ଓଡ଼ିଶାର ସ୍କୁଲ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ । ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ : କଂଗ୍ରେସ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ଓଡ଼ିଶା ସରକାରଙ୍କର ସ୍କୁଲ ଓ ଗଣଶିକ୍ଷା ବିଭାଗ ଆସନ୍ତା ୨୬ ତାରିଖରୁ ୧୦ମ ଓ ଦ୍ୱାଦଶ ଶ୍ରେଣୀ ଖୋଲି ପାଠପଢ଼ା ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଦୁଇଟି ଶ୍ରେଣୀ ପାଇଁ ସ୍କୁଲ ଖୋଲିବାର ନିଷ୍ପତିକୁ କଂଗ୍ରେସ ସ୍ୱାଗତ କଲାବେଳେ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କର କରୋନା ମହାମାରୀରୁ ନିରାପତା ବିଷୟରେ ଯଥେଷ୍ଟ ଧ୍ୟାନ ଦେଇନାହାନ୍ତି ବୋଲି କଂଗ୍ରେସ ଅନୁଭବ କରେ । ସ୍କୁଲର ଶିକ୍ଷକ / ଶିକ୍ଷୟତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ଭିତରୁ ବର୍ତମାନ ପର୍ଯ୍ୟନ୍ତ ୬୦ଭାଗ ପ୍ରଥମ ଟୀକା ନେଇଥିବା ବେଳେ ମାତ୍ର ୪୦ ଭାଗ ଦ୍ୱିତୀୟ ଟୀକା ନେଇଛନ୍ତି । ଅର୍ଥାତ ଏମାନେ ସମସ୍ତେ ମହାମାରୀର କବଳରୁ ମୁକ୍ତ ନୁହଁନ୍ତି ସେହି ଦୃଷ୍ଟିରୁ ତୁରନ୍ତ ସ୍କୁଲ ଖୋଲିବା ପୂର୍ବରୁ ଏମାନଙ୍କର ଟୀକାକରଣ ପାଇଁ ସରକାର ଆଶୁପଦକ୍ଷେପ ନେବାପାଇଁ ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ଶ୍ରୀ ସୁଦର୍ଶନ ଦାସ ରାଜ୍ୟସରକାରଙ୍କୁ ଅନୁରୋଧ କରିଛନ୍ତି ।

ସମ୍ପ୍ରତି ରାଜ୍ୟର ସ୍କୁଲ ଶିକ୍ଷା ଏକ ବିକଳ ଚିତ୍ର ନେଇ ଆମ ସାମ୍ମାରେ ଛିଡ଼ା ହୋଇଛି । ଗତବର୍ଷ ମହାମାରୀ ଆରମ୍ଭ ଦିନରୁ ପିଲାଙ୍କର ପାଠ ପଢ଼ାରେ ଡୋରି ବନ୍ଧା ହୋଇଛି ବୋଲି କହିଲେ ଅତ୍ୟୁକ୍ତ ହେବ ନାହିଁ । ଅନଲାଇନ ପାଠପଢ଼ା ଏକ ପ୍ରହସନ ପାଲଟିଛି । ନିଜେ ଗଣଶିକ୍ଷା ମନ୍ତ୍ରୀ ବର୍ତମାନ ପର୍ଯ୍ୟନ୍ତ ମାତ୍ର ୩୨% ପିଲା ଅନଲାଇନ ପାଠ୍ୟକ୍ରମରେ ଅର୍ନ୍ତଭୁକ୍ତ ହୋଇଛନ୍ତି ବୋଲି ସ୍ୱୀକାର କରିଛନ୍ତି । ୨୦୨୧-୨୦୨୧ ମସିହାରେ ଇକୋନୋମିକ ସର୍ଭେ ରିପୋର୍ଟକୁ ଅନୁଧ୍ୟାନ କଲେ ଜଣାଯାଏ ଓଡ଼ିଶାର ଟେଲିଫୋନ ଯୋଗାଯୋଗର ଘନତା ୭୬.୪୬ ଥିବା ବେଳେ ସର୍ବଭାରତୀୟ ସ୍ତରରେ ଏହାର ଘନତା ୮୭.୩୭ । ଗ୍ରାମାଂଚଳରେ ପ୍ରତି ୧୦୦ ଜଣରେ ୩୪.୫୧ ଜଣଙ୍କ ପାଖରେ ଟେଲିଫୋନ ଥିବା ବେଳେ ସହରାଂଚଳରେ ଏହା ୮୫.୯୮ । ବର୍ତମାନ ସୁଦ୍ଧା ରାଜ୍ୟର ୫୧,୩୧୧ ଗାଁ ଭିତରୁ ୧୧୦୦ ଗାଁରେ ମୋବାଇଲ ଯୋଗାଯୋଗ ନାହିଁ । ଏଥିରୁ ପ୍ରମାଣିତ ଅନଲାଇନ ପାଠପଢ଼ା ଏକ ପ୍ରହସନ ବ୍ୟତିତ ଅନ୍ୟକିଛି ନୁହେଁ । ବାସ୍ତବରେ ପିଲାଙ୍କ ସ୍ୱାର୍ଥ ପାଇଁ ନୁହଁ ବରଂ ଟେକ୍ନୋଲୋଜି କମ୍ପାନୀ ମାନଙ୍କର ସ୍ୱାର୍ଥପାଇଁ ଏହା ଅଭିପ୍ରେତ ବୋଲି ଶ୍ରୀ ଦାସ ଅଭିଯୋଗ କରିଛନ୍ତି ।

ସଂପ୍ରତି ଓଡ଼ିଶାରେ ୧୪୦୦୦ ସ୍କୁଲକୁ ଅନ୍ୟ ସ୍କୁଲ ସହିତ ମିଶ୍ରଣ କରିବା ପାଇଁ ସରକାର ଯୋଜନା କରିଛନ୍ତି । ଏହା ଭିତରୁ ୭୦୦୦ରୁ ଅଧିକ ସ୍କୁଲ ଗୁଡ଼ିକ ମିଶ୍ରଣ କରିବାରେ ପ୍ରକ୍ରିୟା ଶେଷ କରିଛନ୍ତି । ମାତ୍ର ଏହା ବାସ୍ତବରେ ମିଶ୍ରଣ ନୁହେଁ ବରଂ ସ୍କୁଲ ବନ୍ଦ ଯୋଜନା । ଏହି ସବୁ ସ୍କୁଲ ଗୁଡ଼ିକ ଅପହଂଚ ଅଂଚଳରେ ଅବସ୍ଥିତ ଏବଂ ଏଠାରେ ପ୍ରାୟ ଆଦିବାସୀ, ଦଳିତ ଏବଂ ଗରିବ ଶ୍ରେଣୀର ପିଲାମାନେ ପଢ଼ନ୍ତି । ଏହି ସ୍କୁଲ ବନ୍ଦ ହୋଇଗଲେ ସେହିପିଲାମାନଙ୍କର ପାଠପଢ଼ାରେ ଡୋରି ବନ୍ଧା ହୋଇଯିବ । ଶିକ୍ଷା ଅଧିକାର ଆଇନ ୨୦୦୯ର ଏହା କେବଳ ବିରୋଧିତା କରେ ନାହିଁ ଅଧିକନ୍ତୁ ଏହା ଡ୍ରପଆଉଟ ସମସ୍ୟାକୁ ଅଧିକ ଘନିଭୁତ କରାଇବ । ସରକାର ଏଭଳି ଶିକ୍ଷା ଓ ଛାତ୍ର ବିରୋଧି ନିଷ୍ପତିରୁ କ୍ଷାନ୍ତ ରହନ୍ତୁ ବୋଲି ଶ୍ରୀ ଦାସ ଦାବି କରିଛନ୍ତି । ଶିକ୍ଷକ ମାନଙ୍କୁ କୋଭିଡ ଯୋଧ୍ୟାର ମାନ୍ୟତା ଦେବା ଦାବି କରିବା ସହିତ ବର୍ତମାନ ପର୍ଯ୍ୟନ୍ତ କରୋନା ମହାମାରୀରେ ମୃତ୍ୟୁବରଣ କରିଥିବା ୩ହଜାରରୁ ଅଧିକ ଶିକ୍ଷକଶିକ୍ଷୟତ୍ରୀଙ୍କୁ ଅନୁକମ୍ପା ସହାୟତା ଦେବାକୁ ଶ୍ରୀ ଦାସ ମଧ୍ୟ ଦାବି କରିଛନ୍ତି । ପ୍ରଥମରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ଓ ୧୦ ମ ଶ୍ରେଣୀ ପାଇଁ ପାଠ ପଢ଼ାର କଣ ବନ୍ଦୋବସ୍ତ ସରକାର କରୁଛନ୍ତି ଏବଂ ସେମାନଙ୍କ ପାଇଁ ସ୍କୁଲ କେବେ ଖୋଲିବେ ସେ ବିଷୟରେ ସରକାର ଓଡ଼ିଶାବାସୀଙ୍କୁ ଜଣାଇବାକୁ କଂଗ୍ରେସ ମଧ୍ୟ ଅନୁରୋଧ କରିଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ କହିଥିଲେ ଯେ, ଓଡ଼ିଶାର ଆଦିବାସୀ ଓ ଦଳିତ ଲୋକଙ୍କ ଅଂଚଳ କୋରାପୁଟରେ ଅବସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ଏହା ଏକ ପ୍ରକାର ଅଚଳ ବ୍ୟବସ୍ଥାରେ ଅଛି । ୧୪ ଟି ବିଭାଗ ପାଇଁ ମାତ୍ର ୧୭ଜଣ ଶିକ୍ଷକଶିକ୍ଷୟତ୍ରୀ ଅଛନ୍ତି । ବିଶ୍ୱବିଦ୍ୟାଳୟ ଲାଗି ଅନୁମୋଦିତ ୧୫୪ ନିୟମିତ ଶିକ୍ଷକ ପଦପଦବୀ ମଧ୍ୟରୁ ୧୩୭ଟି ଖାଲି ପଡ଼ିଛି । ମାତ୍ର ୧୧ ପ୍ରତିଶତରେ ଚାଲିଛି ଶିକ୍ଷାନୁଷ୍ଠାନ । ୧୪ଟି ବିଭାଗରେ ୧ ହଜାର ଶିକ୍ଷକ ଥିଲାବେଳେ ସବୁଠାରୁ ଦୁଃଖର ବିଷୟ ଏହିକି ଯେ ସରକାର ମାତ୍ର ୧୭ ଜଣ ଶିକ୍ଷକଶିକ୍ଷୟିତ୍ରୀ ଦେଇଛନ୍ତି । ଦେଶରେ ୪୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ଓଡ଼ିଶାରେ ବିଶ୍ୱବିଦ୍ୟାଳୟର ନାମ ସର୍ବନିମ୍ନ ଅଟେ । ଓଡ଼ିଶାର ଏହି ବିଶ୍ୱବିଦ୍ୟାଳୟରେ ମାତ୍ର ୧୧୫ ଜଣ ଅଣଶିକ୍ଷକ ପଦର ବ୍ୟବସ୍ଥା ହୋଇଥିବା ବେଳେ ସେଥିରୁ ୯୩ଟି ଖାଲି ପଡ଼ିଛି ଅର୍ଥାତ ୮୦ ପ୍ରତିଶତ କର୍ମଚାରୀ ନାହାନ୍ତି । ଶ୍ରୀ ନୱାଜ ଏଠରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ଯେ କେନ୍ଦ୍ର ସରକାର ତୁରନ୍ତ ଏହାକୁ ବିଚାରକୁ ନିଅନ୍ତୁ ଏବଂ ଆବଶ୍ୟକ ଥିବା ପଦବୀ ପୂରଣ କରନ୍ତୁ । ଅନ୍ୟପକ୍ଷରେ ଶ୍ରୀ ନୱାଜ ଓଡ଼ିଶାରେ ଥିବା ପ୍ରାଇଭେଟ ସ୍କୁଲ ମାଲିକ ଏବଂ ସରକାରଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକ ସମ୍ପର୍କରେ ଆଲୋକପାତ କରିଥିଲେ । ସେ ଅଭିଯୋଗ କରିଥିଲେ ଯେ ସ୍କୁଲ ଫି ଛାଡ଼ପାଇଁ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ସରକାର ପାଳନ କରିବାରେ ଆଗ୍ରହ ପ୍ରକାଶ କରୁନାହାନ୍ତି । କାରଣ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ପ୍ରାଇଭେଟ ସ୍କୁଲ ମାଲିକମାନେ ବେଖାତିର କରୁଛନ୍ତି । ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କର ତଂଟିଚିପି ସ୍କୁଲ ମାଲିକମାନେ ଅର୍ଥ ଆଦାୟ କରୁଥିବାବେଳେ ରାଜ୍ୟ ସରକାର ଜଳ ଜଳ ହୋଇ ଅନାଇଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କେଉଁ କେଉଁ ସ୍କୁଲ କେତେ ଫି କେତେ ଛାତ୍ରଛାତ୍ରୀଙ୍କୁ ଛାଡ଼ କଲେ ତାହା ସର୍ବସାଧାରଣରେ ପ୍ରକାଶ ହେଉ । ପ୍ରାଇଭେଟ ସ୍କୁଲ ମାଲିକ ମାନଙ୍କର ଶୋଷଣ ବିରୁଦ୍ଧରେ ଆଗାମୀ ଦିନରେ ସବୁ ପ୍ରାଇଭେଟ ସ୍କୁଲ ସମ୍ମୁଖରେ ଛାତ୍ରଛାତ୍ରୀଙ୍କର ସ୍ୱାର୍ଥକୁ ନେଇ ବିକ୍ଷୋଭ କରାଯିବ ବୋଲି ଶ୍ରୀ ନୱାଜ କହିଛନ୍ତି ।