ବିଜେଡିକୁ ଘାରିଛି କି ଦୁର୍ନୀତି ପଦାରେ ପଡିଯିବାର ଭୟ

ଭୁବନେଶ୍ୱର: ବିଜେଡି ସତକୁ ସାମ୍ନା ନ କରି ମିଛର ପ୍ରହେଳିକା ତିଆରି କରୁଛି । ବିଜେଡିର ବିଭ୍ରାନ୍ତିକର ମନ୍ତବ୍ୟ ଲୋକଙ୍କୁ ବୋକା ବନାଇ ପାରିବ ନାହିଁ । ବିଜେପି ବିଧାୟକ ଦିଲ୍ଲୀ ଯିବା କଥାରେ ବିଜେଡି ନେତା ଭୟ କରିଗଲେ କି? କାଳିଆ ଯୋଜନା, ଲକ୍ଷ୍ମୀ, ପିଠା ଭଳି ଅନ୍ୟ ଯୋଜନାରେ ଦୁର୍ନୀତି ପଦାରେ ପଡିଯିବାର ଭୟ ବିଜେଡିକୁ ଘାରିଛି କି? ସବୁବେଳେ ଦିଲ୍ଲୀରେ ରହି ମନ୍ତବ୍ୟ ଦେଉଥିବା ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଆଖିରୁ ନୀଳ ଚଷମା କାଢି ଓଡ଼ିଶାର ବାସ୍ତବ ଚିତ୍ରକୁ ପରଖନ୍ତୁ ବୋଲି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ କହିଛନ୍ତି ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ ।

ଦିଲ୍ଲୀରେ ରହି ମନ୍ତବ୍ୟ ଦେଉଥିବା ବିଜେଡି ମୁଖପାତ୍ର ଆଖିରୁ ନୀଳ ଚଷମା କାଢି ଓଡ଼ିଶାର ଅବ୍ୟବସ୍ଥିତ ବାସ୍ତବ ଚିତ୍ରକୁ ପରଖନ୍ତୁ- ସୂରଜ ସୂର୍ଯ୍ୟବଂଶୀ

  1. ଦିଲ୍ଲୀ ଯିବା କଥାରେ ବିଜେଡି ନେତା ଭୟ କରିଗଲେ କି? କାଳିଆ ଯୋଜନା, ଲକ୍ଷ୍ମୀ, ପିଠା ଭଳି ଅନ୍ୟ ଯୋଜନାରେ ଦୁର୍ନୀତି ପଦାରେ ପଡିଯିବାର ଭୟ ବିଜେଡିକୁ ଘାରିଛି କି?
  2. ଜାତୀୟ ରାଜପଥ ପ୍ରକଳ୍ପ ବାବଦରେ ବିଜେପି ପଚାରିଥିବା ପ୍ରଶ୍ନର ଉତ୍ତର ରଖୁ ବିଜେଡି
  3. ବିଜେଡି ମୁଖପାତ୍ର ଓଡ଼ିଶାରେ କମ୍ ରହିବା କାରଣରୁ ରାଜ୍ୟରେ ମୋଦି ସରକାରଙ୍କ କାର୍ଯ୍ୟକୁ ଦେଖିପାରୁନାହାନ୍ତି
  4. ନିଜ ସାଂସଦ ମାନଙ୍କୁ ନେଇ ଦିଲ୍ଲୀରେ ଆମର କେନ୍ଦ୍ରମନ୍ତ୍ରୀ ମାନଙ୍କୁ ଦେଖା କରନ୍ତୁ, ତେବେ ଯାଇ ଓଡ଼ିଶାରେ କେଉଁ କାର୍ଯ୍ୟ କମ ହୋଇଛି, ତାହାର ଉତ୍ତର ଜାଣିଯିବେ
  5. ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ମୁଖ୍ୟମନ୍ତ୍ରୀ ମୋଟ ୧୦ରୁ ୮ ନମ୍ବର ଦେଇଥିଲେ, ସସ୍ମିତ ପାତ୍ର ଦିଲ୍ଲୀରେ ରହୁଥିବାରୁ ଏ ବିଷୟରେ ଅଜ୍ଞ ଅଛନ୍ତି
  6. ବିଜେଡି ବିଧାୟକମାନେ ସଂସଦରେ ମୋଦି ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସମୟରେ ସସ୍ମିତ ପାତ୍ର ଶୋଇପଡିଥିଲେ କି ?
  7. ଓଡ଼ିଶାର ଅର୍ଥ ମନ୍ତ୍ରୀ ଓ ସଚିବ ଗରିବ କେନ୍ଦୁ ପତ୍ର ତୋଳାଳୀଙ୍କ ସ୍ୱାର୍ଥ ପାଇଁ ସଠିକ ଦାବି ଉପସ୍ଥାପନ କରି ନଥିବାରୁ ଆଜି କେନ୍ଦୁ ପତ୍ର ତୋଳାଳୀ ମାନଙ୍କୁ ଟିକସ ଦେବାକୁ ପଡ଼ୁଛି
  8. ୨୦୧୩ରେ ବରଗଡ ସୋହେଲାରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପାଇଁ ଘୋଷଣା କରିଥିବା ୧୦୦ ଟଙ୍କା ବୋନସ ପୂରଣ କଲେ ଭଲ ହୁଅନ୍ତା
  9. ମୋଦି ପଠାଇଥିବା ଘରକୁ ଆବଣ୍ଟନ କରିବାର ଦାୟିତ୍ୱ ରାଜ୍ୟ ସରକାରଙ୍କ ଥିବା ବେଳେ ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲାକୁ ଗୋଟିଏ ବି ଘର ବଣ୍ଟାଯାଇନଥିଲା
  10. ସିଏଜି ରିପୋର୍ଟର ସତ୍ୟତା ଏବଂ ପିଏମ ଆବାସରେ ୧ ହଜାର କୋଟି ଟଙ୍କାର ମହାଦୁର୍ନୀତିର ତଥ୍ୟକୁ ଭୁଲି ଗଲେ କି ବିଜେଡି ନେତା
  11. ୨୦୧୪ରେ ଓଡ଼ିଶାରେ ମାତ୍ର ୭୫୦୦ ମୋବାଇଲ ଟାଓ୍ବାର ଥିଲା, ଏବେ ଏହି ସଂଖ୍ୟା ପାଖାପାଖି ୩୦,୦୦୦କୁ ବୃଦ୍ଧି ପାଇଛି, ରାଜ୍ୟରେ ୫୦୦୦ଟି ଅତିରିକ୍ତ ମୋବାଇଲ ଟାଓ୍ୱାର ସ୍ଥାପନ ପାଇଁ ଅର୍ଥ ବି ମଞ୍ଜୁର ହୋଇଛି
  12. ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ଦେଖାଯାଉଛି, ବିଜେଡି ନିଜେ ଏହି ଘଟଣାରେ ତୃଣମୂଳ ସମୀକ୍ଷା କରି ନିଜ ନେତାଙ୍କୁ ରିପୋର୍ଟ ଦେଲେ ଭଲ ହେବ

ଶ୍ରୀ ସୂର୍ଯ୍ୟବଂଶୀ କହିଛନ୍ତି ଯେ ଗତକାଲି ଜାତୀୟ ରାଜପଥ ପ୍ରକଳ୍ପ ନେଇ ଆମେ ବିସ୍ତୁତ ତଥ୍ୟ ଦେଇ ପ୍ରଶ୍ନ କରିବା ପରେ ମଧ୍ୟ ବିଜେଡି ତାହାର ଉତ୍ତର ରଖୁନାହିଁ । ବିଜେଡି ମୁଖପାତ୍ର ଓଡ଼ିଶାରେ କମ୍ ରହିବା କାରଣରୁ ସେ ରାଜ୍ୟରେ ମୋଦି ସରକାରଙ୍କ କାର୍ଯ୍ୟକୁ ଦେଖିପାରୁନାହାନ୍ତି । ସେ ନିଜେ ସଂସଦର ସଦସ୍ୟ ଅଛନ୍ତି । ନିଜ ସାଂସଦ ମାନଙ୍କୁ ନେଇ ଆମର କେନ୍ଦ୍ରମନ୍ତ୍ରୀ ମାନଙ୍କୁ ଦେଖା କରନ୍ତୁ, ତେବେ ଯାଇ ଓଡ଼ିଶାରେ କେଉଁ କାର୍ଯ୍ୟ କମ ହୋଇଛି, ତାହାର ଉତ୍ତର ଜାଣିଯିବେ । ତାଙ୍କର ମୁଖ୍ୟମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ମୋଟ ୧୦ରୁ ୮ ନମ୍ବର ଦେଇଥିଲେ । ଦିଲ୍ଲୀରେ ଥିବା କାରଣରୁ ଶ୍ରୀ ପାତ୍ର ହୁଏତ ଏ ସବୁ ବିଷୟରେ ଅଜ୍ଞ ଅଛନ୍ତି । ସଂସଦରେ ବି ବିଜେଡି ବିଧାୟକମାନେ ମୋଦି ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହି ସମୟରେ ହୁଏତ ସସ୍ମିତ ପାତ୍ର ଶୋଇପଡିଥିଲା ଭଲି ଲାଗୁଛି ।

ଓଡ଼ିଶାର ଅର୍ଥ ମନ୍ତ୍ରୀ ଓ ସଚିବ ଗରିବ କେନ୍ଦୁ ପତ୍ର ତୋଳାଳୀଙ୍କ ସ୍ୱାର୍ଥ ପାଇଁ ସଠିକ ଦାବି ଉପସ୍ଥାପନ କରି ନଥିବାରୁ ଆଜି କେନ୍ଦୁ ପତ୍ର ତୋଳାଳୀ ମାନଙ୍କୁ ଟିକସ ଦେବାକୁ ପଡ଼ୁଛି । ଦେଶର ଅନ୍ୟାନ୍ୟ ରାଜ୍ୟରେ କେନ୍ଦୁପତ୍ରରୁ ସଂଗୃହିତ ଲାଭାଂଶର ଶତ ପ୍ରତିଶତଲାଭାଂଶକୁ କେନ୍ଦୁପତ୍ର ତୋଳାଳି ଓ ଶ୍ରମିକମାନଙ୍କ ଭିତରେ ବାଂଟି ଦେଉଥିବାବେଳେ ଓଡିଶା ସରକାର ଲାଭାଂଶର ମାତ୍ର ୨୫ ଭାଗ ବୋନସ ଦେଉଛନ୍ତି । ଏହା ଦ୍ୱାରା କେନ୍ଦୁପତ୍ର ତୋଳାଳି ଅନେକ କ୍ଷତି ସହୁଛି । ୨୦୧୩ରେ ବରଗଡ ସୋହେଲାରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପାଇଁ ଘୋଷଣା କରିଥିବା ୧୦୦ ଟଙ୍କା ବୋନସ ପୂରଣ କଲେ ଭଲ ହୁଅନ୍ତା । ଆଜି କଟନୀ ଛଟନୀ କରି ମୋଦି ବଢାଇଥିବା ଏମଏସପିକୁ କିଏ ଚକ୍ରାନ୍ତ କରି ଚାଷୀଙ୍କୁ ସେମାନଙ୍କ ଉତ୍ପାଦକୁ କମରେ ବିକିବା ପାଇଁ କିଏ ବାଧ୍ୟ କରୁଛି ?

ମୋଦି ପଠାଇଥିବା ଘରକୁ ଆବଣ୍ଟନ କରିବାର ଦାୟିତ୍ୱ ରାଜ୍ୟ ସରକାରଙ୍କ ଥିବା ବେଳେ ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲାକୁ କିଛି ଘର ବଣ୍ଟାଯାଇନଥିଲା । ସସ୍ମିତ ପାତ୍ର ଏ ସବୁ ବୁଝିକି ଉତ୍ତର ଦେଇଥିଲେ ଭଲ ହୋଇଥାନ୍ତା । ସଦ୍ୟ ପ୍ରକାଶିତ ସିଏଜି ରିପୋର୍ଟରେ ରାଜ୍ୟର ଗ୍ରାମାଞ୍ଚଳରେ ୮.୫୯ ଲକ୍ଷ ହିତାଧିକାରୀ ଗୃହ ପାଇବାରୁ ବଞ୍ଚିତ ହୋଇଥିବା ସ୍ପଷ୍ଟ ହୋଇଛି । ପିଏମ ଆବାସରେ ୧ ହଜାର କୋଟି ଟଙ୍କାର ମହାଦୁର୍ନୀତି ହୋଇଥିବା ବେଳେ କେନ୍ଦ୍ର ରିପୋର୍ଟ ଦେଇଛି ।ଏହା ସତ ନା ମିଛ ।

ରାଜ୍ୟରେ ଟେଲିକମ୍ ଘନତ୍ୱକୁ ନେଇ ବିଜେଡି ଓଡ଼ିଶାବାସୀଙ୍କୁ ମିଛ କହୁଥିବା ଖୋଦ୍ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଦୂରସଞ୍ଚାର କ୍ଷେତ୍ରରେ ଓଡିଶାର ସ୍ଥିତି ବହୁତ ଭଲ ରହିଛି। ୨୦୧୪ରେ ଓଡ଼ିଶାରେ ମାତ୍ର ୭୫୦୦ ମୋବାଇଲ ଟାଓ୍ବାର ଥିଲା। ଏବେ ୨୦୨୩ରେ ଏହି ସଂଖ୍ୟା ପାଖାପାଖି ୩୦,୦୦୦କୁ ବୃଦ୍ଧି ପାଇଛି। ଏହାସହ ରାଜ୍ୟରେ ୫୩୩୩ଟି ଅତିରିକ୍ତ ମୋବାଇଲ ଟାଓ୍ୱାର ସ୍ଥାପନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାକୁ ୫,୬୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ରାଜ୍ୟ ସରକାର ତୁରନ୍ତ ଜମି ଯୋଗାଇ ଦିଅନ୍ତୁ । ସେହିପରି ଓଡ଼ିଶାରେ ବ୍ୟାଙ୍କିଂ ସେବାକୁ ନେଇ ଆସିଥିବା ଉନ୍ନତ ଖୋଦ୍ ଲୋକମାନେ କହୁଛନ୍ତି । ବ୍ୟାଙ୍କିଂ ଅପେକ୍ଷା ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ଦେଖାଯାଉଛି । ଶ୍ରୀ ପାତ୍ର ନିଜେ ଏହି ଘଟଣାରେ ତୃଣମୂଳ ସମୀକ୍ଷା କରି ନିଜ ନେତାଙ୍କୁ ରିପୋର୍ଟ ଦେଲେ ଭଲ ହେବ ବୋଲି ଧାମନଗର ବିଧାୟକ କହିଛନ୍ତି ।