ମହାପ୍ରଳୟ

ହେ ରାମ ! ଅହଂର ଉତ୍ଥାନ ହେବା ହିଁ ବନ୍ଧନ ଏବଂ ଅହଂର ନିବୃତ୍ତ ହେବା ହିଁ ମୁକ୍ତି ଅଟେ। ଅହଂର ଉଦୟ ହେବା ଦ୍ୱାରା ହିଁ ଦୁଃଖ ଅଛି ଓ ସେତେ ସମୟ ପର୍ଯ୍ୟନ୍ତ ସଂସାର ଅଛି। ଯେବେ ସଂସାରର ସତ୍ତା ମନରୁ ନିବୃତ୍ତ ହୋଇଯାଏ, ତେବେ ଅହଂର ପ୍ରକଟତା ମଧ୍ୟ ନଷ୍ଟ ହୋଇଯାଏ। ଅହଂ ନଷ୍ଟ ହୋଇଗଲେ କେବଳ ଶୁଦ୍ଧ ଆତ୍ମା ହିଁ ସ୍ଵୟଂ ଶେଷ ରହିଯାଏ।

ହେ ରାମ ! ଯାହାକୁ ସର୍ବାତ୍ମାର ବୁଦ୍ଧି ହୋଇଗଲାଣି, ତାହାକୁ ସଂସାରର ବୁଦ୍ଧି ହୁଏ ନାହିଁ। ଯାହାକୁ ସଂସାରର ବୁଦ୍ଧି ହୋଇଛି, ତାହାକୁ ବ୍ରହ୍ମବୁଦ୍ଧି ହୁଏନାହିଁ। ଯାହାର ଯେପରି ଭାବନା ହୁଏ, ସେହିପରି ତାହାକୁ ନିଜ ସାମନାରେ ପ୍ରତୀତ ହୁଏ। ଯାହାର ବ୍ରହ୍ମଭାବନା ଦୃଢ଼ ହୋଇ ନାହିଁ, ସେହି ଅଜ୍ଞାନୀକୁ ଜଗତ ହିଁ ସତ୍ୟ ରୂପରେ ପ୍ରତୀତ ହୁଏ।
ଯେପରି ଜଣେ ପୁରୁଷ ଶିଳ୍ପୀ ଶିଳାରେ ମୂର୍ତ୍ତିର କଳ୍ପନା କରେ, ଶିଳାରେ ତ କୌଣସି ପ୍ରକାର କିଛି ମୂର୍ତ୍ତି ନ ଥାଏ,ଯେମିତିକୁ ସେମିତି ଜଡ଼ ଶିଳା ହିଁ ଅଟେ। ଯେପରି କଟା ହୋଇଥିବା ଶୁଖିଲା ଗଛରେ ମନର କଳ୍ପନା ଅନୁସାରେ କୌଣସି ପୁରୁଷକୁ ଦୂରରୁ ଭୂତ, ଚୋର, ଡାକୁ କିମ୍ବା ବିକଳାଙ୍ଗ ନରଭକ୍ଷୀ ପଶୁ ଆଦିର କଳ୍ପନା ହୋଇଥାଏ, କିନ୍ତୁ ଯେତେବେଳେ ସେ ନିକଟରେ ପହଞ୍ଚେ, ସେତେବେଳେ ତାକୁ କାଠର ଯଥାର୍ଥ ବୋଧ ହୋଇଯାଏ ଓ ତାହାର ମନର ସବୁ ଭ୍ରାନ୍ତ କଳ୍ପନା ଶେଷ ହୋଇଯାଏ। ସ୍ତମ୍ଭ ହିଁ ଦେଖାଯାଉଥାଏ।

ହେ ରାମ ! ଯେତେବେଳେ ଚିତ୍ତ ସ୍ଫୁରଣ ରହିତ ହୋଇଯାଏ, ସେତେବେଳେ ଆତ୍ମା ନିଜେ ନିଜକୁ ହିଁ ଜଣାଯାଏ। ଯାହାର ମନରେ କୌଣସି କଳ୍ପନା ନାହିଁ, ତାହାର ହିଁ ସମ୍ୟକ୍ ଦୃଷ୍ଟି ଅଛି, ସେତେବେଳେ ତାକୁ ସର୍ବତ୍ର ଆତ୍ମା ହିଁ ପ୍ରତୀତ ହୁଏ। ଏହା ସଂସାର ଓ ଏହା ବ୍ରହ୍ମ ଅଟେ – ଏହି ପ୍ରକାରର ଦ୍ବୈତଭାବ ମଧ୍ୟ ତାର ମନରୁ, ତା ଦୃଷ୍ଟିରୁ ସମାପ୍ତ ହୋଇଯାଏ। ବରଂ ସେ ନାମ, ରୁପରୁ ସତ୍ୟ ବୁଦ୍ଧି ହଟାଇ କେବଳ ବ୍ରହ୍ମମାତ୍ର ହୋଇ ରହେ, ଯାହା କି ଗୋଟିଏ ପଥର ସଦୃଶ ଦୃଢ଼ ଜ୍ଞାନ ଅଟେ। ଅନ୍ୟ ସବୁ ଭେଦଭାବ ସଂକଳ୍ପ ଶୂନ୍ୟ ହୋଇଯାଏ, ଏହିପରି ତାହାର ନିର୍ବିକଳ୍ପ ଅବସ୍ଥା ହୋଇଯାଏ। -ମହର୍ଷି ବଶିଷ୍ଠ -ରାମ ଗୀତା(ସ୍ବାମୀ ନିରଞ୍ଜନ)- ଓଡ଼ିଆ ଅନୁବାଦ-
କ୍ରମଶଃ..