ସାରା ଜଗତରେ କେବଳ ଦାରୁ ଦେବତାଙ୍କୁ ଜ୍ୱର

ରତ୍ନ ସିଂହାସନରେ ଦିଶୁଛନ୍ତି ମହାପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀଙ୍କ ସୁଭଦ୍ରାଙ୍କର ଦାରୁ ମୂରତି । ଠାକୁରଙ୍କ ପୂଜା ବିଧିବିଧାନ ବଡ଼ ବିଚିତ୍ର । ଠାକୁରଙ୍କୁ ଗାଧୋଇ ଦିଆଯିବା କାମ ହେଉ । ପୋଷାକ ପିନ୍ଧାଇବା କାମ ହେଉ । ପନିପରିବା କାଟିବା କାମ ହେଉ । ପାଣି ଆଣିବା କାମ ହେଉ । ଜିନିଷପତ୍ର ସାଉଁଟିବା କାମ ହେଉ । ପ୍ରତ୍ୟେକ କାମ ପାଇଁ ଜଣେ ଜଣେ ସେବାୟତଙ୍କୁ ଖଞ୍ଜା ଯାଇଛି । ଯୋଉ ସେବାୟତଙ୍କୁ ଯୋଉ କାମ ପାଇଁ ଖଞ୍ଜା ଯାଇଛି, ସେହି ସେବାୟତଙ୍କ ବିନା ଅନ୍ୟ କୌଣସି ସେବାୟତ ଉକ୍ତ ସେବା କରିବାର ବିଧି ନାହିଁ ।

ବର୍ଷକୁ ଥରେ ବର୍ଷାଋତୁରେ ଦାରୁରେ ତିଆରି ତିନି ଠାକୁର ପ୍ରତ୍ୟକ୍ଷ ସ୍ନାନ କରନ୍ତି । ତିନି ଠାକୁର ପାଣିରେ ଗାଧୋଇବା ପରେ ଜ୍ୱରରେ ପୀଡ଼ିତ ହୁଅନ୍ତି । ଫଳରେ ୧୫ ଦିନ ପାଇଁ ବିଶ୍ରାମ କରନ୍ତି । ସେତେବେଳେ କେହି ଠାକୁରଙ୍କ ଦର୍ଶନ କରନ୍ତି ନାହିଁ । ପୂଜାର୍ଚ୍ଚନା ବିଧି ବଦଳିଯାଏ । ଠାକୁରଙ୍କୁ କେବଳ ଧଳାଫୁଲ ଅର୍ପଣ କରାଯାଏ । ଧଳା ପୋଷାକ ପିନ୍ଧାଇ ଦିଆଯାଏ ।

ପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ମାଲିଶ କରାଯାଏ । ରାଜବୈଦ୍ୟଙ୍କୁ ଡକାଯାଏ । ରାଜବୈଦ୍ୟ ଚେରମୂଳିରେ ଔଷଧ ତିଆରି କରନ୍ତି । ପୁରୀରେ ଏଲୋପାଥିକ ଔଷଧ ସେବନ ପାଇଁ ବାରଣ କରାଯାଇଥାଏ । ମାନ୍ୟତା ରହିଛି, ପୁରୀରେ ଏଲୋପାଥିକ ଔଷଧ କାମ କରେନା । ଆୟୁର୍ବେଦିକ ଔଷଧ କାମ କରେ । ମହାପ୍ରଭୁ ଜଗନ୍ନାଥ ଆୟୁର୍ବେଦ ଔଷଧ ସେବନ କରୁଥିବାରୁ ସାଧାରଣ ଲୋକଙ୍କୁ ଆୟୁର୍ବେଦ ଔଷଧ ସେବନ ପାଇଁ ପରାମର୍ଶ ଦିଆଯାଏ ।

ମହାସ୍ନାନ ପରେ ତିନି ଠାକୁରଙ୍କୁ ସଜାଇ ଦିଆଯାଏ । ଭୋଗ ଲଗାଯାଏ । ସକାଳ, ମଧ୍ୟାହ୍ନ ଓ ସନ୍ଧ୍ୟାରେ ଠାକୁରଙ୍କୁ ସଜାଇବା ଓ ଭୋଗ ଲଗାଇବାର ବିଧି ରହିଛି । ରାତିରେ ଭୋଗ ଲଗାଇବା ପରେ ଠାକୁର ଶୟନ କକ୍ଷକୁ ଯାଆନ୍ତି । ଠାକୁରଙ୍କ ପାଇଁ ପଲଙ୍କ ପକାଇ ଦିଆଯାଏ । ଗଦି, ରେଜେଇ, ତକିଆ ପକାଇ ଦିଆଯାଏ । ସେମାନଙ୍କ ପାଇଁ ପାଣି, ପାନ ଓ ନଡ଼ିଆ ରଖାଯାଏ । ଏସବୁ କାମ ପାଇଁ ୧୧୯ ସେବାୟତଙ୍କୁ ଖଞ୍ଜା ଯାଇଛି ।