ସବୁଠୁ ଭୟଙ୍କର ମରୁଡ଼ି : ୟୁରୋପ, ପୂର୍ବ ଆଫ୍ରିକା ସ୍ଥିତି ସାଘାଂତିକ

ନୂଆଦିଲ୍ଲୀ: ଏଥର ଗ୍ରୀଷ୍ମଋତୁରେ ସମଗ୍ର ୟୁରୋପ ଓ ଚୀନ ଅଧିକାଂଶ ଭାଗ ଅତ୍ୟଧିକ ଉତ୍ତାପରେ ଛଟପଟ । ଆଫ୍ରିକାରେ ଅସ୍ୱାଭାବିକ ଶୁଖିଲା ପାଗ ଯୋଗୁଁ କୋଟି କୋଟି ଲୋକ ଦୁର୍ଭିକ୍ଷ ଜ୍ୱାଳାରେ କଲବଲ । ରିପୋର୍ଟ ଅନୁଯାୟୀ ୟୁରୋପରେ ବିଗତ ୫୦୦ ବର୍ଷ ମଧ୍ୟରେ ସବୁଠୁ ବଡ଼ ମରୁଡ଼ି ଦେଖାଦେଇଛି । ଚଳିତବର୍ଷ ଅଗଷ୍ଟ ମଧ୍ୟଭାଗ ପରଠାରୁ ପ୍ରାୟ ଅଧା ୟୁରୋପରେ ‘ମୃତ୍ତିକା ଆଦ୍ରତା ଅଭାବ’ ପରିଲକ୍ଷିତ ହୋଇଛି । ବୈଜ୍ଞାନିକଙ୍କ ମୁତାବକ ଜଳବାୟୁ ପରିବର୍ତ୍ତନ ପ୍ରଭାବରୁ ୟୁରୋପ ଏଭଳି ସ୍ଥିତିର ସାମ୍ନା କରିଛି । ଅତୀତରେ ୟୁରୋପରେ ଅନେକ ଥର ମରୁଡ଼ି ହୋଇଛି । କିନ୍ତୁ ଉତ୍ତପ୍ତ ଗ୍ରୀଷ୍ମ ଏବଂ ରେକର୍ଡ ତାପମାତ୍ରା ଯୋଗୁଁ କିଛି ବର୍ଷ ହେବ ମରୁଡ଼ି ପରିସ୍ଥିତି ଭୟାନକ ପାଲଟିଛି । ୟୁରୋପ ଲଗାତର ୫ ବର୍ଷ ହେଲା ମରୁଡ଼ି ସାମ୍ନା କରୁଛି । କିନ୍ତୁ ଚଳିତବର୍ଷ ଏହା ସବୁଠୁ ଖରାପ ସ୍ଥିତି ସୃଷ୍ଟି କରିଛି । କେବଳ ବର୍ଷା ପରିମାଣ କମିବା ଯୋଗୁ ଏଭଳି ହୋଇନାହିଁ ବରଂ ଅଧିକ ତାପମାତ୍ରା ଦ୍ୱାରା ମୃତ୍ତିକାର ଆଦ୍ରତା ହ୍ରାସ ପାଇବା ଯୋଗୁ ମରୁଡ଼ି ସୃଷ୍ଟି ହୋଇଛି । ଏପଟେ ଏସୀୟ ଦେଶ ଚୀନ୍‌ରେ ଏ ବର୍ଷ ଉଚ୍ଚ଼ ତାପମାତ୍ରାର ଅବଧି ଲମ୍ବିବାରେ ଲାଗିଛି । ଅତ୍ୟଧିକ ଗରମ ଯୋଗୁ ୟାଙ୍ଗଜେ ନଦୀର ଜଳସ୍ତର ଆଶାତୀତ ହ୍ରାସ ପାଇଛି ।

ଅନ୍ୟପକ୍ଷରେ ଆଫ୍ରିକାରେ ଏବେ ଦୁର୍ଭିକ୍ଷ ପରିସ୍ଥିତି ଉପୁଜିଛି । ପୂର୍ବ ଇଥିଓପିଆ, ଉତ୍ତର କେନିୟା ଏବଂ ସୋମାଲିଆରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବା ଯୋଗୁ ୨.୨ କୋଟି ଲୋକ ଦୁର୍ଭିକ୍ଷର ଶିକାର ହୋଇଛନ୍ତି । ଆଫ୍ରିକାରେ ଲଗାତର ତୃତୀୟ ବର୍ଷ ପାଇଁ ସବୁଠୁ କମ ବର୍ଷା ହୋଇଥିବା ବେଳେ ଅତ୍ୟଧିକ ତାପମାତ୍ରା ଅନୁଭୂତ ହୋଇଛି । ସୋମାଲିଆରେ ମାର୍ଚ୍ଚରୁ ମେ’ ମଧ୍ୟରେ ହୋଇଥିବା ବର୍ଷା ପରିମାଣ ୬ ଦଶନ୍ଧି ମଧ୍ୟରେ ସର୍ବନିମ୍ନ ବୋଲି ଜଣାପଡ଼ିଛି । ଡିଆର କଙ୍ଗୋ ଓ ଉଗାଣ୍ଡାର ଅଧିକାଂଶ ଅଞ୍ଚଳରେ ହାରାହାରି ତୁଳନାରେ ଅଧିକ ଶୁଖିଲା ପାଗ ଦେଖିବାକୁ ମିଳିଛି ।