ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ବରଷେ

ପଛୁଆ ବର୍ଗ ସର୍ଭେ ପ୍ରସଙ୍ଗ

ସର୍ଭେ ପ୍ରକ୍ରିୟାକୁ ଜାଣିଶୁଣି ବିଳମ୍ବ କରିବାର ଚକ୍ରାନ୍ତ କରୁଛନ୍ତି ରାଜ୍ୟ ସରକାର..

ଭୁବନେଶ୍ୱର: “ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ବରଷେ; ବାଛି ବାଛି କରିଦେଲେ ପଡିଆ, ଶ୍ରାବଣ ମାସରେ ଭାଙ୍ଗେ ନଡିଆ; ଏମନ୍ତ ଭୂଇଁ, ଚାଗୁଣ୍ଡା ବୁଣିଲେ ଉଠଇ ନାହିଁ” ଭଳି ରାଜ୍ୟରେ ପଛୁଆ ବର୍ଗ ସର୍ଭେ ଏବଂ ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ମଧ୍ୟ ଅବିକଳ ସମାନ । ଦୀର୍ଘ ୨ ବର୍ଷ ବିଳମ୍ବରେ ପଛୁଆ ବର୍ଗ ସର୍ଭେ କାର୍ଯ୍ୟ ପାଇଁ ପ୍ରକାଶ ପାଇଥିବା ବିଜ୍ଞାପନ ପଛୁଆ ବର୍ଗଙ୍କ ପ୍ରତି ରାଜ୍ୟ ସରକାରଙ୍କ ଆଉ ଏକ ଉପହାସ । ବାସ୍ତବରେ ପଛୁଆ ବର୍ଗ ଲୋକଙ୍କୁ ନ୍ୟାୟ ଦେବାରେ ରାଜ୍ୟ ସରକାରଙ୍କ କୈାଣସି ଆନ୍ତରିକତା ନାହିଁ ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ପଛୁଆ ବର୍ଗ ସର୍ଭେ କାର୍ଯ୍ୟ କାଳିଆ, ଆବାସ ଭଳି କୈାଣସି ଯୋଜନା ନୁହେଁ । ଅପ୍‌ଲାଇନ ଓ ଅନ୍‌ଲାଇନ ଜରିଆରେ ଆବେଦନ କରିବାକୁ ବିଜ୍ଞାପନ ଜରିଆରେ ପ୍ରକାଶ ପାଇଛି । ରାଜ୍ୟର ପାଖାପାଖି ୨.୫ କୋଟି ପଛୁଆ ବର୍ଗର ଲୋକ ଥିବାବେଳେ ସର୍ଭେ ପ୍ରକ୍ରିୟାକୁ ଜାଣିଶୁଣି ଜଟିଳ କରିଛନ୍ତି ରାଜ୍ୟ ସରକାର । ଏହା ଦ୍ୱାରା ଅନେକ ପ୍ରକାରର ବିବାଦ ସୃଷ୍ଟି ହେବ ଏବଂ ଅଯଥାରେ ପ୍ରକ୍ରିୟା ବିଳମ୍ବିତ ହେବ । ଏମିତିରେ ଏହି ସର୍ଭେ କାର୍ଯ୍ୟ କେବେ ଶେଷ ହେବ ସେ ଆଶଙ୍କା ମଧ୍ୟ ପ୍ରକାଶ ପାଇଛି । ଅନେକ ହିତାଧିକାରୀ ମଧ୍ୟ ବଂଚିତ ହେବେ । ବୋଧହୁଏ, ରାଜ୍ୟ ସରକାର ଜାଣିଶୁଣି ବିଳମ୍ବ କରିବାର ଚକ୍ରାନ୍ତ କରୁଛନ୍ତି । ଏହା ଦ୍ୱାରା ଓବିସି ବର୍ଗଙ୍କୁ ପୁଣି ଥରେ ପ୍ରତାରିତ କରିବାର ଆଭିମୁଖ୍ୟ ସ୍ପଷ୍ଟ ହୋଇଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

ଘର ଘର ବୁଲି ସର୍ଭେ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ମେସିନାରୀ ଥିବାବେଳେ ଡୋର୍‌-ଟୁ-ଡୋର ବୁଲି ସର୍ଭେ କରିବାରେ ରାଜ୍ୟ ସରକାରଙ୍କ ପାଖରେ କଣ ସମସ୍ୟା ରହିଛି ? ରାଜ୍ୟ ସରକାର ଏହି ବୃହତ ବର୍ଗର ଲୋକଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ନିର୍ଦ୍ଧିଷ୍ଟ ସମୟ ସୀମା ଭିତରେ ଘର ଘରକୁ ଯାଇ ସର୍ଭେ କାର୍ଯ୍ୟ କରାନ୍ତୁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

ଦେଶର ସମସ୍ତ ରାଜ୍ୟ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଦେଉଥିବାବେଳେ ଓଡିଶାରେ କାହିଁକି କାର୍ଯ୍ୟକାରୀ କରାଯାଉନାହିଁ? ନୂତନ ଶିକ୍ଷା ବର୍ଷ ଆରମ୍ଭ ହେବାକୁ ଯାଉଥିବାବେଳେ ନାମଲେଖାରେ ପଛୁଆ ବର୍ଗ ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାର ସ୍ପଷ୍ଟୀକରଣ ଦେବା ନିହାତି ଆବଶ୍ୟକ । କେନ୍ଦ୍ର ସରକାର ମେଡିକାଲ, ଡେଂଟାଲ, ସୈନିକ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟରେ ଓବିସି ବର୍ଗଙ୍କୁ ୨୭ପ୍ରତିଶତ ସଂରକ୍ଷଣ ଦେଉଥିବା ବେଳେ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡିକରେ ବିଜେଡି ସରକାର ଜାଣିଶୁଣି ଯୋଜନାବଦ୍ଧ ଭାବେ ପଛୁଆ ବର୍ଗ ସଂରକ୍ଷଣକୁ କାର୍ଯ୍ୟକାରୀ କରୁନାହାନ୍ତି । ରାଜ୍ୟ ସରକାରଙ୍କ ଏଭଳି ପଛୁଆ ବର୍ଗ ବିରୋଧୀ ନିଷ୍ପତି ପଛରେ ଆଉ କିଛି ଷଡଯନ୍ତ୍ର ରହିଛି କି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।                                                                         ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ, ରାଜ୍ୟ ସଂଯୋଜକ ବିବେକାନନ୍ଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।