କର୍ମ ଯୋଗ ଜାଣନ୍ତୁ…

Know Karma Yoga

ତ୍ୟେକ ଜୀବ ନିଜର ଅର୍ନ୍ତନିହିତ ଗୁଣ ଅନୁଯାୟୀ ପ୍ରତିକ୍ଷଣ କର୍ମ କରିବାକୁ ବାଧ୍ୟ ହୋଇଥାଆନ୍ତି..

ପ୍ରତ୍ୟେକ ଜୀବ ନିଜର ଅର୍ନ୍ତନିହିତ ଗୁଣ ଅନୁଯାୟୀ ପ୍ରତିକ୍ଷଣ କର୍ମ କରିବାକୁ ବାଧ୍ୟ ହୋଇଥାଆନ୍ତି ଏବଂ କେହି ମଧ୍ୟ ବିନା କର୍ମରେ ଗୋଟିଏ ବି ମୁହୁର୍ତ୍ତ ରହି ପାରିବେ ନାହିଁ । ଯେଉଁ ମାନେ ବାହ୍ୟ ରୂପରେ ତ୍ୟାଗ ପ୍ରଦର୍ଶନ କରି ଗେରୁଆ ବସ୍ତ୍ର  ଧାରଣ କରନ୍ତି, କିନ୍ତୁ ଅନ୍ତରରେ କାମନା ଯୁକ୍ତ ଥାଆନ୍ତି, ସେମାନେ ପ୍ରତାରକ ଅଟନ୍ତି । ତାଙ୍କଠାରୁ ଶ୍ରେୟ ସେମାନେ ଅଟନ୍ତି,  ଯିଏ କର୍ମଯୋଗ ପାଳନ ପୂର୍ବକ ସମସ୍ତ ବାହ୍ୟ କର୍ମ ନିର୍ବାହ କରି ଆନ୍ତରିକ ଭାବେ କାମନା ପରିତ୍ୟାଗ କରନ୍ତି । ଶ୍ରୀକୃଷ୍ଣ ପୁଣି ଗୁରୁତ୍ୱ ଦେଉଛନ୍ତି ଯେ, ଭଗବାନଙ୍କ ସୃଷ୍ଟିର ଏକ ଅବିଚ୍ଛେଦ୍ୟ ଅଂଶ ରୂପେ ସମସ୍ତ ପ୍ରାଣୀଙ୍କର ଏକ କର୍ତ୍ତବ୍ୟ ପୂରଣ କରିବାର ଦାୟୀତ୍ୱ ରହିଅଛି ।  ଆମେ ଯେତେବେଳେ  ନିଜର କର୍ତ୍ତବ୍ୟକୁୁ ଭଗବାନଙ୍କର ଅନୁଗ୍ରହ ଭାବେ ପାଳନ କରୁ, ତାହାହିଁ “ଯଜ୍ଞ” ରେ ପରିଣତ ହୁଏ । ଯଜ୍ଞ ସ୍ୱର୍ଗର ଦେବତା ମାନଙ୍କୁ ସନ୍ତୁଷ୍ଟ କରିଥାଏ ଏବଂ ଦେବତାମାନେ ଆମକୁ ସାଂସାରିକ ବୈଭବ ପ୍ରଦାନ କରିଥାଆନ୍ତି । ଯଜ୍ଞ ଦ୍ୱାରା ବୃଷ୍ଟି  ହୁଏ ଏବଂ ବୃଷ୍ଟି ଶସ୍ୟ ଉତ୍ପାଦନ କରାଏ,  ଯାହା ଜୀବନ ଧାରଣ ପାଇଁ  ଆବଶ୍ୟକ ଅଟେ । ଯେଉଁମାନେ ଏହି ସୃଷ୍ଟିଚକ୍ରରେ ନିଜର ଦାୟୀତ୍ୱ ଗ୍ରହଣ କରନ୍ତି ନାହିଁ, ସେମାନେ ପାପୀ ଅଟନ୍ତି ।  ସେମାନେ କେବଳ ନିଜର ଇନ୍ଦ୍ରିୟ ମାନଙ୍କର ସୁଖ ପାଇଁ ଜୀବନ ଧାରଣ କରିଥାଆନ୍ତି ଏବଂ ସେମାନଙ୍କର ଜନ୍ମ ବ୍ୟର୍ଥ ଅଟେ-ଶ୍ରୀକୃଷ୍ଣ ।

ପୁନଶ୍ଚ ଶ୍ରୀକୃଷ୍ଣ କହୁଛନ୍ତି ଯେ, ସାଧାରଣ ଜୀବପରି ତତ୍ତ୍ୱଦର୍ଶୀମାନେ ଯେଉଁମାନେ କି ଆତ୍ମାରେ ସ୍ଥିତ ରହିଥାଆନ୍ତି, ଶାରୀରିକ କର୍ତ୍ତବ୍ୟ ସମ୍ପାଦନ କରିବାକୁ ବାଧ୍ୟ ନୁହଁନ୍ତି, କାରଣ ଆତ୍ମିକ ସ୍ତରରେ ସେମାନେ ଉଚ୍ଚତର କର୍ତ୍ତବ୍ୟ ନିର୍ବାହ କରୁଥାଆନ୍ତି । ତଥାପି, ସେମାନଙ୍କର ସେହି ବାହ୍ୟ କର୍ମ ତ୍ୟାଗ, ସେମାନଙ୍କର ପଦାଙ୍କ ଅନୁସରଣ କରୁଥିବା ସାଧାରଣ ମନୁଷ୍ୟଙ୍କ ମନରେ ଦ୍ୱନ୍ଦ୍ବ ଉତ୍ପନ୍ନ କରିଥାଏ । ସେଥିପାଇଁ ସଂସାର ସମ୍ମୁଖରେ ଆଦର୍ଶ ସ୍ଥାପନ କରିବା ଉଦ୍ଦେଶ୍ୟରେ ସେମାନେ କର୍ମ କରିଥାଆନ୍ତି, ଯଦିଓ ସେଥିରେ ତାଙ୍କର କୌଣସି ସ୍ୱାର୍ଥ ନିହିତ ନ ଥାଏ । ଏହା ଅଳ୍ପଜ୍ଞ ବ୍ୟକ୍ତିମାନଙ୍କୁୁ ସମୟ ପୂର୍ବରୁ ସେମାନଙ୍କର ବିହିତ କର୍ମ ତ୍ୟାଗ କରିବାରୁ ନିବୃତ୍ତ କରିଥାଏ । ଅତୀତରେ ସେହି ଉଦ୍ଦେଶ୍ୟରେ ଜନକ  ଆଦି ତତ୍ତ୍ୱଦର୍ଶୀ ରାଜାମାନେ ସେମାନଙ୍କର କର୍ତ୍ତବ୍ୟ ନିର୍ବାହ  କରୁଥିଲେ ।

ଏହା ପରେ ଅର୍ଜୁନ  ପଚାରୁଛନ୍ତି, ମନୁଷ୍ୟ ନିଜର ଅନିଚ୍ଛାସତ୍ୱେ ବାଧ୍ୟ ହେଲାଭଳି ପାପ କର୍ମ କାହିଁକି କରେ? ଉତ୍ତର ଦେବାକୁ ଯାଇ ପରମ ପୁରୁଷ ଭଗବାନ କହୁଛନ୍ତି ଯେ ସଂସାରର ସର୍ବଗ୍ରାସୀ ପାପମୟ ଶତ୍ରୁ କେବଳ କାମନା ହିଁ ଅଟେ । ଧୂଆଁ  ଅଗ୍ନିକୁୁ ଏବଂ ଧୂଳି ଦର୍ପଣକୁ ଆବୃତ୍ତ କରି ଅସ୍ପଷ୍ଟ କରିଦେବା ପରି କାମନା ବ୍ୟକ୍ତିର ଜ୍ଞାନକୁ ଆବୃତ୍ତକରି ବୁଦ୍ଧିକୁ ବାଟବଣା କରିଦିଏ ।  ଶେଷରେ ଶ୍ରୀକୃଷ୍ଣ ଉଦ୍‌ଘୋଷଣା କରି ଅର୍ଜୁନଙ୍କୁ କହୁଛନ୍ତି – ପାପର ମୂର୍ତ୍ତିମାନ ସ୍ୱରୂପ କାମନା ନାମକ ଏହି ଶତ୍ରୁର ବିନାଶ କରି ଇନ୍ଦ୍ରିୟ ମନ ଓ ବୁଦ୍ଧିକୁୁ ନିଜର ବଶୀଭୂତ କର ।