ସଂକଟରେ ବିଶ୍ୱ ଅର୍ଥନୀତି: ଆଇଏମଏଫ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘୋମାଘୋଟ ଯୁଦ୍ଧ । ରୁଷ ସେନାର ମିସାଇଲ ମାଡରେ ୟୁକ୍ରେନ ଧ୍ୱଂସବିଧ୍ୱସ୍ତ ହୋଇଯାଇଛି । ରୁଷର ଏହି ଆକ୍ରମଣ ଜାରି ରହିଥିବା ଯୁଦ୍ଧ ଆଜି ୧୩ ଦିନରେ ପହଞ୍ଚ଼ିଛି । ରୁଷ ଦ୍ୱାରା ୟୁକ୍ରେନ ଆକ୍ରମଣ ପରିପ୍ରେକ୍ଷୀରେ ଆମେରିକା ସମେତ ୟୁରୋପୀୟ ୟୁନିୟନ ରୁଷ ଉପରେ ବିଭିନ୍ନ ଆର୍ଥିକ କଟକଣା ଲାଗୁ କରିଛନ୍ତି । ଏହି କଟକଣା ଯୋଗୁଁ ବିଶ୍ୱ ଅର୍ଥନୀତି ଉପରେ ପ୍ରଭାବ ପଡିବ ବୋଲି ଆଇଏମ୍‌ଏଫ ଚେତାବନୀ ଦେଇଛି । ସ୍ଥିତି ଗମ୍ଭୀର ରହିବା ସହିତ ଆର୍ଥିକ ଗତିବିଧିରେ ଅନିଶ୍ଚିତତା ଜାରିରହିଛି । ଅନ୍ୟପକ୍ଷରେ ରୁଷ-ୟୁକ୍ରେନ ମଧ୍ୟରେ ଅହେତୁକ ଭାବେ ଖାଦ୍ୟ ସାମଗ୍ରୀର ଦର ନିକଟରେ ହୁ ହୁ ହୋଇ ବଢିବାରେ ଲାଗିଛି । ଦରବୃଦ୍ଧି ଯୋଗୁଁ ଗରିବମାନେ ପରିବାର ପ୍ରତିପୋଷଣ ପାଇଁ ଅଥୟ କଷ୍ଟ ଭୋଗୁଛନ୍ତି ।

ସୂଚନାଯେଗ୍ୟା ଯେ, ଯଦି ଯୁଦ୍ଧ ଅଧିକ ଦିନ ପର୍ଯ୍ୟନ୍ତ ଜାରିରହେ ତେବେ ବିଶ୍ୱ ଅର୍ଥନୀତି ପ୍ରତି ବିପଦ ଅଧିକ ଘନୀଭୂତ ହେବ ବୋଲି ଆଇଏମଏଫ କହିଛି । ଅନ୍ୟପକ୍ଷରେ ଯୁଦ୍ଧ ଯୋଗୁଁ ୟୁକ୍ରେନ ତଥା ଆଖପାଖ ଅଞ୍ଚଳରେ କୃଷି ଧ୍ୱଂସ ପାଇବା ସହ ଅନେକ ବନ୍ଦର ବନ୍ଦ କରିଦିଆଯାଇଛି । ସେହିପରି ବ୍ରେଡ, ନୁଡୁଲ୍ସ ଓ ପଶୁଖାଦ୍ୟର ଯୋଗାଣ ବାଧାପ୍ରାପ୍ତ ହୋଇଛି । ସେହିପରି ଗହମ ଦର ପାଖାପାଖି ୫୫% ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ସୂଚନାଯୋଗ୍ୟ ଯେ, ରୁଷ ଓ ୟୁକ୍ରେନ ସାରା ବିଶ୍ୱକୁ ଏକ ତୃତୀୟାଂଶ ଗହମ ଯୋଗାଇ ଦେଇଥାନ୍ତି । ଏହାବ୍ୟତୀତ ୟୁକ୍ରେନ କର୍ନ ଓ ସୂର୍ଯ୍ୟମୂଖୀ ତେଲର ବଡ ଉତ୍ପାଦକ । ଅନ୍ୟପକ୍ଷରେ ଆଫ୍ରିକାନ ଦେଶଗୁଡିକ ଅଧିକ ପରିମାଣରେ ରୁଷରୁ ଗହମ ଆମଦାନୀ କରିଥାନ୍ତି । ଯାହା ଯୁଦ୍ଧ ଯୋଗୁଁ ସମ୍ପୂର୍ଣ୍ଣ ବନ୍ଦ ରହିଛି । ସବୁଠୁ ବଡ କଥା ହେଉଛି ସମଗ୍ର ବିଶ୍ୱକୁ ୟୁକ୍ରେନ-ରୁଷ ସୂର୍ଯ୍ୟମୁଖୀ ତେଲ, ଗହମ ଓ ଅନ୍ୟାନ୍ୟ ଖାଇବାତେଲ ଯୋଗାଣରେ ସିଂହଭାଗ ରହିଛି । ଏହି ସବୁ ଯୋଗାଣ ପ୍ରଭାବିତ ହେଲେ ବିଶ୍ୱରେ ଦରବୃଦ୍ଧି ଘଟିବ ବୋଲି ଆଇଏମଏଫ ଚେତାବନୀ ଦେଇଛି ।