ଦତ୍ତାତ୍ରେୟଙ୍କର ୨୪ ଗୁରୁ ପ୍ରସଙ୍ଗରେ ନବମ ଗୁରୁ: ଅଜଗର

ମହାତ୍ମା ଅବଧୂତ (ଦତ୍ତାତ୍ରେୟ ) କହୁଛନ୍ତି, ହେ ରାଜନ୍ ! ଅଜଗର ମୋର ନବମ ଗୁରୁ ଅଟନ୍ତି । ଅଜଗର ଠାରୁ ମୁଁ ଶରୀରର ” ଯୋଗକ୍ଷମ ” ଅର୍ଥାତ୍ ନ ପାଇବାର ବସ୍ତୁ ପ୍ରାପ୍ତ ହେବା ଓ ପାଇଥିବା ବସ୍ତୁକୁ ସଞ୍ଚିତ ରଖିବା ବିଷୟରେ ମନ ନ ବଳାଇବା ପାଇଁଁ ଶିକ୍ଷା ଲାଭ କରିଛି । ଅଜଗର ଏକ ସ୍ଥାନରେ ପଡିରହିଥାଏ ।ସେ ତାର ପାରବ୍ଧ ଉପରେ ନିର୍ଭର କରି ରହେ ।

ଅଜଗର ଅରଣ୍ୟରେ ରହିଥାଏ । ତାପାଇଁ ସବୁପ୍ରକାର ଆହାର ଭଲ ହୋଇଥାଏ ,ଏଥିରେ ମନ୍ଦ ବା କମ୍ ବେଶୀର ବିଚାର ନ ଥାଏ । ତା ନିକଟରେ ସୁଖ ଦୁଃଖ ସର୍ବଦା ସମାନ ଅଟେ । ଖାଦ୍ୟ ମିଳିଲେ ଖାଏ , ନ ମିଳିଲେ ଉପବାସ ରହିଥାଏ କିନ୍ତୁ ସଞ୍ଚୟ କରିବାକୁ କେବେ ଚିନ୍ତା କରିନଥାଏ । ତେଣୁ ଯୋଗୀ ପୁରୁଷ ଲୋଭ ପରବଶ ହୋଇ କାହାରିକୁ କିଛି ନମାଗି ,ଉକୃଷ୍ଟ ,ନିକୃଷ୍ଟ ଅଳ୍ପ, ବହୁତ ଯାହା କିଛି ଆହାର ମିଳିବ , ସେତିକିରେ ସନ୍ତୁଷ୍ଟ ହୋଇ ଅଜଗର ପରି ଉଦାସୀନ ରହି ସର୍ବଦା ନିଜ ମୂଳ ସ୍ୱରୂପର ଧ୍ୟାନରେ ମଗ୍ନ ରହିବା ଉଚିତ୍, ତେଣୁ ଅଜଗର ମୋର ଗୁରୁ ।

ଓଡ଼ିଆ ଭାଗବତ ରୁ ଦୁଇ ପଦ :-

ଆହାରେ ଭଲ – ମନ୍ଦ ନାହିଁ। ଯେ ସ୍ଥାନେ ଯେମନ୍ତ ମିଳଇ ।।

“ଅଳପ ବହୁତେ ସନ୍ତୋଷ। ନ ମିଳେ କରେ ଉପବାସ ।।

କର୍ମ କଷଣ ଦେହ ସହେ । ଅରଣ୍ୟ ଅଜଗର ପ୍ରାୟେ ।।

ଏ ଧର୍ମ ଅଜଗର ଚାହିଁ । ଶିଖିଲି ଗୁରୁ ଶିକ୍ଷା ପାଇ ।।