ସମ୍ବର ଦଶମୀ ବ୍ରତ ବୋଲି ଏକ ପ୍ରସିଦ୍ଧ ବ୍ରତ

ଏକ ଦିନକରେ ଶୁକମୁନି ସମ୍ବର ଦଶମୀ ବ୍ରତ କଥା….

ଏକ ଦିନକରେ ଶୁକମୁନି ସମ୍ବର ଦଶମୀ ବ୍ରତ କଥା ଶୌନକଙ୍କୁ ପଚାରିବାରୁ ଶୌନକ ମୁନି କହିଲେ :- ହେ ଶୁକମୁନି ! ସମ୍ବର ଦଶମୀ ବ୍ରତ ବୋଲି ଏକ ପ୍ରସିଦ୍ଧ ବ୍ରତ ଅଛି। ସେ ବ୍ରତ କଲେ ସିଦ୍ଧି ଲାଭ ହୁଏ। ନାରୀମାନଙ୍କର ସୌଭାଗ୍ୟ ଲକ୍ଷ୍ମୀ ବୃଦ୍ଧି ହୁଏ।

ସକଳ ମନୋରଥ ସିଦ୍ଧି ହୁଏ। ଅପୁତ୍ରିକମାନେ ପୁତ୍ରଲାଭ କରନ୍ତି । ମୃତବତ୍ସା ନାରୀମାନେ ଫଳପ୍ରଦ ହୁଅନ୍ତି । ବାଞ୍ଛିତ ଫଳ ପ୍ରାପ୍ତି ହୁଏ । ’ ’ ଏପରି ବଚନ ଶୁଣି ଶୁକମୁନି ପଚାରିଲେ , ଏହି ବ୍ରତ କରି କେଉଁମାନେ କି ଫଳ ପାଇଥିଲେ ତାହା ମୋତେ କୁହନ୍ତୁ । ଶୌନକ କହିଲେ , ଶୁଣିବା ହୁଅନ୍ତୁ । ଏକ ଦିନକରେ ମୁନିକୁଳ ମୁକୁଟରତ୍ନ ନାରଦ ମୁନି ଦ୍ଵାରିକାକୁ ଶୁଭାଗମନ କରି କୃଷ୍ଣ ରୁକ୍ମିଣୀଙ୍କ ନିକଟରେ ପ୍ରବେଶ ହେଲେ । ଏ ସମୟେ ରୁକ୍ମିଣୀ ଦେବୀ ନାରଦ ମୁନିଙ୍କୁ ଅର୍ଘ୍ୟଦେଇ ଉତ୍ତମ ରୂପେ ପୂଜା କଲେ । ରୁକ୍ମିଣୀଙ୍କ ଭକ୍ତି ଦେଖି ଆସନ ଗ୍ରହଣ କରି ରୁକ୍ମିଣୀଙ୍କ କୃଶ କଳେବର ଲୋତକପୂର୍ଣ୍ଣ ନୟନ , ଦୀନବଦନ ଏବଂ ବିବତ୍ସା ଭାବ ଦେଖି ମୁନି ରୁକ୍ମିଣୀଙ୍କୁ ପଚାରିଲେ– ‘ ‘ ହେ କୃଷ୍ଣ ପ୍ରିୟାବତୀ ! ତୁମ୍ଭେ ଏତେ ଦୁଃଖରେ କାହିଁକି କାତର ହେଉଛ , ତାହା ମୋତେ କୁହ । ’ ’ ନାରଦଙ୍କ ବଚନ ଶୁଣି ରୁକ୍ମିଣୀ କହିଲେ – ହେ ମୁନିବର , ମଦନ ଠାରୁ ଅଧିକ ସୁନ୍ଦର ମୋର କୁମର ଜାତ ହେଲା । ସେ କୃଷ୍ଣଙ୍କ ଅନୁରୂପ ସକଳ ଜନ ମୋହିତ କଲା । ସୂତିକା ଭବନରୁ ସେହି କୁମାରକୁ କୌଣସି ରାକ୍ଷସ ହରଣ କରିନେଲା । ସେ ହେତୁରୁ ଅତି ଦୀନ ଦୁଃଖିତା ହୋଇଅଛି ।ପୁରାଣ ପୁରୁଷୋତ୍ତମ। ଏହା ଶୁଣି ସୁରକୂଳ ପୂଜିତ ନାରଦ ମୁନିବର ତହୁଁ ଭାବନା କରି କହିଲେ – ହେ ବିଦର୍ଭ ରାଜଜେମା ଶୁଣ । ଯେଉଁ କାମନାରେ ରବିଙ୍କର ପୂଜା କଲେ ସକଳ ଫଳଲାଭ ହୁଏ , ତୁମ୍ଭେ ସେହି ରବିନାରାୟଣଙ୍କ ସମ୍ବର ଦଶମୀ ବ୍ରତ କର । ସତ୍ଵର ଦୁର୍ଲ୍ଲଭ ସୁତ ଅବଶ୍ୟ ଲାଭ ହେବ । ଏହା ଶୁଣି ରୁକ୍ମିଣୀ କହିଲେ – ହେ ମୁନିବର , ପୁତ୍ରପ୍ରଦ ବ୍ରତ ସନ୍ଦେହ ନରଖି କେଉଁ ଦେବତା ଅର୍ଚ୍ଚନା ନିୟମ , ସେଥିରେ କି ଫଳ ଲାଭ ହେବ , ତାହା ମୋ ’ ଠାରେ ଯେବେ ତୁମ୍ଭର ଅନୁଗ୍ରହ ଅଛି , ସେକଥା ଉତ୍ତମ ରୂପେ କୁହନ୍ତୁ । ଏହା ଶୁଣି ନାରଦ କହିଲେ – ଅର୍କ କ୍ଷେତ୍ରରେ ଗୌତମ ନାମରେ ଏକ ବିପ୍ର ଥିଲେ । ତାହାଙ୍କ ପତ୍ନୀ ମହାରାଣୀ ପଦ୍ମମୁଖୀ । ସୁଧାକରପରି ତାଙ୍କର ତିନୋଟି ପୁତ୍ର ଜାତ ହୋଇ ନାଶ ହୋଇଗଲେ । ଅତିଶୟ ଦୁଃଖରେ ଭୀତମତି ହୋଇ ବିପ୍ରରମଣୀ ଥାଏ । ସେ ଦିନେ ତାର ପତିଙ୍କୁ ପଚାରିଲେ – ହେ ନାଥ , ଏତେ ଦୁଃଖରହିବା ଅକାରଣ । ପ୍ରିୟତମା ପତ୍ନୀର ଦୁଃଖ ଦେଖି ବିପ୍ରବର କହିଲେ , ହେ ପଦ୍ମବଦନା , ଦିବାକର ପ୍ରୀତିକାରକ ହେବାର ଯତ୍ନକର । ଗୌତମ ବିପ୍ରଙ୍କ ଠାରୁ ଏମନ୍ତ ଶୁଣି ପତିଭକ୍ତି ପରାୟଣା ପଦ୍ମମୁଖୀର ଦିନକର ପ୍ରୀତି ଲଭିବା ମାନସରେ ଅତି କଷ୍ଟରେ ତପ ଆଚରିଲେ । ପଦ୍ମମୁଖୀର କଠୋର ତପ ଦେଖି ସପ୍ତ – ଅଶ୍ଵ ବାହାନ ଦିବାକର ସନ୍ତୁଷ୍ଟ ହୋଇ ସ୍ବପ୍ନରେ କହିଲେ , ତୁମ୍ଭର କଠୋର ତପସ୍ୟା ଦେଖି ଆମ୍ଭେ ସନ୍ତୁଷ୍ଟ ହେଲୁ । ନିଶ୍ଚୟ ତୁମ୍ଭର ମଙ୍ଗଳ ହେବ , ଆମ୍ଭ ବାକ୍ୟ ଗ୍ରହଣ କର । ଆମ୍ଭଙ୍କୁ ପୂଜାକରି ଆମ୍ଭ ବ୍ରତ ଆଚରଣ କର । ପୌଷମାସ ଶୁକ୍ଳପକ୍ଷ ଦଶମୀରେ ଭକ୍ତି ମାନସରେ ପ୍ରଭାତରୁ ଉଠି ବିଧିରୂପେ ସ୍ନାନସାରି ମୋର ଉଦୟ ବେଳାରେ ସାତଗୋଟି ମଣ୍ଡଳ ନିର୍ମାଣ କରିବ । ତଣ୍ଡୁଳ , ଲିଆ , ଗୁଡ , ନାରୀକେଳ , ଅଦା ମିଶାଇ ମୋଦକ କରିବ । ଏପରି କରି ମୋହର ଆଗରେ ନୈବେଦ୍ୟ ରଖି ଶ୍ରଦ୍ଧାରେ ଉପହାର ଦେଇ ପୀଠ ସ୍ଥାପନ କରି ଭକ୍ତି ସହିତ ବିଧିମତେ ପୂଜା କରିବ । ଅର୍ଘ୍ୟ , ଗନ୍ଧ , ପୁଷ୍ପ , ଧୂପ , ଦୀପ ଦେବ । ପ୍ରଥମ ପାତ୍ର ମୋଦକକୁ କାହା ସହିତ କଥା ଭାଷା ନ ହୋଇ ନିଜେ ଭୋଜନ କରିବ । ତା’ପରେ ମଧ୍ୟାହ୍ନରେ ଶ୍ରଦ୍ଧା ଭକ୍ତି ମତେ ବିଧି ଅନୁସାରେ ସାତ ମଣ୍ଡଳରେ ନୈବେଦ୍ୟ ରଖି ପ୍ରଭାତ ବିଧି ପରି ପୂଜାବିଧି କରିବ । ପୁରାଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ।
ପୂଜାମନ୍ତ୍ର – ‘ ଓଁ ଶ୍ରୀ ସୂର୍ଯ୍ୟନାରାୟଣାୟ ସ୍ୱାହା । ’

ଭକ୍ତି ମାନସରେ ଅର୍ଘ୍ୟ ଦେବ , ଆଳତି କରିବ । ନମସ୍କାର କରି ସ୍ତୁତି କରିବ । ‘ ହେ ଛାୟାମାୟା ରମଣ , ଆପଣଙ୍କୁ ଅର୍ଘ୍ୟ ପ୍ରଦାନ କରୁଛି , ଗ୍ରହଣ କରନ୍ତୁ । ଆଳତି ଗ୍ରହଣ କରନ୍ତୁ । ’ ଶ୍ରଦ୍ଧା ଭକ୍ତିରେ ବ୍ରତ ଆଚରିବ । ହେ ଦେବୀ , ଏ ପ୍ରକାରେ ବ୍ରତକଲେ ପୁତ୍ର ଜନ୍ମ ହେବ ଓ ଥିବା ପୁତ୍ରମାନେ ଅତି ସୁଖରେ ରହିବେ । ଏ ବ୍ରତ ବିଧାନ ଦିବାକରଙ୍କ ଠାରୁ ସ୍ବପ୍ନରେ ଶୁଣି ପଦ୍ମମୁଖୀ ବ୍ରତକରି ପୁତ୍ର ସମ୍ପଦ ଲାଭକଲେ । ହେ ବିଦର୍ଭ ସୁତା ସେ ବ୍ରତ ସିଦ୍ଧିପ୍ରଦ ବ୍ରତ । ତୁମ୍ଭେ ଆଚରଣ କର । ନିଶ୍ଚୟ ପୁତ୍ରଲାଭ ହେବ ଏବଂ ଅକାଳ ମୃତ୍ୟୁ ହେବ ନାହିଁ । ଏହା ରୁକ୍ମିଣୀଙ୍କି କହି ନାରଦ ମୁନି ମନଯାନରେ ଚଢ଼ି ବିଦାୟ ହେଲେ ।ରୁକ୍ମିଣୀ ଏକାଗ୍ର ମାନସରେ ବିଧିମତେ ବ୍ରତକଲେ । ବିଜୟୀ ବୀରବର ପ୍ରଦ୍ୟୁମ୍ନ ସମ୍ବର ଦୈତ୍ୟକୁ ଶମନପୂରକୁ ପ୍ରେରଣ କରି ବିମାନରେ ବସି ଶ୍ରୀକୃଷ୍ଣଙ୍କ ଅନ୍ତଃପୁରରେ ପ୍ରବେଶ ହେଲେ । ରୁକ୍ମିଣୀ ଏବଂ କୃଷ୍ଣ ପ୍ରଦ୍ୟୁମ୍ନଙ୍କୁ ଦେଖି ଅନ୍ଧ ଚକ୍ଷୁ ପାଇଲା ପରି ଆନନ୍ଦ ବାରିଧିରେ ମଜ୍ଜିଗଲେ । ପ୍ରଦ୍ୟୁମ୍ନ ସମ୍ବରାସୁରକୁ ବିନାଶ କରି ଗୃହକୁ ଆଗମନ କଲାଦିନୁ ସମ୍ବର ଦଶମୀ ବ୍ରତ ଜଗତରେ ବିଖ୍ୟାତ ହେଲା । ଏକାଗ୍ର ଚିତ୍ତରେ ଶ୍ରଦ୍ଧାବାନ ହୋଇ ବିଧି ଅନୁସାରେ ଏହି ବ୍ରତକଲେ ସୌଭାଗ୍ୟବତୀ ଏବଂ ପୁତ୍ରବତୀ ହୋଇ ନାରୀ ସୁଖ ଭୋଗ କରି ଆରୋଗ୍ୟରେ କାଳଯାପନ କରେ । ସକଳ ସିଦ୍ଧିଲାଭ ହୋଇଥାଏ ।