବେ ରୋହିତଙ୍କ ପତନ ଘଟିଲା । ତା’ର କିଛି ସମୟ ପରେ ଶୁଭମନ ଆଉଟ୍‌ ହେଲେ । ପରେପରେ ବିରାଟ କୋହଲି ୩୬, ଈଶାନ କିଶନ ୧୭ ଓ ସୂର୍ଯ୍ୟକୁମାର ଯାଦବ ୧୪ ରନ୍‌ କରି ପଡ଼ିଆରୁ ବିଦାୟ ନେଲେ ।

ସପ୍ତମ ୱିକେଟ୍‌ ଭାବେ ହାର୍ଦ୍ଦିକ ଓ ଶାର୍ଦ୍ଦୁଳ ଠାକୁର ଯୋଡ଼ି ଭାରତ ପାଇଁ ୫୪ ରନ୍‌ କରିଥିଲେ । ଆଜିର ଦିନିକିଆରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ୱିତୀୟ ବିରାଟ ସ୍କୋର କରିଥିଲା । ଏହା ପୂର୍ବରୁ ଭାରତ କ୍ରାଇଷ୍ଟଚର୍ଚ୍ଚରେ ୨୦୦୯ ମାର୍ଚ୍ଚ ୮ ତାରିଖରେ ୫୦ ଓଭରରେ ୪ ୱିକେଟ୍‌ ହରାଇ ୩୯୨ ରନ୍‌ କରିଥିଲା ।