କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ତୋମର ବିହନ ଅନୁସନ୍ଧାନ ସମ୍ବନ୍ଧୀୟ ପୋର୍ଟାଲ ଏବଂ ମୋବାଇଲ୍ ଆପ୍‌ର ଆନୁଷ୍ଠାନିକ ଆରମ୍ଭ କରିଛନ୍ତି

କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର ଆଜି ବିହନ ଉତ୍ପାଦନ ସମ୍ବନ୍ଧିତ ଆହ୍ୱାନର ମୁକାବିଲା କରିବା, ଗୁଣବତ୍ତାପୂର୍ଣ୍ଣ ବିହନ ଚିହ୍ନଟ କରିବା ଏବଂ ବିହନ ପ୍ରମାଣୀକରଣ ପାଇଁ ପରିକଳ୍ପିତ ହୋଇଥିବା ବିହନ ଅନୁସନ୍ଧାନ ଯୋଗ୍ୟତା, ପ୍ରାମାଣିକିକରଣ ଏବଂ ସାମଗ୍ରିକ ଭଣ୍ଡାରଣ ପାଇଁ କେନ୍ଦ୍ରୀୟ ଅନ୍‌ଲାଇନ୍ ବ୍ୟବସ୍ଥା ସାଥୀ (ବିହନ ଅନୁସନ୍ଧାନ ଯୋଗ୍ୟତା, ପ୍ରାମାଣିକିକରଣ ଏବଂ ସାମଗ୍ରିକ ଭଣ୍ଡାରଣ ) ପୋର୍ଟାଲ୍ ଏବଂ ମୋବାଇଲ୍ ଆପ୍‌ର ଆନୁଷ୍ଠାନିକ ଭାବେ ଆରମ୍ଭ କରିଛନ୍ତି ।

କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟର ସହଯୋଗରେ ଏନ୍‌ଆଇସି ଦ୍ୱାରା ‘ଉତ୍ତମ ବିହନ – ସମୃଦ୍ଧ କିଷାନ୍‌’ ବିଷୟ ବସ୍ତୁ ଉପରେ ଆଧାର କରି ଏହାକୁ ବିକଶିତ କରାଯାଇଛି । ଏହି ଅବସରରେ ଶ୍ରୀ ତୋମର କହିଛନ୍ତି ଯେ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମ ଗୁଡିକ ମାଧ୍ୟମରେ କୃଷି କ୍ଷେତ୍ର ବିଭିନ୍ନ ସମୟରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ୱାନ ଏବଂ ଅସୁବିଧା ଗୁଡିକୁ ଦୂର କରିବା ନିମନ୍ତେ ଭାରତ ସରକାର ନିରନ୍ତର ଭାବେ ଚେଷ୍ଟା ଜାରି ରଖିଛନ୍ତି । ସାଥୀ ପୋର୍ଟାଲ୍ ମଧ୍ୟ ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ଯେତେବେଳେ ଏହାର ବ୍ୟବହାର ତୃଣମୂଳ ସ୍ତରରୁ ଆରମ୍ଭ ହେବ, ଏହା କୃଷି କ୍ଷେତ୍ରରେ ଏକ ବୈପ୍ଳବିକ ପଦକ୍ଷେପ ଭାବରେ ପ୍ରମାଣିତ ହେବ । ମୁଖ୍ୟ ଅତିଥି କେନ୍ଦ୍ର ମନ୍ତ୍ରୀ ଶ୍ରୀ ତୋମର କହିଛନ୍ତି ଯେ ଭାରତ ପାଇଁ କୃଷି ବହୁତ ଗୁରୁତ୍ୱ ରଖିଥାଏ ।

ପରିବର୍ତ୍ତିତ ପରିସ୍ଥିତିରେ ଏହି ଗୁରୁତ୍ୱ ଆହୁରି ବୃଦ୍ଧି ପାଇଛି । ପୂର୍ବରୁ କୃଷି କ୍ଷେତ୍ରରେ କେବଳ ଆମର ଆବଶ୍ୟକତା ପୂରଣ କରିବାର ଲକ୍ଷ୍ୟ ଥିଲା, କିନ୍ତୁ ବର୍ତ୍ତମାନ ଭାରତ ଉପରେ ବିଶ୍ୱର ଆଶା ମଧ୍ୟ ବୃଦ୍ଧି ପାଉଛି । ଏଭଳି ପରିସ୍ଥିତିରେ କୃଷି, ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ସମସ୍ତ ଆହ୍ୱାନର ମୁକାବିଲା କରିବାବେଳେ ବିଶ୍ୱକୁ ସହାୟତା ପ୍ରଦାନ କରିବା ହେଉଛିା ଆମର ଦାୟିତ୍ୱ । ନିମ୍ନ ଗୁଣବତ୍ତା ସମ୍ପନ୍ନ କିମ୍ବା ନକଲି ମଞ୍ଜି କୃଷିର ଅଭିବୃଦ୍ଧି ଉପରେ ପ୍ରଭାବ ପକାଇଥାଏ । ଏହା ଦ୍ୱାରା କୃଷକ ମାନଙ୍କର କ୍ଷତି ହୋଇଥାଏ ତଥା ଏହା ଦେଶର କୃଷି ଉତ୍ପାଦନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ସମୟ ସମୟରେ ଏହି କଥା ଉଠିଛି ଯେ ଆମେ ଏପରି ଏକ ବ୍ୟବସ୍ଥା ପ୍ରସ୍ତୁତ କରିବା ଉଚିତ ଯାହା ଦ୍ୱାରା ନକଲି ମଞ୍ଜି ଗୁଡିକର ବଜାର ନଷ୍ଟ କରାଯାଇ ଗୁଣାତ୍ମକ ମଞ୍ଜି ଚାଷୀ ମାନଙ୍କ ନିକଟରେ ପହଞ୍ଚିବ, ଏଥିପାଇଁ ଆଜି ସାଥୀ ପୋର୍ଟାଲ ଆରମ୍ଭ କରାଯାଇଛି । ଜଳବାୟୁ ପରିବର୍ତ୍ତନର ଏହି ଯୁଗରେ, ନୂତନ ପ୍ରକାରର କୀଟନାଶକ ଫସଲ ଉପରେ ପ୍ରଭାବ ପକାଉଛି, ଯାହକୁ ସମ୍ପୂର୍ଣ୍ଣ ରୂପେ ରୋକିବା ପାଇଁ କୃଷି ବୈଜ୍ଞାନିକମାନେ ସେମାନଙ୍କ ଗବେଷଣା ଉପରେ ଧ୍ୟାନ ଦେବା ଉଚିତ୍ । ଯଦି ଆମେ ଏହି କ୍ଷତି ରୋକିବାକୁ ସକ୍ଷମ ହେବା, ତେବେ ଆମେ ସମଗ୍ର କୃଷି ଉତ୍ପାଦନର ୨୦ ପ୍ରତିଶତ ସଞ୍ଚୟ କରି ପାରିବା ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ତୋମର କହିଛନ୍ତି ଯେ ସାଥୀ (ବିହନ ଅନୁସନ୍ଧାନ ଯୋଗ୍ୟତା, ପ୍ରାମାଣିକିକରଣ ଏବଂ ସାମଗ୍ରିକ ଭଣ୍ଡାରଣ) ପୋର୍ଟାଲର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅଧିକ ସମୟ ନ ନେବାକୁ ସେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସଚେତନତା ବୃଦ୍ଧି ପାଇଁ ପ୍ରୟାସ କରାଯିବା ଉଚିତ, ଯାହା ଦ୍ୱାରା କୃଷକମାନେ ଏଥିରୁ ସମ୍ପୂର୍ଣ୍ଣ ଲାଭ ପାଇ ପାରିବେ । ଏହି ବ୍ୟବସ୍ଥା ଅଧୀନରେ ଏକ କ୍ୟୁଆର୍ କୋଡ୍ ରହିବ, ଯାହା ମାଧ୍ୟମରେ ବିହନ ଗୁଡିକ ଚିହ୍ନଟ କରା ଯାଇପାରିବ । ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇସିଏଆର), କୃଷି ବିଜ୍ଞାନ କେନ୍ଦ୍ର ଏବଂ ରାଜ୍ୟ ସରକାର ମାନଙ୍କ ମାଧ୍ୟମରେ ଏହି ସମ୍ବନ୍ଧରେ ତାଲିମ ଦିଆଯିବା ଉଚିତ୍ । ସେ ସମସ୍ତ ରାଜ୍ୟକୁ ବିହନ ଅନୁସନ୍ଧାନ ଯୋଗ୍ୟତା ବ୍ୟବସ୍ଥାରେ ଯୋଡି ହେବାକୁ ଅନୁରୋଧ କରିଛନ୍ତି ।

ସାଥୀ ପୋର୍ଟାଲ୍ ଗୁଣାତ୍ମକ ନିଶ୍ଚିତତା ବ୍ୟବସ୍ଥାକୁ ନିଶ୍ଚିତ କରିବ, ବିହନ ଉତ୍ପାଦନ ଶୃଙ୍ଖଳା ଦ୍ୱାରା ବିହନର ଉତ୍ସ ଚିହ୍ନଟ କରିବ । ଏହି ବ୍ୟବସ୍ଥାରେ ବିହନ ଶୃଙ୍ଖଳାର ସମନ୍ୱିତ ୭ ଟି ଭୂଲମ୍ବ ସାମିଲ ହେବେ, ସେଗୁଡିକ ହେଉଛି ଅନୁସନ୍ଧାନ ସଂଗଠନ, ବିହନ ପ୍ରମାଣପତ୍ର, ବିହନ ଲାଇସେନ୍ସ, ବିହନ ସୂଚୀ, ଡିଲର ମାନଙ୍କ ଦ୍ୱାରା କୃଷକଙ୍କୁ ବିକ୍ରି, କୃଷକ ପଞ୍ଜୀକରଣ ଏବଂ ବିହନ ଡିବିଟି । ବୈଧ ପ୍ରମାଣ ପତ୍ର ସହିତ ବିହନ କେବଳ ବୈଧ ଲାଇସେନ୍ସପ୍ରାପ୍ତ ଡିଲରଙ୍କ ଦ୍ୱାରା କେନ୍ଦ୍ରୀୟ ରୂପରେ ପଞ୍ଜୀକୃତ କୃଷକ ମାନଙ୍କୁ ବିକ୍ରୟ କରାଯାଇପାରିବ, ଯେଉଁମାନେ ଡିବିଟି ମାଧ୍ୟମରେ ସିଧାସଳଖ ସେମାନଙ୍କ ପୂର୍ବ- ବୈଧ ବ୍ୟାଙ୍କ ଖାତାରେ ରିହାତି ପାଇ ପାରିବେ ।

ଏହି କାର୍ଯ୍ୟକ୍ରମରେ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟର ସଚିବ ଶ୍ରୀ ମନୋଜ ଆହୁଜା, ଯୁଗ୍ମ ସଚିବ (ବିହନ) ଶ୍ରୀ ପଙ୍କଜ ଯାଦବ ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିବାବେଳେ ଭିଡିଓ କନଫରେନ୍ସ ମାଧ୍ୟମରେ ରାଜ୍ୟ ତଥା ଆଇସିଏଆରର ପ୍ରମୁଖ ଅଧିକାରୀମାନେ ଯୋଗ ଦେଇଥିଲେ ।