ପବିତ୍ର ଶାମ୍ବ ଦଶମୀ ପୂଜାର ବିଧି

ଆଜି ପବିତ୍ର ଶାମ୍ବ ଦଶମୀ ପୌଷ ଶୁକ୍ଳ ଦଶମୀ । ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟ ପୂଜାର ପର୍ବ। କଥିତ ଅଛି, ଏକଦା କୃଷ୍ଣପୁତ୍ର ଶାମ୍ବ ନିଜର ଚପଳତା ହେତୁ ଅଭିଶାପ ପାଇ କୁଷ୍ଠରୋଗରେ ପୀଡ଼ିତ ଥିଲେ। ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶରେ ଦକ୍ଷିଣ ସମୁଦ୍ର ତଟରେ ଥିବା ମୈତ୍ରେୟ ବନକୁ ଆସି ସୂର୍ଯ୍ୟଙ୍କୁ ଉପାସନା କରିବା ଫଳରେ, ସେ ସେହି ରୋଗରୁ ମୁକ୍ତ ହୋଇଥିଲେ।

ଶାମ୍ବ ଦଶମୀକୁ ଚାନ୍ଦ୍ରମାନ ବର୍ଷର ଶେଷ ପର୍ବ କହିବାର ତାତ୍ପର୍ଯ୍ୟ ହେଉଛି ଏହାପରେ ଚିତାଲାଗି ଅମାବାସ୍ୟା ପର୍ଯ୍ୟନ୍ତ ପ୍ରାୟ ଛଅମାସ ପର୍ଯ୍ୟନ୍ତ ଆଉ ଏତେ ପିଠାପଣାର ପର୍ବ ପଡ଼େ ନାହିଁ । କୃଷିପ୍ରଧାନ ଓଡ଼ିଶା ରାଜ୍ୟରେ ଏ ସମୟରେ ପନିପରିବାରେ ଅତ୍ୟଧିକ ପରିମାଣରେ ଉପଲବ୍ଧ ଥାଏ । ବିଭିନ୍ନ ପନିପରିବାରେ ଏ ପର୍ବରେ ଯେଉଁ ତରକାରୀ ପ୍ରସ୍ତୁତ ହୁଏ, ତାକୁ “ଘଡ଼ଘଡ଼ା ତିଅଣ” କୁହାଯାଏ । ଏହି ପର୍ବର ମୁଖ୍ୟ ହେଉଛି ଏହି ଘାଣ୍ଟ ତରକାରୀ ଘଡ଼ାଘଡ଼ା ତିଅଣ ।

ଘରର ମା’ମାନେ ସନ୍ତାନମାନଙ୍କର ନିରୋଗ ଜୀବନ କାମନା କରି ଏହି ପୂଜାବିଧି ଅନୁଷ୍ଠାନ କରିଥାନ୍ତି। ସକାଳୁ ଉଠି, ସ୍ନାନ ସାରି, ମା’ମାନେ ଚାଉଳ ଓ ଗୁଡ଼ରେ ଏକ ବିଶେଷ ପ୍ରକାରର ଜାଉ ତିଆରି କରନ୍ତି। ତାହା ସକାଳସୂର୍ଯ୍ୟଙ୍କୁ ଭୋଗ ଲଗାଯାଇଥାଏ । ତା’ପରେ ମଧ୍ୟାହ୍ନରେ ଓଡ଼ିଆ ଘରେ ତିଆରି ହେଉଥିବା ବିଭିନ୍ନ ପ୍ରକାରର ବ୍ୟଞ୍ଜନ, ଯଥା- ଖିରି, ପୁରି, ବିଭିନ୍ନ ପ୍ରକାର ପିଠା, ମିଠା, ଦହିଭାତ, ଖେଚୁଡ଼ି, ଡାଲମା, ମକର ଚାଉଳ, ଲଡ଼ୁ ଆଦି ନୈବେଦ୍ୟ ରୂପେ ପ୍ରସ୍ତୁତ ହୋଇଥାଏ । ମଝିଦୁଆରକୁ ଲିପାପୋଛା କରି, ବାଇଗଣପତ୍ରରେ ତାହା ବାଢ଼ି ସୂର୍ଯ୍ୟଙ୍କୁ ସମର୍ପଣ କରାଯାଏ । ଏହି ଭୋଗକୁ ଛୋଟପିଲାଙ୍କୁ ଡାକି ଖାଇବାକୁ ଦିଆଯାଏ । ରାତ୍ରି କାଳରେ ଗୃହଣୀମାନେ ବୁଢ଼ା ଚକୁଳି କରି ସୂର୍ଯ୍ୟଙ୍କପୁତ୍ର ଯମଙ୍କୁ ଅର୍ପଣ କରିଥାନ୍ତି। ବିଶ୍ୱାସ କରାଯାଏ ଯେ ଯମ ସନ୍ତୁଷ୍ଟ ହେଲେ ପୂରା ପରିବାର ନିରାମୟ ଜୀବନଯାପନ କରିବେ ।