ବାହୁନି କାନ୍ଦୁଚି ଗଣମାଧ୍ୟମ

ଲୋକସେବା ଭବନକୁ ସାମ୍ବାଦିକଙ୍କ ପ୍ରବେଶକୁ ଦଉଡ଼ି ଟାଣି ଅଟକ..

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ଗଣମାଧ୍ୟମର ଏ ପ୍ରକାର ଚିନ୍ତାଧାରା ନିରପେକ୍ଷତାର ପରିପନ୍ଥୀ । କରୋନା କାରଣରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବିଧାନସଭା କକ୍ଷ ଭିତରକୁ ଛଡ଼ାଗଲାନି । ସରକାରୀ କାର୍ଯ୍ୟକ୍ରମକୁ ବି ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ କରାଯାଉଛି। ଗତ ୧୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକ୍ରମକୁ ବି ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରବେଶ ଅନୁମତି ମିଳିନଥିଲା।

ସେହିପରି ମଙ୍ଗଳବାର ବିଧାନସଭା ଅଧିବେଶନ ଆରମ୍ଭ ହେଲା; ଅଥଚ ଗଣମାଧ୍ୟମ ପ୍ରତିନିଧିଙ୍କ ରାସ୍ତା ଓଗାଳିଲା ପୁଲିସ । ଖବର ସଂଗ୍ରହ ପାଇଁ ବିଧାନସଭା ଭିତରକୁ ପ୍ରବେଶ ପାଇଁ ଉଦ୍ୟମ ବେଳେ ବି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୁରକ୍ଷାକର୍ମୀମାନେ ଦଉଡ଼ି ଟାଣି ଅଟକାଇଥିଲେ। ଏହାକୁ ନେଇ ଉଠିଛି ଅନେକ ପ୍ରଶ୍ନ।

ରାଜ୍ୟ ସରକାରଙ୍କ ଏପରି ଆଚରଣ ସବୁ ଗଣମାଧ୍ୟମକୁ କଷ୍ଟ ଦେଇଛି । ହେଲେ କ’ଣ ବା କରିପାରିବେ? ବ୍ୟକ୍ତିଗତ ଫାଇଦା ହାସଲ ଚକ୍କରରେ କିଛି ଗଣମାଧ୍ୟମ ସଂସ୍ଥାର ମାଲିକମାନେ କ୍ଷମତାସୀନ ଦଳର ଗୋଲାମ ସାଜିଛନ୍ତି । ଅତଏବ ଗୋଲାମଗିରି କରୁଥିବା ଗଣମାଧ୍ୟମ ସଂସ୍ଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାମ୍ନାରେ ମୁଣ୍ଡ ଉଠାଇ ଠିଆ ହୋଇପାରିବ କି?

ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଏକ ନିର୍ବାଚିତ ସରକାରଙ୍କ ଏ ପ୍ରକାର ଆଭିମୁଖ୍ୟ ଆଦୌ ଗ୍ରହଣୀୟ ନୁହେଁ । ମାତ୍ର କହିବା କାହାକୁ, କପାଳରେ କର ମାରିବା ଛଡ଼ା ଆମ ଗଣମାଧ୍ୟମ ପ୍ରତିନିଧିଙ୍କ ହାତରେ ଆଉ କିଛି କ୍ଷମତା ନାହିଁ । ଦିନ ଥିଲା, ଅସୀଠାରୁ ମସୀକୁ କ୍ଷମତାଶାଳୀ କୁହାଯାଉଥିଲା । ମାତ୍ର ରାଜନୀତିର ସଂଜ୍ଞା ବଦଳି ଯାଇଛି । ଅସୀ ନିକଟରେ ମସୀ ମୁଣ୍ଡ ତଳକୁ କରି ଯୋଡ଼ ହସ୍ତରେ ଠିଆ ହୋଇଛି ।

କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏ ଦୃଶ୍ୟ ଦେଖି ସରକାରଙ୍କ ଉପରେ ପୂରା ଖପ୍ପା ହୋଇଛନ୍ତି। ସେ କହିଛନ୍ତି, ସାମ୍ବାଦିକଙ୍କୁ କେଉଁଠାକୁ ଛାଡ଼ିବନି। ସାମ୍ବାଦିକ କ’ଣ ଗଛ ତଳେ ବୁଲିବେ? ଏହା ଅନ୍ୟାୟ।

ସେହିପରି ବିରୋଧୀ ଦଳ ମୁଖ୍ୟ ସେଚତକ ମୋହନ ମାଝୀ କହିଛନ୍ତି ଯେ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ପ୍ରତି ସରକାରଙ୍କ ଏଭଳି ଆଚରଣ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଅନ୍ୟପକ୍ଷରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି ଯେ ଆଜି ଘଟଣାର ତର୍ଜମା କରାଯିବ।

ବିଧାନସଭା ପରିସରରେ ସାମ୍ବାଦିକଙ୍କୁ ଅଶୋଭନୀୟ ଅବରୋଧ ପ୍ରସଙ୍ଗ ସାରା ଗଣମାଧ୍ୟମ ପାଇଁ ଏକ କଳାଦିବସ। ତେବେ କାହିଁକି ସାମ୍ବାଦିକଙ୍କ ଉପରେ ସରକାରଙ୍କ ଏତେ ରାଗ ? ନିଜ ଇଚ୍ଛା ମୁତାବକ ଖବର ପରିବେଷଣ ହେଉନଥିବାରୁ ନା ସରକାରଙ୍କ ପୋଲ୍ ଖୋଲି ଦେଉଥିବାରୁ ଗଣମାଧ୍ୟମ ଉପରେ ବଢୁଛି ଆକ୍ରୋଶ ? ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ସିଧା ସିଧା ବାରଣକୁ ଦେଖି ସୋଶାଲ ମିଡିଆରେ ବି ବଢୁଛି ଜନତାଙ୍କ ଅସନ୍ତୋଷ। ବର୍ତ୍ତମାନ ସମୟରେ ଅନେକ ବିଧାୟକ ଓ ମନ୍ତ୍ରୀ ଏକଦା ସାମ୍ବାଦିକତା ପେଶାରେ ଥିଲେ। ତେଣୁ ସେମାନେ ସରକାରଙ୍କ ଏଭଳି ଆଭିମୁଖ୍ୟ ଉପରେ ଚୁପ୍ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

କ୍ଷମତାସୀନ ଦଳକୁ ସାବାଡ୍‌ କରିବାକୁ ହେଲେ ସବୁ ଗଣମାଧ୍ୟମ ଏକାଠି ହୋଇ ସରକାରୀ କାର୍ଯ୍ୟକ୍ରମକୁ ବଏ କଟ୍‌ କରନ୍ତୁ; ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକଙ୍କର କୌଣସି ଖବରକୁ ଗୁରୁତ୍ୱ ଦିଅନ୍ତୁ ନାହିଁ । ଘରୋଇ ଚାନେଲଗୁଡ଼ିକ କ୍ଷମତାସୀନ ଦଳର କୌଣସି କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତୁ ନାହିଁ । ସବୁ ଥାନା ଆଗରେ ଗଣମାଧ୍ୟମ ପ୍ରତିନିଧି ମହଲ ଠିଆ ହୁଅନ୍ତୁ ।
ଏପରି କଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରା ସାଇଜ୍‌ ହୋଇଯିବେ । କ୍ଷମତାସୀନ ବିଜେଡି ପୁରା ସାବାଡ୍‌ ହୋଇଯିବ । ପୁଲିସ ପ୍ରଶାସନ ପୁରା ସାବାଡ୍‌ ହୋଇଯିବ । କିନ୍ତୁ ଆମର ଏଭଳି ପରାମର୍ଶ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ପିତା ଲାଗିବ ।

କିଛି ଗଣମାଧ୍ୟମ ପ୍ରତିନିଧି ଅଛନ୍ତି ଯୋଉମାନେ ଥାନାରେ ମାମଲା ଦଫାରଫା ପାଇଁ ପୁଲିସଙ୍କ ସହ ସାଲିସ କରି କିଛି ଟେବୁଲ ତଳିଆ ରୋଜଗାର କରିଥାନ୍ତି । ଆଉ କିଛି ଗଣମାଧ୍ୟମ ପ୍ରତିନିଧି ମନ୍ତ୍ରୀ ଓ ବିଧାୟକଙ୍କ ନିକଟରୁ ଚା’ପାନ ବାବଦକୁ ଖର୍ଚ୍ଚାପାଣି ଗ୍ରହଣ କରନ୍ତି ।
ସେଭଳି ପ୍ରତିନିଧିମାନଙ୍କ ପକ୍ଷେ ବିଧାନସଭା ଭିତର ଓ ବାହାର ସବୁ ସମାନ । ବିଧାନସଭା କକ୍ଷ ଭିତରକୁ ନଯାଇ ସେମାନଙ୍କ ପାଖରେ ଟିକିନିଖି ଖବର ପହଂଚିଯିବ । ଗଣତନ୍ତ୍ରର ସବୁ ସ୍ତମ୍ଭରେ ଗୃହଭେଦୀ ବିଭୀଷଣ ଅଛନ୍ତି; ଗଣମାଧ୍ୟମ ସେଥିରୁ ବାଦ ପଡ଼ିବ କିପରି?