ଦୁର୍ଘଟଣାଜନିତ ଅନୁକଂପା ରାଶିକୁ ତୁରନ୍ତ ବୃଦ୍ଧି କରନ୍ତୁ ରାଜ୍ୟ ସରକାର: ଠାକୁର ରଞ୍ଜିତ୍‌ ଦାସ

ପ୍ରତ୍ୟେକ ଜୀବନ ମୋ ପାଇଁ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ ବାରମ୍ବାର ନିଜ ଭାଷଣରେ କହିବାର କୈାଣସି ପ୍ରାସଙ୍ଗିକତା ନାହିଁ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ରାଜ୍ୟ ସରକାର ଯେଉଁ କ୍ୟାପସନ୍‌ ରଖିଛନ୍ତି ବିଜୁ ଜନତା ଦଳ ଓଡିଶାବାସୀଙ୍କର ବଳ । ମୁଖ୍ୟମନ୍ତ୍ରୀ ନିଜର ଛବିକୁ ସୁଧାରିବା ପାଇଁ, ଲୋକଙ୍କ ପାଖରେ ନିଜକୁ ଆଦୃତ କରିବା ପାଇଁ ଏବଂ ନିଜକୁ ଲୋକଙ୍କ ସହିତ ମିଶାଇବା ପାଇଁ ଅନେକ ସ୍ଲୋଗାନ ମଧ୍ୟ ଦେଇଥାନ୍ତି । ପ୍ରତ୍ୟେକ ଜୀବନ ମୋ ପାଇଁ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ ବାରମ୍ବାର ନିଜ ଭାଷଣରେ କହିଛନ୍ତି । ବାସ୍ତବରେ ଏହାର କୈାଣସି ପ୍ରାସଙ୍ଗିକତା ନାହିଁ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଠାକୁର ରଣଜିତ୍‌ ଦାସ ଅଭିଯୋଗ କରିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଛନ୍ତି ଯେ, ଗୋଟିଏ ରାଜ୍ୟରେ ଯେତେବେଳେ କୌଣସି ପ୍ରକାର ଦୁର୍ଘଟଣା ବା ଅଘଟଣା ଘଟେ, ସେତେବେଳେ ଅକାଳରେ ଅନେକ ମୃତ୍ୟୁବରଣ କରିଥାନ୍ତି ବା ଗୁରୁତର ଭାବେ ଆହତ ହୋଇ ବ୍ୟୟବହୁଳ ଚିକିତ୍ସାର ଶିକାର ହୋଇଥାନ୍ତି । ଏଭଳି ଘଟଣାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୁଏ, ପ୍ରାଣ ହରାଇଥିବା କିମ୍ବା ଚିକିତ୍ସିତ ହେଉଥିବା ଲୋକମାନଙ୍କ ପରିବାରବର୍ଗ । କିଏ ତା ପୁଅ, ତ କିଏ ତା ସ୍ୱାମୀ ହରାଇ ବସନ୍ତି । ଏପରିକି ଅଂଚଳବାସୀଙ୍କ ପାଇଁ ମଧ୍ୟ ବହୁ କ୍ଷତି ହୋଇଥାଏ । ଏଭଳି ସମ୍ବେଦନଶୀଳ ଘଟଣା ପାଇଁ ପ୍ରତ୍ୟେକ ରାଜ୍ୟରେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ଏବଂ କ୍ଷତିପୁରଣ ବାବଦରେ ରାଜ୍ୟସରକାର କ୍ଷତିଗ୍ରସ୍ତଙ୍କୁ ଅନୁକମ୍ପା ରାଶି ପ୍ରଦାନ କରିଥାନ୍ତି । ମାତ୍ର ଓଡିଶାରେ ଘଟି ଯାଉଥିବା ଦୁର୍ଘଟଣାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ପାଇଁ ଅନୁକଂପା ରାଶି ଅନ୍ୟ ରାଜ୍ୟ ତୁଳନାରେ ଅତ୍ୟନ୍ତ ଅଳ୍ପ ବୋଲି ଶ୍ରୀ ଦାସ କହିଛନ୍ତି ।

ବିଗତ ମାସକ ମଧ୍ୟରେ ଦେଶବ୍ୟାପୀ ଘଟିଯାଇଥିବା ବିଭିନ୍ନ ଦୁର୍ଘଟଣା ଏବଂ ଏଥି ପାଇଁ ଅନୁକଂପା ରାଶି ପ୍ରଦାନକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହେଉଛି ଯେ, ଓଡିଶା ସରକାରଙ୍କ ଅନୁକଂପା ରାଶି ଅତ୍ୟନ୍ତ ନଗଣ୍ୟ । ସଦ୍ୟ ବାଲେଶ୍ୱର ଜିଲ୍ଲା ସୋର ନିକଟରେ ଗୋଟିଏ ବସ ଓଲଟିଯାଇଥିଲା ସେଠାରେ ୬ ଜଣଙ୍କର ମୃତ୍ୟୁବରଣ ହୋଇଥିଲା । ଏହି ମୃତ୍ୟୁବରଣରେ ରାଜ୍ୟ ସରକାର ମାତ୍ର ଦୁଇ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଥିଲେ ।

ଅନ୍ୟ ପଟେ ମୁମ୍ବାଇରେ ଗତ ଡିସେମ୍ବର ୨୨ତାରିଖ ଦିନ ଅଗ୍ନି ଲାଗି ଯେଉଁ ମୃତ୍ୟୁ ବରଣ ହୋଇଥିଲା ସେଠି ୬ଜଣ ମୃତ୍ୟୁବରଣ କରିଥିଲେ ଏବଂ ମହାରାଷ୍ଟ୍ର ସରକାର ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ବୈଷ୍ଣବ ଦେବୀଠାରେ ନୂଆବର୍ଷରେ ଯେଉଁ ଷ୍ଟାମ୍ପେଡ ହୋଇଥିଲା ଜାମ୍ମୁକାଶ୍ମୀର ସରକାର ପ୍ରତ୍ୟେକ ପରିବାରକୁ ୧୦ଲକ୍ଷ ଦେଇଥିଲେ ଏବଂ ସେଥିରେ ୧୨ଜଣ ମୃତ୍ୟୁବରଣ କରିଥିଲେ ।

ସେହିଭଳି ଭାବରେ ତାମିଲନାଡୁରେ ନୂଆବର୍ଷରେ ବାଣ ବିସ୍ପରୋଣରେ ୫ଜଣ ମୃତ୍ୟୁବରଣ କରିଥିଲେ ତାଙ୍କୁ ତିନି ଲକ୍ଷ ଦିଆଯାଇଥିଲା । ରୋଡ୍‌ ଧକ୍କାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ଗୁଜୁରାଟ ସରକାର ୫ଲକ୍ଷ ଟଙ୍କା ଦେଇଛନ୍ତି । ୨୭ଡିସେମ୍ବରରେ ତାମିଲନାଡୁରେ ମଧ୍ୟ କାଲାକୁରୀ ରେ ଯେଉଁ ଦୁର୍ଘଟଣା ହୋଇଥିଲା ତାଙ୍କୁୁ ୫ଲକ୍ଷ ଦେଇଥିଲେ । ବିହାର ସରକାର ମଧ୍ୟ ମୁଜାଫରପୁରରେ ବଏଲର ଏକ୍ସପ୍ଲୋସେନ ଦୁର୍ଘଟଣାରେ ୫ଜଣ ଦେହାନ୍ତ କରିଥିବା ବ୍ୟକ୍ତଙ୍କୁ ୫ଲକ୍ଷ ଦେଇଥିଲେ । ଆନ୍ଧ୍ର ଆମର ପଡୋଶୀ ରାଜ୍ୟରେ ବସ ଦୁର୍ଘଟଣାରେ ୱେଷ୍ଟ ଗୋଦାବରୀରେ ୯ଜଣ ମୃତ୍ୟୁବରଣ କରିଥିଲେ ତାଙ୍କୁ ମଧ୍ୟ ୫ଲକ୍ଷ ଟଙ୍କା ଦେଇଥିଲେ ।

ତେଣୁ ରାଜ୍ୟ ସରକାର ଦୁର୍ଘଟଣାଜନିତ ଅନୁକଂପା ରାଶିକୁ ବୃଦ୍ଧି କରିବା ନିହାତି ଆବଶ୍ୟକ । ପାତର ଅନ୍ତର ନକରି, କୈାଣସି ବାଦବିବାଦ ନକରି, ଅଯଥା କୁଂଠା ପ୍ରକାଶ ନକରି ଓ ରାଜନୀତିରୁ ଉଦ୍ଧ୍ୱର୍ରେ ରହି ଦୁର୍ଘଟଣାଜନିତ ଅନୁକଂପା ରାଶିକୁ ତୁରନ୍ତ ବୃଦ୍ଧି କରିବା ପାଇଁ ଶ୍ରୀ ଦାସ ପ୍ରସ୍ତାବ ଦେଇଛନ୍ତି ।ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲିପ୍‌ ମଲ୍ଲିକ ଏବଂ ସହମୁଖ୍ୟ ସୁଜିତ୍‌ କୁମାର ଦାସ ଉପସ୍ଥିତ ଥିଲେ ।