ମିଳିତ ଜାତିସଂଘ ଦିବସ

ସାରା ବିଶ୍ୱକୁ ଯୁଦ୍ଧ ଘନଘଟାରୁ ରକ୍ଷା କରିବା ପାଇଁ ବିଶ୍ୱ ଭାତୃତ୍ୱ…

ଭୁବନେଶ୍ୱର: ବିଶ୍ୱବାସୀଙ୍କୁ ଯୁଦ୍ଧ ଘନଘଟାରୁ ରକ୍ଷା କରିବା ପାଇଁ ବିଶ୍ୱ ଭାତୃତ୍ୱ ଓ ସଦ୍‌ଭାବନାର ଆବଶ୍ୟକତା ଜରୁରୀ । ସାରା ବିଶ୍ୱକୁ ଗୋଟିଏ ପରିବାର ମଣିଛି ଆମ ଜଗନ୍ନାଥ ସଂସ୍କୃତି । ‘ବସୁଧୈବ କୁଟୁମ୍ବକମ୍‌’ ଯାହାର ଅର୍ଥ ଏହି ପୃଥିବୀରେ ଯିଏ ଯୋଉଠି ଯେଉଁ ଭଳି ପରିସ୍ଥିତିରେ ବସବାସ କରୁଛନ୍ତି; ସେମାନେ ସମସ୍ତେ ଗୋଟିଏ କୁଟୁମ୍ବ ବା ପରିବାରର ଅଂଶ । କେତେ ପବିତ୍ର ଭାବନା । କୁହନ୍ତୁ ତ! ଏଭଳି ଚିନ୍ତାଧାରା ଆଉ କୋଉ ଧର୍ମରେ ପ୍ରତିଫଳିତ।

ଅନ୍ୟର କଷ୍ଟକୁ ନିଜ ଭିତରେ ଅନୁଭବ କରି ପାରୁଥିବା ଲୋକ ହିଁ ମହାପ୍ରଭୁ ଜଗନ୍ନାଥଙ୍କ କରୁଣା ପ୍ରାପ୍ତ । ଏ ପ୍ରକାର ଭାବନା ଖୁବ୍‌ କମ୍‌ ଲୋକଙ୍କ ଭିତରେ ଅଛି । ଆଉ ସେଇମାନଙ୍କ ଧର୍ମବଳରେ ଏ ସଂସାର ରୂପକ ନନ୍ଦିଘୋଷ ଗଡୁଛି ।

ମିଳିତ ଜାତିସଂଘ ଗଠନ କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆନ୍ତର୍ଜାତିକ ସ୍ତରରେ ଶାନ୍ତି ଓ ସୁରକ୍ଷା ପ୍ରତିଷ୍ଠା । ବିଶ୍ୱବକ୍ଷରୁ ଯୁଦ୍ଧ ବିଭୀଷିକା ହଟାଇବା ଓ ଆର୍ଥିକ ଅନଗ୍ରସର ଦେଶକୁ ଶିକ୍ଷା, ସ୍ୱାସ୍ଥ୍ୟ ଓ କ୍ଷୁଧା ଦାଉରୁ ରକ୍ଷା କରିବା । ମିଳିତ ଜାତିସଂଘର ଦୁଇଟି ସଦନ ଜେନେରାଲ ଆସେମ୍ଲି ବା ସାଧାରଣ ପରିଷଦ । ଅନ୍ୟଟି ନିରାପତା ପରିଷଦ ବା ସିକୁରିଟି କାଉନ୍‌ସିଲ । ସିକୁରିଟି କାଉନ୍‌ସିଲରେ ୧୦ ଜଣ ଅସ୍ଥାୟୀ ସଭ୍ୟ ଓ ପାଂଚଜଣ ସ୍ଥାୟୀ ସଭ୍ୟ । ସଂକ୍ଷେପରେ କହିଲେ, ଏହି ପାଂଚଜଣ ସଭ୍ୟଙ୍କ ହାତରେ ସାରା ବିଶ୍ୱକୁ ବିନା ପକ୍ଷପାତରେ ପରିଚାଳନା କରିବା ପାଇଁ ଧରାଇ ଦିଆଯାଇଛି ଅଖଣ୍ଡ କ୍ଷମତା ‘ଭିଟୋ ପାୱାର’ । ଏହି ଭିଟୋ ପାୱାର ବଳରେ ରୁଷିଆ ମିଳିତ ଜାତିସଂଘକୁ ଅବମାନନା କରିଚାଲିଛି । ଏହି ଭିଟୋ ବଳରେ ଚୀନ ମିଳିତ ଜାତିସଂଘର କୌଣସି କଟକଣାକୁ ଡରୁନାହିଁ । ଏପରିକି ଶକ୍ତିଶାଳୀ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ଚୀନ ଓ ରୁଷିଆ ବିରୋଧରେ ସିଧାସଳଖ କୌଣସି ପଦକ୍ଷେପ ଗ୍ରହଣ କରିବାକୁ ପଛାଇ ଯାଉଛି । ଗରିବ ଲୋକଙ୍କ ତ୍ରାଣକର୍ତା ଭାବେ କମୁନିଷ୍ଟ ଶାସକମାନେ ମୁଣ୍ଡ ଟେକିଥିଲେ ।

ସେହିଭଳି ରୁଷିଆର ଜାର ଓ ଚୀନର ସାମନ୍ତବାଦୀ ଶକ୍ତିକୁ ଲୋପ କରିବା ପାଇଁ ଲେନିନ୍‌ ଓ ମାଓ ସେ ତୁଙ୍ଗ ଯନ୍ତ୍ରଣା ଜର୍ଜରିତ ଗରିବ ଲୋକଙ୍କ ନେତା ସାଜିଥିଲେ । ମାତ୍ର ସେହି ଦୁଇଟି କମୁନିଷ୍ଟ ଶକ୍ତି ଏବେ ସାରା ବିଶ୍ୱକୁ ଦବାଇ ରଖିବାକୁ ଚେଷ୍ଟା କରୁଛନ୍ତି । ଏଭଳି ବ୍ୟତିକ୍ରମ କାହିଁକି? ଭିଟୋ ପାୱାର । ୟୁକ୍ରେନ ଉପରେ ହମ୍‌ଲା କରିବା ପାଇଁ ରୁଷିଆର ସାହସ ହେଲା କେମିତି? କାରଣ ମିଳିତ ଜାତିସଂଘ ତା’ ହାତରେ ଧରାଇଦେଇଛି ଭିଟୋ ପାୱାର । ହଂକଂ, ଥାଇଲାଣ୍ଡ ଓ ଦକ୍ଷିଣ ଚୀନ ସାଗରକୁ ଦଖଲ କରିବାର ସାହସ ଚୀନ ମନରେ ସୃଷ୍ଟି ହେଲା କେମିତି? ମିଳିତ ଜାତିସଂଘ ପ୍ରଦତ ଭିଟୋ ପାୱାର ବଳରେ ।

ବିଶ୍ୱବାସୀଙ୍କ କଲ୍ୟାଣ ପାଇଁ ବ୍ରିଟେନ, ଫ୍ରାନ୍ସ , ଯୁକ୍ତରାଷ୍ଟ୍ର ଆମେରିକା ,ରୁଷିଆ ଓ ଚୀନ୍‌ ହାତରେ ଧରାଇ ଦିଆଯାଇଥିଲା ଭିଟୋ କ୍ଷମତା । ପାଞ୍ଚଟି ଦେଶ ଭିତରୁ ରୁଷିଆ ଓ ଚୀନ ସେମାନଙ୍କ ହୀନ ସ୍ୱାର୍ଥରକ୍ଷା ପାଇଁ ଭିଟୋ ପାୱାରକୁ ଅପବ୍ୟବହାର କରି ଚାଲିଛନ୍ତି I ଆଜି ମିଳିତ ଜାତିସଂଘ ଦିବସ ପାଳନ ଅବସରରେ ମୁଁ ଯେଉଁ ପ୍ରସ୍ତାବ ଆଗତ କରିବାକୁ ଚାହୁଁଛି । ତାହା ହେଉଛି ‘ସାଧାରଣ ପରିଷଦକୁ ଭିଟୋ ପାୱାର ପ୍ରତ୍ୟାହାର କ୍ଷମତା ପ୍ରଦାନ’ । ସାଧାରଣ ପରିଷଦ ହାତରେ ଭିଟୋ କ୍ଷମତା ପ୍ରତ୍ୟାହାର କରିବାର ଅଧିକାର ରହିଲେ; ସ୍ଥାୟୀ ସଭ୍ୟମାନେ ଭିଟୋ କ୍ଷମତାର ଅପବ୍ୟବହାର କରିପାରିବେନି । ଆସନ୍ତୁ, ଆମେ ମିଳିତ ଭାବେ ଜାତିସଂଘ ନିକଟକୁ ସ୍ମାରକପତ୍ର ପଠାଇ ସାରାବିଶ୍ୱକୁ କ୍ଷମତାଶାଳୀ ଦେଶଗୁଡ଼ିକର ନାଲିଆଖିରୁ ରକ୍ଷା କରିବା ।

ସା କ୍ ସୀ ୱାର୍ଲଡ(SHAKSI WORLD ASSOCIATION CHARITABLE TRUST) ପକ୍ଷରୁ ଆୟୋଜିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ବିଶିଷ୍ଟ ରାଜନୀତି ଆଲୋଚକ ସୁଶାନ୍ତ ସର୍ବେଶ୍ୱର ଦାସ, ବିଶିଷ୍ଟ ସମାଜସେବୀ ସରୋଜ କୁମାର ବିଶ୍ୱାଳ, ସମାଜସେବୀ ପଙ୍କଜ ଶତପଥୀ, ଅନସୂୟା ସାମଲ, ସ୍ୱୟଂପ୍ରଭା ମିଶ୍ର, ଆଇନ ଗବେଷକ ରତିରଞ୍ଜନ ବାଗ, ସୁନାକର ବାରିକ, ଅଭିଳାଷ ଜେନା ଓ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ।