ମୁଦ୍ରାର ଦୁଇପାଖ ମିଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମୋଦୀ

ଗଣତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ହେବେ ରାଷ୍ଟ୍ରପତି ସିସି….

ନୂଆଦିଲ୍ଲୀ: ଚଳିତ ଗଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମିଶର୍‌ ରାଷ୍ଟ୍ରପତି ଅବଦେଲ ଫତେହ ଅଲ-ସିସି । ମିଶର ଏବେ ଆର୍ଥିକ ସଂକଟ ଦେଇ ଗତି କରୁଛି । ତାକୁ ସାହାଯ୍ୟ କରିବା ପାଇଁ ବହୁ ଆରବ ଦେଶ ପଛାଇ ଯାଇଥିଲା ବେଳେ ଭାରତ ଆଗେଇ ଯାଇଛି । ଗହମ ରପ୍ତାନୀ ପ୍ରତି କଟକଣା ଜାରି କରିଥିଲେ ମଧ୍ୟ ମୋଦୀ ସରକାର ମିଶର ଜନତାଙ୍କ ପାଇଁ ପଠାଇଛନ୍ତି ଟନ୍‌ଟନ୍‌ ଗହମ ।

ମିଶର ଭଳି ମୁସଲିମ ରାଷ୍ଟ୍ରର ଅସ୍ଥିର ରାଜନୀତିକୁ ଦୃଢ଼ ଭାବେ ଅବସ୍ଥାପିତ କରିପାରିଛନ୍ତି ରାଷ୍ଟ୍ରପତି ଅଲ୍‌-ସିସି । ମିଶର କ୍ଷମତା ଉପରେ ଲୁହା ଭଳି ଅଟଳ ଅଲ-ସିସି ରାଜନୀତିକୁ ଆସିବା ପୂର୍ବରୁ ସେନାଧ୍ୟକ୍ଷ ଥିଲେ । ୨୦୧୩ ଜୁଲାଇରେ ସେ ରାଷ୍ଟ୍ରପତି ମହମ୍ମଦ ମୋର୍ସିଙ୍କୁ କ୍ଷମତାରୁ ହଟାଇ ନିଜକୁ ରାଷ୍ଟ୍ରପତି ଭାବେ ଘୋଷଣା କଲେ । ୧୯୫୪ ମସିହାରେ କାହିରାର ଗମଲିୟା ଅଂଚଳରେ ସିସିଙ୍କର ଜନ୍ମ ।

ତାଙ୍କ ବାପା ଜଣେ ବଢେ଼ଇ କାରିଗର । ପରିବାର ଭରଣପୋଷଣ ପାଇଁ ଆବଶ୍ୟକ ମୁତାବକ ଟଙ୍କା ରୋଜଗାର କରୁଥିଲେ । ପାଠ ପ୍ରତି ଆଗ୍ରହୀ ସିସି ପିଲାଟି ଦିନରୁ ସେନାବାହିନୀ ପ୍ରତି ଦୁର୍ବଳତା ପ୍ରକାଶ କରିଥିଲେ । ୧୯୭୭ରେ ସିସି ମିଶର ସେନା ଏକାଡେମୀରୁ ପଢ଼ା ଶେଷ କରି ପଦାତିକ ବାହିନୀରେ ଯୋଗଦାନ କଲେ । ପରେ ସେନାବାହିନୀର ଇଞ୍ଜିନିୟରିଂ ବିଭାଗକୁ ପଦୋନ୍ନତି ପାଇଲେ ।

କମ୍‌ ସମୟ ଭିତରେ ସିସି ସାଉଦି ଆରବରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଓ ତା’ପରେପରେ ମିଶରର ଉତରାଂଚଳ ଜୋନ କମାଣ୍ଡର ହେଲେ । ସମୟାନୁକ୍ରମେ ମିଶର ଗୁପ୍ତଚର ମୁଖ୍ୟ ପଦବୀକୁ ଯିବାପରେ ଆହୁରି ଆଗକୁ ଯିବା ପାଇଁ ବ୍ରିଟେନ୍‌ ଷ୍ଟାଫ୍‌ କଲେଜରେ ଅଧ୍ୟୟନ କଲେ । ୨୦୦୫ରେ ପେନ୍‌ସିଲଭାନିଆ ସେନା କଲେଜରୁ ମାଷ୍ଟର୍ସ ଡିଗ୍ରୀ ହାସଲ କଲେ । ୨୦୧୧ରେ ସିସି ମିଶର ସେନାବାହିନୀର ସର୍ବୋଚ୍ଚ ପରିଷଦକୁ ସଭ୍ୟ ଭାବେ ମନୋନୀତ ହେଲେ । ସେହିଠାରେ ହିଁ ତାଙ୍କ ମନରେ ରାଜନୀତି ପ୍ରତି ଆକାଂକ୍ଷା ଜାଗିଲା ।

୨୦୧୧ରେ ଆରବରେ ବଡ଼ ଧରଣର ଜନ ଆନ୍ଦୋଳନ ମୁଣ୍ଡ ଟେକିଲା । ତା’ର ପ୍ରଭାବ ମିଶର ଉପରେ ପଡ଼ିଲା । ମିଶରର ହଜାର ହଜାର ଜନତା ତକ୍ରାଳିନ ରାଷ୍ଟ୍ରପତି ହୋସ୍‌ନି ମୁବାରକଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଲେ । ଅନ୍ୟ ଉପାୟ ନପାଇ ମୁବାରକ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ । ଦେଶର ଶାସନ ଭାର ସେନା ପରିଷଦ ହାତକୁ ଚାଲିଗଲା । ମିଶର ରାଜନୀତିରେ ବ୍ରଦରହୁଡ୍‌ ପାର୍ଟିର ପ୍ରଭାବ ଅଧିକ ଥିଲା । ସିସି ଜଣେ କଟ୍ଟରପନ୍ଥୀ ମୁସଲମାନ ଥିବାରୁ ବ୍ରଦରହୁଡ୍‌ ସହ ନିବିଡ଼ ସଂପର୍କ ରଖିଲେ ।

ବ୍ରଦରହୁଡ୍‌ର ପରାକ୍ରମ ବଳରେ ମହମ୍ମଦ ମୋର୍ସି ରାଷ୍ଟ୍ରପତି ହେଲେ । କ୍ଷମତାକୁ ଯିବା ପରେ ମୋର୍ସିଙ୍କ ଚିନ୍ତାଧାରାରେ ଯଥେଷ୍ଟ ପରିବର୍ତନ ଘଟିଲା । ଫଳରେ ପୁଣି ଏକ ଆନ୍ଦୋଳନ ମୁଣ୍ଡ ଟେକିଲା । କଲେଜରେ ପଢ଼ିବା ସମୟରେ ସିସି ଏକ ସନ୍ଦର୍ଭ ଲେଖିଥିଲେ ଯୋଉଥିରେ ସେ ରକ୍ଷଣଶୀଳ ଧାର୍ମିକ ଚିନ୍ତାଧାରାକୁ ପ୍ରୋତ୍ସାହନ ଦେଇଥିଲେ । ତାଙ୍କ ମତରେ ଦେଶର ଶାସନ ଦାୟିତ୍ୱ ଜଣେ ରକ୍ଷଣଶୀଳ ଧାର୍ମିକ ନେତାଙ୍କ ହାତରେ ରହିବା ଦରକାର ।

ଧର୍ମ ନିରପେକ୍ଷତାର ମିଛ ଖୋଳପା ଭିତରେ ରହି ଛଦ୍ମବେଶୀ ମୁସଲିମ ଦେଶ ବୋଲାଇବା ତାଙ୍କ ବିଚାରଧାରା ନଥିଲା । ତେଣୁ ମୋର୍ସିଙ୍କ ସହିତ ତାଙ୍କର ସଂପର୍କ କ୍ରମେ ଫିକା ପଡ଼ିଗଲା । ମୋର୍ସିଙ୍କ ବିରୋଧରେ ମୁଣ୍ଡ ଟେକୁଥିବା ଜନ ଆନ୍ଦୋଳନକୁ ତୁମୁଳ ଆକାରକୁ ନେଇ ଯାଇଥିଲେ ସିସି । ପରେ ମଉକା ଦେଖି ତାଙ୍କୁ କ୍ଷମତାରୁ ତଡ଼ିଦେଲେ । ନିଜକୁ ରାଷ୍ଟ୍ରପତି ବୋଲାଇବାର କିଛି ମାସ ପରେ ୨୦୧୪ ଜାନୁଆରୀରେ ବିଧିବଦ୍ଧ ଭାବେ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେଲେ ।

ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ସେ ସେନାବାହିନୀକୁ ଅଧିକ ଦୃଷ୍ଟି ଦେଲେ । ସେନାବାହିନୀକୁ ମଜଭୁତ କରିବା ପାଇଁ ରାଜକୋଷରୁ ପାଣି ପରି ଟଙ୍କା ଖର୍ଚ୍ଚ କଲେ । ଫଳରେ ବେରୋଜଗାରକୁ ନିଯୁକ୍ତି, ଶିକ୍ଷା, ସେବା ଭଳି କ୍ଷେତ୍ରକୁ ଅଧିକ ଧ୍ୟାନ ଦେଇପାରିଲେନି । ଦେଶ ଭିତରେ ସିସିଙ୍କ ବିରୋଧରେ ଜନ ଆନ୍ଦୋଳନ ତେଜିଲା । ଦେଶବ୍ୟାପୀ ଆନ୍ଦୋଳନକୁ ଦମନ କରିବା ପାଇଁ ସିସି କଠୋର ଆଭିମୁଖ୍ୟ ପୋଷଣ କଲେ ।

ସେନାବାହିନୀକୁ ସୁଦୃଢ଼ କରିସାରିବା ପରେ ରାଜକୋଷକୁ ଅନାଇଲା ବେଳକୁ ତାହା ଶୂନ୍ୟ ପ୍ରାୟ । ତହୁଁ ସିସି ବିଶ୍ୱ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ନିକଟରେ ହାତ ପତାଇଲେ । ଆଇଏମ୍‌ଏଫ୍‌ର କଡ଼ା ନୀତିନିୟମକୁ ଗ୍ରହଣ କରି ସିସି ତିନି ତିନି ଥର ଋଣ କରିଛନ୍ତି । ତଥାପି ମିଶରକୁ ଆର୍ଥିକ ଅନଟନ ଭିତରେ ଗତି କରିବାକୁ ପଡୁଛି । ମିଶର ରାଷ୍ଟ୍ରପତି ସିସିଙ୍କ ଶାସନ ପଦ୍ଧତି ଓ ଧାର୍ମିକ ଚିନ୍ତାଧାରା ସହିତ ମିଶିଯାଉଛି ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭିମୁଖ୍ୟ । ଖାସ୍‌ ସେଇଥିପାଇଁ ସିସିଙ୍କୁ ସଙ୍ଖୋଳିବାକୁ ଅନାଇ ବସିଛନ୍ତି ମୋଦୀଜୀ ।