ଭୁବନେଶ୍ୱର: ଷ୍ଟ୍ରୋକ୍ ଏକ ଗମ୍ଭୀର ସମସ୍ୟା, ଯାହାର ଶିକାର କେହି ହୋଇପାରନ୍ତି। ଫଳରେ ବ୍ୟକ୍ତି ବିଭିନ୍ନ ସମସ୍ୟାର ଶିକାର ହେବାର ଆଶଙ୍କା ବଢିଥାଏ। ଏହାକୁ ପୋଷ୍ଟ ଷ୍ଟ୍ରୋକ୍ ଡିପ୍ରେସନ୍ କୁହାଯାଏ। ଏହାକୁ ସଠିକ୍ ସମୟରେ ନିରୂପଣ କରି ଚିକିତ୍ସା କରିବା ଜରୁରି। ତେବେ ଚାଲନ୍ତୁ ଜାଣିବା ଏହାର କ’ଣ ରହିଥାଏ ଲକ୍ଷଣ?
ମଣିଷ ଶରୀର ଏକ ଜଟିଳ ସଂରଚନା। ପାଦ ଆଙ୍ଗୁଳିଠାରୁ ଆରମ୍ଭ କରି ମୁଣ୍ଡର କେଶ ପର୍ଯ୍ୟନ୍ତ ସାରା ଶରୀର ମଧ୍ୟରେ ସଂଯୋଗ ରହିଛି। ସେହିପରି ମସ୍ତିଷ୍କ ସହ ହୃଦୟର ମଧ୍ୟ ସଂପୃକ୍ତି ରହିଛି। ଆଙ୍ଗ୍ଜାଇଟି, ଷ୍ଟ୍ରେସ୍, ଅବସାଦ ପରି ମାନସିକ ସ୍ଥିତି ହୃଦ୍ଘାତ, ଷ୍ଟ୍ରୋକ୍ ଓ ଉଚ୍ଚ ରକ୍ତଚାପ ପାଇଁ ମଧ୍ୟ ଦାୟୀ। ସେହିପରି ଯେଉଁ ବ୍ୟକ୍ତି ଷ୍ଟ୍ରୋକ୍ ପରି ଘାତକ ପରିସ୍ଥିତି ଦେଇ ଗତି କରିସାରିଛନ୍ତି, ସେମାନଙ୍କଠାରେ ଅବସାଦର ଲକ୍ଷଣ ଦେଖାଦେଇପାରେ। ଏହାକୁ ପୋଷ୍ଟ ଷ୍ଟ୍ରୋକ୍ ଡିପ୍ରେସନ୍ ବୋଲି ଚିହ୍ନଟ କରିବା ସହ ଚିକିତ୍ସା କରିବା ଜରୁରି। ନଚେତ୍ ହୃଦ୍ଘାତ ପରି ଗମ୍ଭୀର ପରିସ୍ଥିତିକୁ ନିମନ୍ତ୍ରଣ ଦେଇପାରନ୍ତି। ଷ୍ଟ୍ରୋକ୍ ପରେ ମାନସିକ ସ୍ୱାସ୍ଥ୍ୟରେ ପରିବର୍ତନ ଆସିଥାଏ। ଅବସାଦ ଷ୍ଟ୍ରୋକ୍ର ଏକ ପାର୍ଶ୍ୱ ପ୍ରତିକ୍ରିୟା। ଷ୍ଟ୍ରୋକ୍ ପରେ ଏହା ଦେଖାଯିବା ଖୁବ୍ ସାଧାରଣ। ଷ୍ଟ୍ରୋକ୍ ହେବା ପରେ ପ୍ରତି ୩ ଜଣଙ୍କ ଭିତରୁ ଜଣକଠାରେ ଅବସାଦ, ଧୀରେ ଧୀରେ ନ୍ୟୁରୋମିଟରରେ ପରିବର୍ତନ, ଖରାପ ଜୀବନଶୈଳୀ ଏବଂ ମୃତ୍ୟୁକୁ ନେଇ ଆଶଙ୍କା ବଢିଯାଇଥାଏ। ଅବସାଦ ଷ୍ଟ୍ରୋକ୍ର ୨ ବର୍ଷ ପରେ ମଧ୍ୟ ଆସିପାରେ। ପ୍ରାୟତଃ ୩୦ ପ୍ରତିଶତ ଷ୍ଟ୍ରୋକ୍ରୁ ରକ୍ଷା ପାଇଥିବା ବ୍ୟକ୍ତିଙ୍କଠାରେ ଅବସାଦ ଦେଖିବାକୁ ମିଳିଥାଏ।
ପୋଷ୍ଟ ଷ୍ଟ୍ରୋକ୍ ଡିପ୍ରେସନ୍ ଲକ୍ଷଣ: ମନ ଅସ୍ଥିର ହେବା, ହୃଦ୍ସ୍ପନ୍ଦନ ବଢିବା, ମୃତ୍ୟୁର ଭୟ, କିଛି କରିବାର ଆଗ୍ରହ କମିବା, ଆବଶ୍ୟକଠାରୁ ଅଧିକ ଭୋକ ଲାଗିବା ବା ଆଦୌ ଭୋକ ନ ଲାଗିବା, ଶକ୍ତିହୀନ ଅନୁଭବ କରିବା, ଆତ୍ମହତ୍ୟା କରିବାକୁ ଇଚ୍ଛା ହେବା, ନିଷ୍ପତି ନେବାରେ ସମସ୍ୟା ଓ ଉଦାସ ଅନୁଭବ କରିବା।
ଚିକିତ୍ସା: ଷ୍ଟ୍ରୋକ୍ ପରେ ହେଉଥିବା ଅବସାଦର ଚିକିତ୍ସା ଜରୁରି। କୌଣସି ଭଲ ମନୋ ଚିକିତ୍ସକଙ୍କ ସାହାଯ୍ୟ ନେଇ ପୁଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ। ପରିବାର ସହ ରହିବା ତଥା ସମସ୍ତ ଭାବନାକୁ ସେୟାର କରିବା ମଧ୍ୟ ଜରୁରି। ଯଦି ଆବଶ୍ୟକ, ତେବେ ଥେରାପୀ ମଧ୍ୟ ନିଅନ୍ତୁ। ପ୍ରଫେସନାଲ୍ ହେଲ୍ପ କଗ୍ନିଟିଭ୍ ବିହେବିରିଆଲ୍ ଥେରାପୀ, ଇଂଟରପର୍ସନାଲ୍ ଥେରାପୀ ପରି ଅନ୍ୟାନ୍ୟା ଥେରାପୀର ମଧ୍ୟ ସହଯୋଗ ନେଇପାରିବେ। ଏସବୁ କରିବା ଦ୍ୱାରା ଅବସାଦରୁ ବାହାରିବା ସମ୍ଭବ ହୋଇଥାଏ।