କେବେ ଭାବିଛନ୍ତି କି ଯେଉଁ ଭରସା ସମ୍ପର୍କକୁ ମଜଭୁତ କରିଥାଏ, କେବେ କେବେ ସେହି ଭରସା ବା ବିଶ୍ୱାସ ଖୁବ୍ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ସମ୍ପର୍କର ଆରମ୍ଭ ଓ ବୟସ, ଉଭୟ ଭରସା ଉପରେ ନିର୍ଭର କରିଥାଏ। ବିଶ୍ୱାସ ବିନା କୌଣସି ସମ୍ପର୍କ ତିଷ୍ଠିବା ସମ୍ଭବ ନୁହେଁ।
କିନ୍ତୁ ଯଦି ବିଶ୍ୱାସ ଆବଶ୍ୟକଠାରୁ ଅଧିକ ବଢିଯାଏ, ତେବେ ଏହା ଶକ୍ତି ପରିବର୍ତେ ସବୁଠାରୁ ବଡ ଦୁର୍ବଳତା ସାବ୍ୟସ୍ତ ହୋଇଥାଏ। ଦିଲ୍ଲୀର ପିଏସ୍ଆର୍ଆଇ ହସ୍ପିଟାଲ ମନୋଚିକିତ୍ସକ ଅର୍ପିତାଙ୍କ ମତରେ ଆମେ ଯେତେବେଳେ ଆବଶ୍ୟକଠାରୁ ଅଧିକ ବିଶ୍ୱାସ କରିବସୁ, ଠିକ୍ ସେତିକି ବେଳେ ଏହା କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।
ବିନା ଭାବିଚିନ୍ତି ବିଶ୍ୱାସ କରିବସୁ: ମଣିଷ କେବେ ଏକା ରହିପାରେନା। ଆମକୁ ସମାଜରେ ନିଜ ପାଇଁ ପ୍ରେମ ଓ ସୁରକ୍ଷାର ଆବଶ୍ୟକ ହୋଇଥାଏ। ପିଲାବେଳୁ ଆମ ମନରେ ପରିବାର ଓ ସମ୍ପର୍କୀୟ ଏହି ଚିନ୍ତାକୁ ଆପଣାର କରାଇ ଦେଇଥାନ୍ତି। ସେମାନେ ଯେହେତୁ ଆପଣାର ତେଣୁ ସେମାନଙ୍କ କଥାରେ ବିଶ୍ୱାସ କରିଯାଇଥାଉ। ଧୀରେ ଧୀରେ ଆମେ ସେହି ଅଭ୍ୟାସରେ ପଡିଯାଇଥାଉ। ଏହି ଅଭ୍ୟାସ କାରଣରୁ ଆମେ କାହା ବିଷୟରେ ଅଧିକ ଜାଣିବା ପୂର୍ବରୁ ତାକୁ ବିଶ୍ୱାସ କରିବସୁ।
ସାହାଯ୍ୟ କରୁଥିବା ଲୋକର ଦୁର୍ଗୁଣକୁ ଅଣଦେଖା: ଆମେ ଯେତେବେଳେ କୌଣସି ସମସ୍ୟାରେ ରହିଥାଉ, ସେହି ସମୟରେ ଯିଏ ସହଯୋଗର ହାତ ବଢାଏ ଆମେ ତାକୁ ଆପଣାର ଭାବି ବିଶ୍ୱାସ କରିବସୁ। ଆମେ ମାନିନେଉ ଯେ ସେହି ବ୍ୟକ୍ତି ଆମ ପାଇଁ ଭଲ ଚିନ୍ତା କରୁଛି, ସେ କେବେ ବି କ୍ଷତି କରିବନି। ଏହି ଭାବନା ଆମକୁ ସେହି ବ୍ୟକ୍ତିର ଖରାପ ଗୁଣ ଓ ବ୍ୟବହାରକୁ ପୁରା ଅଣଦେଖା କରିବାକୁ ବାଧ୍ୟ କରେ, ଯାହା ପରେ ଭୁଲ୍ ସାବ୍ୟସ୍ତ ହୋଇଥାଏ।

ଏକଲାପଣ ଓ ଆତ୍ମବିଶ୍ୱାସର ଅଭାବ: ଯେଉଁ ଲୋକମାନେ ନିଜକୁ ଏକଲା ଅନୁଭବ କରିଥାନ୍ତି କିମ୍ବା ଯେଉଁମାନଙ୍କଠାରେ ଆତ୍ମବିଶ୍ୱାସର ଅଭାବ ରହିଥାଏ, ସେମାନେ ଅନ୍ୟମାନଙ୍କ ଉପରେ ଖୁବ୍ ଶୀଘ୍ର ବିଶ୍ୱାସ କରିଯାଆନ୍ତି। କାହାର ସାମାନ୍ୟ ସହଯୋଗ ମିଳିଲେ, ସେମାନେ ପୁରା ନିର୍ଭର କରିବସନ୍ତି।
ଆବଶ୍ୟକଠାରୁ ଅଧିକ ସକାରାତ୍ମକ ଭାବନା: କିଛି ଲୋକ ସ୍ୱଭାବତଃ ଖୁବ୍ ଭଲ ହୋଇଥାନ୍ତି। ସେମାନଙ୍କୁ ସାରା ଦୁନିଆର ଲୋକ ଭଲ ଅନୁଭବ ହୋଇଥାନ୍ତି। ଏପରି ଲୋକଙ୍କର ସକାରାତ୍ମକ ଭାବନା ଅନ୍ୟକୁ ଯାଂଚ କରିବାକୁ ଅନୁମତି ଦେଇ ନଥାଏ। ତେଣୁ ସେମାନେ ଅନେକ ସମୟରେ ଧୋକା ଖାଇଥାନ୍ତି।
ଯେତେବେଳେ ବିଶ୍ୱାସ, ଘାତକ ସାବ୍ୟସ୍ତ ହୁଏ: ଭରସାରେ ସନ୍ତୁଳନ ନ ରହିବା ଦ୍ୱାରା ସମ୍ପର୍କରେ ବିଘ୍ନ ଆସିଥାଏ। ଆମେ ଜୀବନରେ ଅନ୍ୟକୁ ଆବଶ୍ୟକଠାରୁ ଅଧିକ ଅଧିକାର ଦେବା କିମ୍ବା କୌଣସି ସୀମା ନ ରଖିବା ଦ୍ୱାରା ସାମ୍ନା ଲୋକକୁ ଆମର ଦୁର୍ବଳତା ଜଣାପଡିଥାଏ। ଏହିଠାରୁ ଅନ୍ଧ ଭରସା ଜନ୍ମ ହୋଇଥାଏ ।
ସାମ୍ନା ଲୋକର ସମସ୍ତ କଥାକୁ ଅନ୍ୟଜଣେ ବିଶ୍ୱାସ କରିବସେ। ଫଳରେ ବ୍ୟକ୍ତି ବିପଦକୁ ଅଣଦେଖା କରିବା ଦ୍ୱାରା ପରିଣାମ ଭୋଗିବାକୁ ପଡିଥାଏ।
ସମାଧାନ କ’ଣ? ଏପରି ସମସ୍ୟାକୁ ଦୂର କରିବା ପାଇଁ ଆମେ ସମସ୍ତଙ୍କୁ ଅବିଶ୍ୱାସ କରିବା ଉଚିତ୍ ହେବନି। ତେଣୁ ଅନ୍ୟକୁ ବିଶ୍ୱାସ କରନ୍ତୁ କିନ୍ତୁ ତୁରନ୍ତ ନୁହେଁ। ଧୀରେ ଧୀରେ ନିଜ ଅନୁଭବକୁ ଆଧାର କରି ବିଶ୍ୱାସ ବଢାନ୍ତୁ।