ବାଇଶି ପାହାଚ ଗଡ଼ିଗଡ଼ି ଚଢ଼ିଲେ ଗ୍ରହପୀଡ଼ାରୁ ମୁକ୍ତି ମିଳେ

ସନ୍ଧ୍ୟା ଗଡ଼ିଯାଇଛି । ମନ୍ଦିର ବାହାରେ ଏଣେତେଣେ ବୁଲୁଛି । ପ୍ରତି ଗଳିରେ ଦୁଇପାଖରେ ରହିଛି ଲମ୍ବାଧାଡ଼ି ହୋଇ ପୂଜାରୀଙ୍କ ଘର । କିଛି ପୂଜାରୀଙ୍କୁ ମନ୍ଦିର ସଂପର୍କରେ ପଚାରିଲି । ଭଗବାନ ଜଗନ୍ନାଥଙ୍କ ଅନୁଭୂତି ସଂପର୍କରେ ପଚାରିଲି । ଠାକୁର ଅବା ମନ୍ଦିର ସଂପର୍କରେ କିଛି କହିବାକୁ ସେମାନେ ମନା କରିଦେଲେ । ସେମାନେ କେବଳ ଏତିକି କହିଲେ ଯେ ଠାକୁର ଅବା ମନ୍ଦିର ସଂପର୍କରେ କିଛି କହିଲେ ମହାପ୍ରଭୁ କ୍ରୋଧିତ ହେବେ । ଆପଣ ସକାଳୁ ମନ୍ଦିର ପରିଦର୍ଶନ କରନ୍ତୁ।

ପରଦିନ ସକାଳୁ ମନ୍ଦିର ନିକଟରେ ପହଂଚିଗଲି । ମନ୍ଦିର ବାହାରେ ମୁଖ୍ୟ ଦ୍ୱାର ସାମନାରେ ଗୋଟିଏ ସ୍ତମ୍ଭ ଅଛି । ଲୋକମାନେ ସେଠାରେ ମୁଦ୍ରା ପକାଉଛନ୍ତି । ସ୍ତମ୍ଭକୁ ମୁଣ୍ଡିଆ ମାରୁଛନ୍ତି । ପ୍ରଦକ୍ଷିଣ କରୁଛନ୍ତି । ପହିଲି ଦ୍ୱାରର ଦୁଇପାଖରେ ପ୍ରସ୍ତରରେ ନିର୍ମିତ ଦୁଇଟି ସିଂହ ଠିଆ ହୋଇଛନ୍ତି । ଉକ୍ତ ଦ୍ୱାରକୁ ସିଂହଦ୍ୱାର କୁହାଯାଏ।

ସକାଳ ୫ଟାରେ ସିଂହଦ୍ୱାର ଖୋଲିଯାଏ । ପୁଜାରୀ ଆଲୋକ ଜଳାଇ ଦିଅନ୍ତି । ଆରତୀ ହୁଏ । ପରେ ସମସ୍ତେ ଉକ୍ତ ଦ୍ୱାର ବାଟ ଦେଇ ମନ୍ଦିର ଭିତରକୁ ପ୍ରବେଶ କରନ୍ତି । ସିଂହଦ୍ୱାର ଭିତର ଦେଇ ଆଗକୁ ପାଦ ବଢ଼ାଇଲେ ୬/୭ ଫୁଟ ଓସାରର ୨୨ଟି ପାହାଚ ରହିଛି । ଭକ୍ତମାନେ ଉକ୍ତ ସିଡ଼ିରେ ଗଡ଼ି ଗଡ଼ି ମୁଖ୍ୟ ମନ୍ଦିର ଆଡ଼କୁ ଗତି କରନ୍ତି । ମାନ୍ୟତା ରହିଛି, ଏଭଳି କଲେ ଯାବତୀୟ ଗ୍ରହପୀଡ଼ାରୁ ମୁକ୍ତି ମିଳିଥାଏ।